ପୁରୀ/ବ୍ରହ୍ମଗିରି: ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ହାସଲ ପରେ ପୁରୀ ଜିଲ୍ଲା ବ୍ରହ୍ମଗିରି କୋଠସାହି ମାଟିର କିଶୋର କୁମାର ଜେନା ଏବେ ଗାଁର କ୍ରୀଡ଼ା ପ୍ରତିଭାମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ଏସୀୟ କ୍ରୀଡ଼ାରୁ ଫେରିବା ପରେ କିଶୋରଙ୍କୁ ତାଙ୍କ ଗାଁ ମାଟିରେ ଭବ୍ୟ ସ୍ବାଗତ କରାଯାଇଛି। ଏହି ଅବସରରେ ପରିବାର ସହ କିଶୋର ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି। ଅଲମ୍ପିକ୍ସରେ ଭଲ ପ୍ରଦର୍ଶନ ପାଇଁ ଗୁହାରି କରିଛନ୍ତି। ଏବେ ଅଲମ୍ପିକ୍ସ ପଦକ ତାଙ୍କର ପ୍ରମୁଖ ଲକ୍ଷ୍ୟ ବୋଲି କିଶୋର କହିଛନ୍ତି। ଆଜି ପରିବାର ସହ ସମୟ କାଟିବା ପରେ ଆସନ୍ତା ୨୦ ତାରିଖ ଶୁକ୍ରବାର ଭୁବନେଶ୍ବର ବିମାନବନ୍ଦରରୁ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ଅଲିମ୍ପିକ୍ସ ପାଇଁ ତାଙ୍କର ପ୍ରଶିକ୍ଷଣ ପୁଣି ଆରମ୍ଭ ହେବ।
ପୁରୀରେ ପହଞ୍ଚେନ୍ତ କିଶୋରଙ୍କୁ ଅଠରନଳା ଠାରୁ ଭବ୍ୟ ଶୋଭାଯାତ୍ରାରେ ଏକ ଖୋଲା ଜିପ୍ରେ ବଡ଼ଦାଣ୍ଡ ଦେଇ ଶ୍ରୀମନ୍ଦିର ନିଆଯାଇଥିଲା। ସେଠାରେ ବହୁ ସେବାୟତ, କ୍ରୀଡ଼ାବିତ୍ ତାଙ୍କୁ ପାଛୋଟି ନେଇଥିଲେ। କିଶୋର ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଦୀପଦାନ କରିଥିଲେ। ମହାପ୍ରଭୁଙ୍କ ଦର୍ଶନ ସାରି ଫେରିବା ପରେ କିଶୋର କହିଛନ୍ତି, ବହୁଦିନରୁ ମହାପ୍ରଭୁଙ୍କ ଦର୍ଶନ କରି ନଥିଲି। ମହାପ୍ରଭୁଙ୍କ ଡୋରି ଲାଗିବା ପରେ ଆଜି ଦର୍ଶନର ସୌଭାଗ୍ୟ ମିଳିଛି। ଓଡ଼ିଶା କ୍ରୀଡ଼ାରେ ବହୁତ ଉନ୍ନତି କଲାଣି। ଆଗକୁ ଆହୁରି ଭଲ କ୍ରୀଡ଼ା ପ୍ରତିଭା ବି ଓଡ଼ିଶାରୁ ବାହାରି ଦେଶ ବିଦେଶରେ ସୁନାମ ଅର୍ଜିବେ। କିଶୋର କହିଛନ୍ତି ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ସେ ମୋତେ ସହଯୋଗର ହାତ ବଢ଼ାଇଛନ୍ତି। ଯାହା ଯେତେବେଳେ ବି ଅସୁବିଧା ହୁଏ, ଜଣାଇବାକୁ କହିଛନ୍ତି।
ଆସନ୍ତା ମାସଠାରୁ ପ୍ରଶିକ୍ଷଣ ଆରମ୍ଭ ହେବ ବୋଲି ସେ କହିଛନ୍ତି। ମହାପ୍ରଭୁଙ୍କ ଦର୍ଶନ ସାରି ଫେରିବା ପରେ ଗାଁ ମାଟିର ଯୁବକମାନେ ମଙ୍ଗଳାଘାଟ ଛକରୁ ବ୍ରହ୍ମଗିରି ପର୍ଯ୍ୟନ୍ତ କିଶୋରଙ୍କୁ ଶୋଭାଯାତ୍ରାରେ ପାଛୋଟି ନେଇଥିଲେ। ରେବଣାନୂଆଗାଁଠାରୁ ପାଇକ ଆଖଡ଼ା ପ୍ରଦର୍ଶନ ସହ କିଶୋରଙ୍କୁ ସ୍ବାଗତ କରାଯାଇଥିଲା। ବାଜା, ବାଣରେ ଅଞ୍ଚଳ କମ୍ପିଥିଲା। ବ୍ଲକ୍ ଛକରେ ପୂର୍ବତନ ବିଧାୟକ ସ୍ବର୍ଗତ ଗୋପବନ୍ଧୁ ପାତ୍ରଙ୍କ ପ୍ରତିମୂର୍ତ୍ତିରେ କିଶୋର ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ପ୍ରଭୁ ଅଲାରନାଥଙ୍କ ମନ୍ଦିର ଯାଇ ଦର୍ଶନ କରିଥିଲେ। ସେଠାରୁ ବ୍ରହ୍ମଗିରି ବଜାର ଦେଇ ନିଜ ଗାଁ କୋଠସାହିକୁ ଯାଇଥିଲେ। ବାପାମା’, ୭ ଭଉଣୀ ଓ ଅନ୍ୟ ପରିବାରବର୍ଗଙ୍କୁ ଭେଟି କିଶୋର ଖୁସିବ୍ୟକ୍ତ କରିଛନ୍ତି। କିଶୋର ପହଞ୍ଚିବା ପରେ ଗାଁରେ ବି ଉତ୍ସବର ପରିବେଶ ସୃଷ୍ଟି ହୋଇଛି। କିଶୋରଙ୍କ ମା' ହରପ୍ରିୟା ଜେନା କହିଛନ୍ତି, ‘‘୨ ବର୍ଷ ପରେ ଆଜି ପୁଅକୁ ଦେଖୁଛି। ଆଗକୁ ପୁଅ ଆହୁରି ଭଲ ଖେଳୁ, ଏହା ହିଁ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା।’’ ବାପା କେଶବ ଜେନା ପୁଅକୁ ଦେଖି ଭାବବିହ୍ବଳ ହୋଇ କାନ୍ଦି ପକାଇଥିଲେ। ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ବି କିଶୋରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, କିଶୋରଙ୍କ ସଫଳତା ଆଜି ବ୍ରହ୍ମଗିରି ଅଞ୍ଚଳର ପ୍ରତ୍ୟେକ ଯୁବିପିଢ଼ିକୁ ପ୍ରେରଣା ଦେଉଛି। କିଶୋରଙ୍କ ନାଁରେ ବ୍ରହ୍ମଗିରି କୋଠସାହିରେ ୧୦ ଲକ୍ଷ ଟଙ୍କା ବ୍ୟୟରେ କିଶୋର କ୍ଲବ ହେବ ବୋଲି ସେ କହିଛନ୍ତି।