ବ୍ରଜରାଜନଗର : ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଓରିଏଣ୍ଟ ଥାନା ଅନ୍ତର୍ଗତ ହନୁମାନ ନଗରରେ ଭଗତ ସିଂଙ୍କ ଭଡ଼ା ଘରେ ଗୁରୁବାର ରନ୍ଧନ ଗ୍ୟାସ ସିଲିଣ୍ଡର ଫାଟି ଯାଇଥିଲା। ତେବେ ଏଥିରେ ଘରର ସମସ୍ତ ଜିନିଷପତ୍ର ଜଳି ଭସ୍ମୀଭୂତ ହୋଇଯାଇଛି।
ସୂଚନା ଅନୁସାରେ, ହନୁମାନ ନଗରର ଭଗତ ସିଂଙ୍କ ଘରେ ଗଣେଶ ପ୍ରଧାନ, ରଘୁବୀର ସିଂ ଓ ସତୀଶ ସିଂ ଭଡ଼ାରେ ରହନ୍ତି। ଗୁରୁବାର ସକାଳ ୭ଟାରେ ରଘୁବୀରଙ୍କ ସ୍ତ୍ରୀ ଆଳୁ ସିଝାଇବାକୁ ଗ୍ୟାସ ଜାଳିଥିଲେ। ତେବେ ଗ୍ୟାସ୍ ଲିକ୍ କାରଣରୁ ସିଲିଣ୍ଡରକୁ ନିଆଁ ଧରିଥିଲା। ସେ ଓଦା ଅଖା ପକାଇ ନିଆଁ ଲିଭାଇବାକୁ ଚେଷ୍ଟାକରି ବିଫଳ ହେବା ପରେ ସେଠାରେ ରହୁଥିବା ସମସ୍ତ ଭଡ଼ାଟିଆଙ୍କୁ ଘର ଖାଲି କରି ଚାଲିଯିବାକୁ କହି ସିଲିଣ୍ଡରକୁ ତଳକୁ ଠେଲି ଦେଇଥିଲେ। ଶେଷରେ ଗ୍ୟାସ ସିଲିଣ୍ଡର ଫାଟି ଯାଇଥିଲା। ତାଙ୍କ ଘରର ଆଜବେଷ୍ଟସ ଛାତ ଉଡ଼ିଯାଇଥିଲା। ଘରର ସମସ୍ତ ଜିନିଷ ପୋଡ଼ି ପାଉଁଶ ହୋଇଯାଇଛି। ଅନ୍ୟ ଘରର ଆଜବେଷ୍ଟସ ମଧ୍ୟ ଭାଙ୍ଗି ଯାଇଛି। କିନ୍ତୁ ଲୋକଙ୍କ ସଚେତନତା ଯୋଗୁ କେହି ମୃତାହତ ହୋଇନାହାନ୍ତି। ଏଥିରେ ପଡ଼ୋଶୀ ଘରର କାନ୍ଥରେ ବି ଫାଟ ସୃଷ୍ଟି ହୋଇଛି। ଖବରପାଇ ଓରିଏଣ୍ଟ ଥାନାର ଏସ୍ଆଇ ରଶ୍ମି ରଞ୍ଜନ ପରିଜା ଓ ସୁଶୀଲ ନେଟୀ ଘଟଣାସ୍ଥଳରେ ପହଞ୍ଚି ଆବଶ୍ୟକ ପଦକ୍ଷେପ ନେଇଥିଲେ।