ଭୁବନେଶ୍ବର/ଝାରସୁଗୁଡ଼ା : ବହୁପ୍ରତୀକ୍ଷିତ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ଆଜି କଂଗ୍ରେସ ଏହାର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି | ପୂର୍ବତନ ବାଚସ୍ପତି ତଥା ପୂର୍ବତନ ମନ୍ତ୍ରୀ କିଶୋର ପଟେଲଙ୍କୁ କଂଗ୍ରେସ ପ୍ରାର୍ଥୀ ଭାବେ ଘୋଷଣା କରିଛି | ଏହାପୂର୍ବରୁ ଆଜି ବିଜେଡି ଏହାର ପ୍ରାର୍ଥୀ ଭାବେ ଅଳକା ମହାନ୍ତିଙ୍କ ନାମ ଘୋଷଣା କରିଥିଲା। ବ୍ରଜରାଜନଗରର ପୂର୍ବତନ ବିଧାୟକ କିଶୋର ମହାନ୍ତିଙ୍କ ବିଧବା ପତ୍ନୀ ହେଉଛନ୍ତି ଅଳକା ମହାନ୍ତି। ଏଣେ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଥିବା ନେଇ ଦଳ ପକ୍ଷରୁ ଘୋଷଣା ହୋଇଛି। ସେ ୨୦୧୪ରେ ବ୍ରଜରାଜନଗରରୁ ବିଜେପି ଟିକେଟରେ ନିର୍ବାଚନ ଜିତିଥିଲେ। କଂଗ୍ରେସ ପକ୍ଷରୁ ପୁରୁଖା ରାଜନେତା ଶ୍ରୀ ପଟେଲଙ୍କୁ ପ୍ରାର୍ଥୀ କରାଯାଇଥିବାରୁ ଲଢ଼େଇ ତ୍ରିମୁଖୀ ହେବ ବୋଲି କୁହ‌ାଯାଉଛି।

Advertisment

ରାଧାରାଣୀ ପଣ୍ଡାଙ୍କୁ ପ୍ରାର୍ଥୀ କରାଯିବା ନେଇ ଘୋଷଣା ହେବା ପରେ ବ୍ରଜରାଜନଗର ଉପନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା ଜୋରଦାର୍ ହେବ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଗତ ଡିସେମ୍ବର ମାସ ୩୦ ତାରିଖରେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ଆକସ୍ମିକ ବିୟୋଗ ପରେ ଏହି ଆସନ ଖାଲି ପଡ଼ିଛି।

ତେଣୁ ଆସନ୍ତା ୩୧ ତାରିଖରେ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ। ନିର୍ବାଚନ କମିସନଙ୍କ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଆସନ୍ତା ୪ ତାରିଖରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ମେ ୧୧ ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ କରିବାକୁ ପଡିବ। ମେ’ ୧୭ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଥିବାବେଳେ ମେ’ ୩୧ ତାରିଖରେ ଭୋଟଗ୍ରହଣ ହେବ। ଶେଷରେ ଜୁନ ୩ରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ।