ଚନ୍ଦ୍ରଶେଖରପୁର: କେନିୟାର ବିଶିଷ୍ଟ ସମାଜସେବୀ ତଥା ଫାଷ୍ଟ ଲେଡି ରାଚେଲ୍ ରାଚେଲ୍ ରୁଟୋଙ୍କୁ ଦ୍ୱାଦଶ କିସ୍ ହ୍ୟୁମାନିଟାରିଆନ୍ ସମ୍ମାନ-୨୦୨୨ ପ୍ରଦାନ କରାଯାଇଛି। ଆଜି ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଚେଲ୍ଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ। ଗ୍ରାମାଞ୍ଚଳ ମହିଳାଙ୍କୁ ଅର୍ଥନୈତିକ ଭାବେ ସଶକ୍ତ କରିବା ସହ ସେମାନଙ୍କ ଉତ୍ଥାନ ପାଇଁ ରାଚେଲ୍ କାର୍ଯ୍ୟ କରିବା ସହ ପରିବେଶ ଓ ଜଳବାୟୁ ସୁରକ୍ଷା ଉପରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ରାଚେଲ୍ଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ରାଜ୍ୟପାଳ ପ୍ରଫେସର ଲାଲ୍ କହିଲେ ଯେ ଏହି ସମ୍ମାନ ହେଉଛି ଏକ ସାଧାରଣ ଆତ୍ମା, ଏକ ବିଶୁଦ୍ଧ ଆତ୍ମାକୁ ଭଲ ପାଇବାର ନିଦର୍ଶନ।
କିଟ୍ ଓ କିସ୍ ପ୍ରତିଷ୍ଠାତା ଶ୍ରୀ ସାମନ୍ତ ସ୍ୱାଗତ ଅଭିଭାଷଣରେ କହିଥିଲେ ଯେ ଆମେ ଦୁଇଟି ଭିନ୍ନ ଦେଶର ଲୋକ ହୋଇଥିଲେ ମଧ୍ୟ ଆମର କାର୍ଯ୍ୟ ଆମଙ୍କୁ ଏକାଠି କରିପାରିଛି। କାର୍ଯ୍ୟକ୍ରମରେ କିଟ୍ ଓ କିସ୍ ସଭାପତି ଶାଶ୍ୱତୀ ବଳ, କିସ୍ ବିଶ୍ୱବିଦ୍ୟାଳୟ କୁଳାଧିପତି ସତ୍ୟ ଏସ୍ ତ୍ରିପାଠୀ, ଭାରତରେ ଅବସ୍ଥାପିତ କେନିୟା ଉଚ୍ଚାୟୁକ୍ତ ଉଇଲି କେ ବେଟ୍, କିଟ୍ ଓ କିସ୍ ଉପସଭାପତି ଉମାପଦ ବୋଷ, ସମ୍ପାଦକ ଆର ଏନ୍ ଦାଶଙ୍କ ସମେତ କେନିୟାର ୨୫ ଜଣିଆ ପ୍ରତିନିଧି ଦଳ ଓ କିଟ୍ ଓ କିସ୍ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।