କିଶୋର ମହାନ୍ତିଙ୍କ ପରଲୋକ

ଝାରସୁଗୁଡ଼ା : ବ୍ରଜରାଜନଗର ବିଧାୟକ ତଥା ପୂର୍ବତନ ବାଚସ୍ପତି କିଶୋର କୁମାର ମହାନ୍ତିଙ୍କ ଗୁରୁବାର ସନ୍ଧ୍ୟା ପ୍ରାୟ ସାଢ଼େ ୬ ଟାରେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ତାଙ୍କୁ ୬୩ ବର୍ଷ ହୋଇଥିଲା। ଗୁରୁବାର ସକାଳେ ସେ ତାଙ୍କ ନିର୍ବାଚନମଣ୍ଡଳୀ ବ୍ରଜରାଜନଗରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ଝାରସୁଗୁଡ଼ା ଫେରିଥିଲେ। ଝାରସୁଗୁଡ଼ାଠାରେ ଅପରାହ୍‌ଣରେ ପହଞ୍ଚିବା ପରେ ସନ୍ଧ୍ୟାରେ ଜଣେ ବିଜେଡି କର୍ମୀଙ୍କ ଶୋକସଭାରେ ଯୋଗଦାନ କରିଥିଲେ। ସଭାରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ମଧ୍ୟ ଉପସ୍ଥିତ ଥିଲେ। ସଭା ଚାଲିଥିବା ବେଳେ ହଠାତ୍‌ ସେ ଛାତିରେ ଯନ୍ତ୍ରଣା ଅନୁଭବ କରି ବେହୋସ ହୋଇଯାଇଥିଲେ। ବିଜେଡି କର୍ମୀମାନେ ପ୍ରଥମେ ତାଙ୍କ ଘରକୁ ନେଇଥିଲେ। ଅବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ନିକଟରେ ଥିବା ଜୈନ୍‌ ହସ୍‌ପିଟାଲକୁ  ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ହୋଇଯାଇଛି। ସ୍ବର୍ଗତ ମହାନ୍ତି ଜଣେ ଶାନ୍ତ ଓ ସରଳ ପ୍ରକୃତିର ନେତା ଭାବରେ ସମସ୍ତଙ୍କ ପ୍ରିୟଭାଜନ ହୋଇ ପାରିଥିଲେ। ତାଙ୍କ ବିୟୋଗ ଖବର ବିଜୁଳି ବେଗରେ ସବୁଆଡ଼େ ଖେଳିଯିବା ପରେ ହସ୍‌ପିଟାଲରେ ଲୋକଙ୍କ ଭିଡ଼ ଲାଗିଥିଲା। ସ୍ବର୍ଗତ ମହାନ୍ତିଙ୍କ ପତ୍ନୀ, ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ତାଙ୍କ ପାର୍ଥିବ ଶରୀର ମଙ୍ଗଳବଜାରସ୍ଥିତ ତାଙ୍କ ଘରେ ରଖାଯାଇଥିବାବେ‌େଳ ସେଠାରେ ପ୍ରବଳ ଜନଗହଳି ହୋଇଛି। ଭୁବନେଶ୍ବରରେ ଥିବା ତାଙ୍କ ସ୍ତ୍ରୀ, ପୁଅ ଓ ଝିଅ ଏକ ସ୍ବତନ୍ତ୍ର ବିମାନରେ ଝାରସୁଗୁଡ଼ା ଆସିବା ପରେ ଶୁକ୍ରବାର ଅନ୍ତିମ ସଂସ୍କାର କରାଯିବ ବୋଲି ସୂଚନା ରହିଛି।

ସ୍ବର୍ଗତ ମହାନ୍ତି କାଉନ୍‌ସିଲର ନିର୍ବାଚନରୁ ତାଙ୍କ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ଝାରସୁଗୁଡ଼ା ବିଧାନସଭା ଆସନରୁ ସେ ତିନିଥର ବିଧାୟକ ହୋଇଥିବା ବେଳେ ଏବେ ବ୍ରଜରାଜନଗର ବିଧାୟକ ଥିଲେ। ୧୯୮୪ ମସିହାରେ ସେ ୨୧ ନମ୍ବର ୱାର୍ଡରୁ କାଉନସିଲର ଭାବରେ ନିର୍ବାଚିତ ହୋଇଥିଲେ। ୧୯୯୦ ରେ ସେ ଜନତାଦଳ ଟିକଟରେ ଝାରସୁଗୁଡ଼ାରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୫ ରେ ପରାଜୟର ସମ୍ମୁଖୀନ ହୋଇଥିଲେ। ପୁନର୍ବାର ୨୦୦୦ ଓ ୨୦୦୪ ମସିହାରେ ସେ ଦୁଇଥର ବିଜେଡି ଟିକଟରେ ବିଧାୟକ ନିର୍ବାଚିତ ହୋଇଥିଲେ। ୨୦୦୯ରେ ସେ ପରାଜିତ ହେବା ପରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୪ରେ ସେ ପୁଣିଥରେ ପରାଜିତ ହେବା ପରେ ତାଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ କରାଯାଇଥିଲା। ୨୦୦୪ରୁ ୨୦୦୮ ପର୍ଯ୍ୟନ୍ତ ସେ ବିଜେଡିର ମୁଖ୍ୟ ସଚେତକ ଥିଲେ। ସ୍ବର୍ଗତ ମହାନ୍ତି କିଛି ବର୍ଷ ବିଧାନସଭାର ବାଚସ୍ପତି ମଧ୍ୟ ଥିଲେ। ୨୦୧୯ରେ ସେ ବ୍ରଜରାଜନଗରଠାରୁ ବିଜେଡି ବିଧାୟକ ଭାବରେ ନିର୍ବାଚିତ ହୋଇ ଏକାଧିକ ଗୃହ କମିଟିର ନେତୃତ୍ବ ନେଉଥିଲେ। ତାଙ୍କ ବିୟୋଗରେ ସାରା ରାଜ୍ୟରେ ଶୋକର ଛାୟା ଖେଳି ଯାଇଛି।

ସମ୍ବନ୍ଧିତ ଖବର