ମଧ୍ୟାହ୍ନଭୋଜନକୁ ବ୍ୟବସ୍ଥିତ କରିବା ଲାଗି ପ୍ରୟାସ : ୮୭୮ ବିଦ୍ୟାଳୟରେ କିଚେନ୍ ଗାର୍ଡେନ୍

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଦିଗପହଣ୍ତି ବ୍ଲକ୍‌ ଖମାରି ଗାଁ ପଞ୍ଚାୟତର ନରେନ୍ଦ୍ରବାଲି ଗାଁ। ଏହି ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ସ˚ଖ୍ୟା ୨୦ ମଧ୍ୟରେ ସୀମିତ। ହେଲେ ଏଠାରେ ପଢୁଥିବା କୋମଳମତି ଛାତ୍ରଛାତ୍ରୀ ସେମାନଙ୍କ କୁନି ହାତରେ ବିଦ୍ୟାଳୟ ପରିସରରେ ସୃଷ୍ଟି କରିଛନ୍ତି କିଚେନ୍ ଗାର୍ଡେନ (ନ୍ୟୁଟ୍ରେସନ୍ ଗାର୍ଡେନ୍)। ଯିଏ ଯେଉଁ ଗଛ ଲଗାଇଛି ସେଥିରେ ତାଙ୍କର ନାମ ଲେଖାଯାଇଛି। ଆଉ ଏଠାରୁ ଉତ୍ପାଦିତ ଅମୃତଭଣ୍ଡା, କାଗିଜି ଲେମ୍ବୁ ଓ କଦଳୀ ଭଳି ଆଦି ପରିବାକୁ ପିଲାଙ୍କ ମଧ୍ୟାହ୍ନ ଭୋଜନ ରୋଷେଇରେ ବ୍ୟବହାର କରାଯାଉଛି। ମଧ୍ୟାହ୍ନ ଭୋଜନରେ ପୁଷ୍ଟିକର ସହ ପିଲାମାନେ ସୁଷମ ଖାଦ୍ୟ ଖାଉଛନ୍ତି। ମଧ୍ୟାହ୍ନଭୋଜନକୁ ବ୍ୟବସ୍ଥିତ କରିବା ଲାଗି କିଚେନ ଗାର୍ଡେନକୁ ଏକ ଅଭିନବ ପ୍ରୟାସ ବୋଲି କୁହାଯାଉଛି। ଏଭଳି ଭାବେ ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକର ୮୭୮ବିଦ୍ୟାଳୟରେ କିଚେନ୍ ଗାର୍ଡେନ୍ ସୃଷ୍ଟି କରାଯାଇଛି ବୋଲି ଜିଲ୍ଲା ଶିକ୍ଷାଧିକାରୀ ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କିଚେନ୍ ଗାର୍ଡେନ ନିର୍ମାଣ କରିବା ଲାଗି ଶିକ୍ଷକଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହିତ କରାଯାଉଛି। ବିଦ୍ୟାଳୟ ପରିସରରେ ଥିବା ଜମିରେ କମ୍ ଖର୍ଚ୍ଚରେ କଦଳୀ, ଅମୃତଭଣ୍ଡା, ବାଇଗଣ ଓ କାଗିଜି ଲେମ୍ବୁ ଆଦି ପନିପରିବା ରୋପଣ କରାଯାଉଛି। ଛାତ୍ରଛାତ୍ରୀ ଓ ଶିକ୍ଷକ, ଶିକ୍ଷୟିତ୍ରୀ ମିଳିତ ଭାବେ ପନିପରିବା ଲଗାଇବା ସହ ପ୍ରତ୍ୟହ ପାଣି ଦେବା ଆଦି କାର୍ଯ୍ୟ ସଂପାଦନ କରୁଛନ୍ତି।

ଆସିକା ବ୍ଲକର ୫୨ଟି ବିଦ୍ୟାଳୟରେ କିଚେନ୍ ଗାର୍ଡ ସୃଷ୍ଟି ହୋଇଥିବାବେଳେ ବେଗୁନିଆପଡାର ୫୬, ବେଲଗୁଣ୍ଠାର ୧୨, ଭଞ୍ଜନଗରର ୬୩, ବୁଗୁଡାର ୨୦ ଛତ୍ରପୁରର ୩୪ଟି, ଚିକିଟିର ୩୦ଟି, ଧରାକୋଟର ୩୨ଟି, ଦିଗପହଣ୍ତିର ୪୧ଟି, ଗଞ୍ଜାମର ୧୩ଟି, ହିଞ୍ଜିଳିକାଟୁର ୪୪ଟି, ଜଗନ୍ନାଥପ୍ରସାଦର ୧୨ଟି, କବିସୂର୍ଯ୍ୟନଗରର ୨୪ଟି, ଖଲ୍ଲିକୋଟର ୨୩ଟି, କୁକୁଡାଖଣ୍ତିର ୬୬ଟି, ପାତ୍ରପୁରର ୫୫ଟି, ପୋଲସରାର ୧୭ଟି, ପୁରୁଷୋତ୍ତମପୁରର ୧୨ଟି, ରଙ୍ଗେଇଲୁଣ୍ତାର ୫୭ଟି, ସାନଖେମୁଣ୍ତିର ୫୯ଟି, ଶେରଗଡର ୧୩୪ଟି ଏବ˚ ସୋରଡା ବ୍ଲକର ୨୨ଟି ସ୍କୁଲରେ କିଚେନ୍ ଗାର୍ଡେନ ସୃଷ୍ଟି କରାଯାଇଛି। ପିଲାମାନେ ମଧ୍ୟାହ୍ନଭୋଜନ ପାଇଁ ପରିବା ପାଇବା ସହିତ ସୁଷମ ଖାଦ୍ୟ ଖାଇପାରୁଛନ୍ତି। ଏଥିସହ ବିଦ୍ୟାଳୟ ପରିବେଶ ସବୁଜିମା ହୋଇପାରୁଛି। କିଚେନ୍ ଗାର୍ଡେନକୁ ଆହୁରି ଅଧିକ ସୁନ୍ଦର କରିବା ଲାଗି ‘ମୋ ସ୍କୁଲ’ କାର୍ଯ୍ୟକ୍ରମରେ ଏକାଧିକ ପ୍ରସ୍ତାବ ଆସିଛି। ଏହାକୁ ମଧ୍ୟ ରାଜ୍ୟ ସରକାରଙ୍କ ଅନୁମୋଦନ ମିଳିଛି। ଏଣିକି ଏହାକୁ ଅଧିକ ସୁନ୍ଦର କରାଯାଇପାରିବ ବୋଲି ଜିଲ୍ଲା ଶିକ୍ଷାଧିକାରୀ ସନାତନ ପଣ୍ଡା କହିଛନ୍ତି।

ସମ୍ବନ୍ଧିତ ଖବର