ଫୁଲବଡ଼ି ତିଆରି ଘରେ ତାଲା : ହଜାର ହଜାର ମହିଳାଙ୍କ ରୋଜଗାର ବନ୍ଦ

କେନ୍ଦୁଝର : ଯେଉଁଠି ଶହଶହ ମହିଳାଙ୍କ ଗହଳି ଲାଗୁଥିଲା ଏବଂ ଦିନକୁ କୁଇଣ୍ଟାଲ କୁଇଣ୍ଟାଲ ଫୁଲବଡ଼ି ତିଆରି ‌ହେଉଥିଲା, ସେଇଠି ତାଲା ଝୁଲୁଛି। କରୋନା କଟକଣା ପାଇଁ କେନ୍ଦୁଝରର ସବୁଠୁ ବଡ଼ ଫୁଲ ବଡ଼ି ଉତ୍ପାଦନ କରୁଥିବା ‘ଶ୍ରୀମା ଉତ୍ପାଦକ ସଂଘରେ ଏବେ ତାଲା। କେହି ଏକାଠି ହୋଇପାରୁ ନାହାନ୍ତି କି ବଡ଼ି ତିଆରି କରିପାରୁ ନାହାନ୍ତି। ବଡ଼ି ତିଆରି କଲେ ବି ତାହାର ବିକ୍ରି ବ୍ୟବସ୍ଥା ନାହିଁ। ଏଭଳିସ୍ଥ‌ଳେ ଶତାଧିକ ମହିଳାଙ୍କର ରୋଜଗାର ବନ୍ଦ ହୋଇଯାଇଛି। ମାସକରୁ ଊର୍ଦ୍ଧ୍ବ ହେଲାଣି ଏମାନେ ହାତବାନ୍ଧି ବସିଛନ୍ତି।

କେନ୍ଦୁଝର ଜିଲ୍ଲାର ଫୁଲବଡ଼ି ସାରା ଭାରତରେ ପ୍ରସିଦ୍ଧ। ରାଜ୍ୟ ରାଜଧାନୀ ଭୁବନେଶ୍ବରଠୁ ଆରମ୍ଭ କରି ଦେଶ ରାଜଧାନୀ ଦିଲ୍ଲୀ ପର୍ଯ୍ୟନ୍ତ ଏସବୁ ଯାଇଥାଏ। ଗାଁ ଦୋକାନରୁ ଆରମ୍ଭ କରି ରିଲିଆନ୍ସ ଫ୍ରେସ ସବୁ ଜାଗାରେ କେନ୍ଦୁଝର ଫୁଲବଡ଼ି ବିକ୍ରି ହୋଇଥାଏ। ଏହାକୁ ନିଜର ଜୀବିକା କରି ହଜାରହଜାର ମହିଳା ନିଜର ପେଟ ପୋଷୁଛନ୍ତି। କେତେକେ ସ୍ଥାନରେ ସେମାନେ ନିଜ ଘରେ ରହି ତିଆରି କରି ବିକ୍ରି କରୁଛନ୍ତି। ଆଉ କିଛି ମହିଳା ସଂଘ କରି ବଡ଼ି ତିଆରି କରି ବିକ୍ରି କରିଥାନ୍ତି। ସଂପ୍ରତି କରୋନା କଟକଣା ପାଇଁ ମାସେ ହେବ ଫୁଲ ବଡ଼ି ତିଆରି ବନ୍ଦ ହୋଇଯାଇଛି। ଘରେ ତିଆରି କଲେ ବିକ୍ରି ହୋଇ ପାରୁନାହିଁ। ସାମୂହିକ ଭାବେ ଏକାଠି ବସି ତିଆରି କରିବାର ସୁଯୋଗ ନାହିଁ। ଏହି ମହିଳାମାନଙ୍କର ରୋଜଗାର ବନ୍ଦ ହୋଇଯାଇଛି। ୨୦୦୮ରେ କେନ୍ଦୁଝର ସଦର ବ୍ଲକର ଡିମ୍ବୋ ପଞ୍ଚାୟତ ତେନ୍ତୁଳିନଣ୍ଡା ଗ୍ରାମରେ ଶ୍ରୀମା ଉତ୍ପାଦକ ସଂଘ ପ୍ରତିଷ୍ଠା ହୋଇଥିଲା। ଏଥିରେ ତେନ୍ତୁଳିନଣ୍ଡା ଓ ଡିମ୍ବୋର ୧୨ଟି ମହିଳା ସ୍ବୟଂସହାୟକ ଗୋଷ୍ଠୀ ସାମିଲ ହୋଇଥିଲେ। ପ୍ରତି ମହିଳା ସମିତିରେ ସର୍ବନିମ୍ନ ୧୦ ଜଣଲେଖାଏଁ ସଦସ୍ୟା ଓ ଉତ୍ପାଦକ ସଂଘରେ ମୋଟ ୧୨୦ ସଦସ୍ୟା ରହିଛନ୍ତି। ସେମାନେ ସକାଳୁ ଘର କାମ ରୋଷେଇବାସ ସାରି ଫୁଲବଡ଼ି ତିଆରି ଗୃହକୁ ଯାଇଥାନ୍ତି। ସେଠାରେ ସମସ୍ତେ ମିଳି ଭାବେ ବଡ଼ି ତିଆରି କରିଥାନ୍ତି। ନିଜସ୍ବ ହପାଜତରେ ଶୁଖାଇବା ପରେ ସେଠାରେ ଜମା କରିଥାନ୍ତି। ଓର୍‌ମାସ ସହାୟତାରେ ରାଜ୍ୟର ବିଭିନ୍ନ ସ୍ଥାନରେ ପଡ଼ୁଥିବା ପଲ୍ଲିଶ୍ରୀ ମେଳା, ଶିଶିର ସରସ, ଜିଲ୍ଲା ମହୋତ୍ସବକୁ ବିକ୍ରି ପାଇଁ ପଠାଇଥାନ୍ତି। ଖାଲି ସେତିକି ନୁହେଁ, ରିଲିଆନ୍ସ ଫ୍ରେସ ସହିତ ଚୁକ୍ତି କରି କିଛି ବର୍ଷ ହେବ ତାହା ଯୋଗାଇ ଦିଆଯାଉଥିଲା। ଏକ ହିସାବ ଅନୁସାରେ, ଦୈନିକ ଗୋଟିଏ ମହିଳା ସମିତି ପକ୍ଷରୁ ସର୍ବନିମ୍ନ ୩୦ କିଲୋ ଫୁଲବଡ଼ି ତିଆରି କରିଥାନ୍ତି। ଏହି ଅନୁସାରେ, ପ୍ରତିଦିନ ୩ କୁଇଣ୍ଟାଲରୁ ଅଧିକ ପ୍ରସ୍ତୁତ କରିଥାନ୍ତି। ଏହାକୁ ସେମାନେ କେନ୍ଦୁଝରରେ ଆୟୋଜିତ ହେଉଥିବା ଗୋନାସିକା ମହୋତ୍ସବ, ଯାଜପୁରର ଯଯାତି ମହୋତ୍ସବ, ମଣ୍ଡେଇ ମହୋତ୍ସବ, ଚଇତି ମହୋତ୍ସବ, ଶିଶିର ସରସ ଓ ବିଭିନ୍ନ ଜିଲ୍ଲାସ୍ତରରେ ଆୟୋଜିତ ପଲ୍ଲିଶ୍ରୀ ମେଳାକୁ ନେଇଥାନ୍ତି। ଓର୍‌ମାସ୍‌ ଏମାନଙ୍କ ପାଖରୁ ବଡ଼ି ନେଇ ଦିଲ୍ଲୀ, ମୁମ୍ବାଇ, ବାଙ୍ଗାଲୋର ଆଦି ଦେଶର ବିଭିନ୍ନ ସ୍ଥାନକୁ ପଠାଇଥାନ୍ତି। ଏହାଦ୍ବାରା ଜଣେ ମହିଳା ମାସକୁ ସର୍ବନିମ୍ନ ୨ ହଜାର ଟଙ୍କାରୁ ଆରମ୍ଭ କରି ପ୍ରାୟ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିଥାନ୍ତି। ଯିଏ ଯେତିକି ପରିମାଣର ବଡ଼ି ତିଆରି କରିବ, ସେତିକି ଅଧିକ ଟଙ୍କା ରୋଜଗାର କରିଥାଏ। ସରକାରୀ ନିର୍ଦ୍ଧାରିତ ନିୟମ ସାମାଜିକ ଦୂରତା ରକ୍ଷା ଲାଗି କେହି ମହିଳା ଏହି କେନ୍ଦ୍ରକୁ ଆସୁ ନାହାନ୍ତି। ଏବେ ଘର ଚଳିବା କଷ୍ଟକର ‌ହୋଇ ପଡୁଛି।

ଶ୍ରୀମା ଉତ୍ପାଦକ ସଂଘର ସଦସ୍ୟ ଅନ୍ନପୂର୍ଣ୍ଣା ସାହୁ କହିଛନ୍ତି, ‘କରୋନା କଟକଣା ପାଇଁ ସଂଘରେ ଆମେ ଏକାଠି ହେଉନାହୁଁ। କରୋନା କଟକଣା ହଟିଲେ ଫୁଲ ବଡ଼ି ତିଆରି କରିବୁ। ସଂଘର ଅନ୍ୟତମ ସଦସ୍ୟ ଚମ୍ପାମଣି ସାହୁ କହିଛନ୍ତି, କରୋନା କଟକଣା ପାଇଁ ଆମ ଭଳି ଗରିବ ଲୋକଙ୍କର ଚଳିବାରେ ସମସ୍ୟା ହେଉଛି। ପ୍ରତି ମାସରେ ଯେଉଁ ରୋଜଗାର ହେଉଥିଲା, ତାହା ହେଉନାହିଁ।

ସମ୍ବନ୍ଧିତ ଖବର