କିସ୍‍ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବ: ସହନଶୀଳତା, କରୁଣା ଆମ ସଭ୍ୟତାର ମୂଳମନ୍ତ୍ର

​ଭୁବନେଶ୍ୱର : ଏକ ଭଲ ହୃଦୟ ଜଣେ ଭଲ ମଣିଷ ତିଆରି କରେ ବୋଲି ବିଶିଷ୍ଟ ବୌଦ୍ଧ ଧର୍ମଗୁରୁ ତଥା ରିପା ଅନ୍ତର୍ଜାତୀୟ କେନ୍ଦ୍ରର ଆଧ୍ୟାତ୍ମିକ ନିର୍ଦ୍ଦେଶକ ଗେତୃଲ୍‍ ଜିଗ୍‍ମେ ରିନ୍‍ପୋଚେ କହିଛନ୍ତି। ସୋମବାର କିସ୍‍ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବରେ ଦୀକ୍ଷାନ୍ତ ଭାଷଣ ଦେଇ ରିନ୍‍ପୋଚେ କହିଲେ, ମାନସିକ ବିକାଶ ସହ ଆମକୁ ଆମ ହୃଦୟର ବିକାଶ କରିବାକୁ ପଡ଼ିବ। ଅନ୍ୟକୁ ସାହାଯ୍ୟ କରିବା ହେଉଛି ପ୍ରକୃତ ଶିକ୍ଷା। ସହନଶୀଳତା, ସହହୃଦୟତା, ଦୟା, କରୁଣା ଓ ଏକାତ୍ମବୋଧ ହେଉଛି ଆମ ସଭ୍ୟତାର ମୂଳମନ୍ତ୍ର।

ଏହି ଅବସରରେ ପୁଣେସ୍ଥିତ ଗୋଖଲେ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ପଲିଟିକ୍‍ସ୍‍ ଆଣ୍ଡ ଇକୋନୋମିକ୍‍ସ୍‍ର କୁଳାଧିପତି ତଥା ନୀତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ରାଜୀବ କୁମାର, ୟୁଏନ୍‍ଏପିର ଗୁଡ଼୍‍ୱିଲ୍‍ ଆମ୍ବାସାଡର୍‌ ତଥା ସ୍ବିଜର୍‌ଲାଣ୍ଡସ୍ଥିତ ଜିଆଇଏସ୍‍ଟି ଆଡଭାଇଜରିର ପ୍ରତିଷ୍ଠାତା ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପବନ ଶୁଖଦେବ, ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଭାରତୀୟ ସଂଗୀତକାର ରିକି. ଜି. କେଜ୍‍ ଓ ଗ୍ରୀନ୍‍ ବେଲ୍ଟ ଏବଂ ରୋଡ଼୍‍ ଇନ୍‍ଷ୍ଟିଚ୍ୟୁଟ୍‍ର ସଭାପତି ଏରିକ୍‍ ସୋଲେମ୍‍ଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‌ ଡିଗ୍ରି ପ୍ରଦାନ କରାଯାଇଥିଲା।

ରାଜୀବ କୁମାର କହିଲେ, ଜନଜାତି ସମ୍ପ୍ରଦାୟର ପିଲାଙ୍କ ମଧ୍ୟରେ ଥିବା ମେଧା ଶକ୍ତି ଓ ସମ୍ଭାବନାକୁ ପରିପ୍ରକାଶ କରିବାରେ କିସ୍‍ର ପ୍ରୟାସ ପ୍ରଶଂସନୀୟ। ବର୍ତ୍ତମାନ ସମୟରେ ମାନବ ସମ୍ବଳ ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି ପବନ ଶୁଖଦେବ କହିଥିଲେ। ରିକି କେଜ୍‍ କହିଲେ, ଏବେ ବିଶ୍ୱ ଭୟଙ୍କର ପରିବେଶ ସମସ୍ୟାର ସମ୍ମୁଖୀନ ହେଉଛି। ଏଥିରେ କିଛି ପରିବର୍ତ୍ତନ ଆଣିବାକୁ ହେଲେ ଆମେ ନିଜେ ପରିବର୍ତ୍ତନ ହେବାକୁ ପଡ଼ିବ। ଭର୍ଚୁଆଲ୍‌ରେ ଯୋଗଦେଇ ସୋଲେମ୍‍ କହିଲେ, ମୁଁ ପୂର୍ବରୁ କିସ୍‍ ପରିଦର୍ଶନ କରିଛି। କିସ୍‌ରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଆଖିରେ ମୁଁ ମୋ’ ମାଆଙ୍କୁ ଦେଖିପାରିଥିଲି। ବିଶ୍ୱବିଦ୍ୟାଳୟର କୁଳାଧିପତି ସତ୍ୟ ଏସ୍‍. ତ୍ରିପାଠୀ କହିଲେ, ପୁରାତନ ଛାତ୍ରଛାତ୍ରୀଙ୍କ ଭଳି କିସ୍‍ର ଯେଉଁ ନିଃସ୍ୱାର୍ଥ ସେବା ପରମ୍ପରା ରହିଛି, ତାହାକୁ କାର୍ଯ୍ୟ କ୍ଷେତ୍ରରେ ଲଗାଇବାକୁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।

କାର୍ଯ୍ୟକ୍ରମରେ କିଟ୍‍ ଓ କିସ୍‍ ସଭାପତି ଶାଶ୍ୱତୀ ବଳ, ସମ୍ପାଦକ ଆର.ଏନ୍‍ ଦାଶ, କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତା ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଦୀପକ କୁମାର ବେହେରା ବିଶ୍ୱବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ କୁଳସଚିବ ପ୍ରଶାନ୍ତ କୁମାର ରାଉତରାୟ ଧନ୍ୟବାଦ ଦେଇଥିଲେ।

ଏହି ଅବସରରେ ୩ଜଣଙ୍କୁ ପିଏଚ୍‍ଡି ଡିଗ୍ରି ପ୍ରଦାନ କରାଯାଇଥିବା ବେଳେ ସ୍ନାତକୋତ୍ତରରେ ଉତ୍କର୍ଷ ପ୍ରତିପାଦିତ କରିଥିବା ୨ଛାତ୍ରଙ୍କୁ ପ୍ରତିଷ୍ଠାତା ସ୍ୱର୍ଣ୍ଣପଦକ, ୧୪ଜଣଙ୍କୁ କୁଳାଧିପତି ସ୍ୱର୍ଣ୍ଣପଦକ ଓ ୧୪ଜଣଙ୍କୁ କୁଳପତି ରୌପ୍ୟପଦକ ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର