୫ ଦିନରେ ଗଲାଣି ୨ ଜୀବନ
ଆହୁରି ଖଞ୍ଜିଛନ୍ତି ଲ୍ୟାଣ୍ଡମାଇନ୍‌
ଟେର୍ ପାଉନି କି ଗୁଇନ୍ଦା?

Advertisment

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନକୁ ଆଉ ମାତ୍ର କିଛିଦିନ ବାକି ଥିବା ବେଳେ ରକ୍ତମୁଖା ହୋଇପଡ଼ିଛନ୍ତି ମାଓବାଦୀ। କେକେବିଏନ୍(କଳାହାଣ୍ଡି-କନ୍ଧମାଳ-ବୌଦ୍ଧ-ନୟାଗଡ଼) ଡିଭିଜନ୍ ଗୋଟିଏ ପରେ ଗୋଟିଏ ହିଂସାକାଣ୍ଡ ଘଟାଇ ଚାଲିଛନ୍ତି। ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୫ ଦିନ ଭିତରେ ଜଣେ ସାମ୍ବାଦିକ ଓ ଜଣେ ସାଧାରଣ ଯୁବକଙ୍କ ଜୀବନ ଯିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। କେକେବିଏନ୍ ଡିଭିଜନ୍ ଏକାଧିକ ଜାଗାରେ ପୋଷ୍ଟର ଓ ବ୍ୟାନର ଲଗାଇବା ସହ ଲ୍ୟାଣ୍ଡମାଇନ୍ ଖଞ୍ଜିଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଆଗକୁ ଆହୁରି ଅଘଟଣ ଘଟିବା ଆଶଙ୍କା ରହିଛି। ସବୁଠୁ ବଡ଼ କଥା ହେଲା ବୁଧବାର ଦିନ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା କିଆମୁଣ୍ଡାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ପୂର୍ବରୁ ଗତକାଲି ରାସ୍ତା କାମରେ ନିୟୋଜିତ ଥିବା ଦୁଇଟି ଜେସିବି ମେସିନ୍ ପୋଡ଼ି ସେମାନଙ୍କ ଉପସ୍ଥିତି ଜାହିର କରିଥିଲେ। କିନ୍ତୁ ସୁରକ୍ଷାକର୍ମୀ, ପୁଲିସ ନ ପହଞ୍ଚିବା ଦୁର୍ଭାଗ୍ୟଜନକ ଘଟଣା। ଯାହା ଫଳରେ ବୁଧବାର ଦିନ ବିସ୍ଫୋରଣରେ ଆଉ ଜଣଙ୍କ ଜୀବନ ଗଲା ବୋଲି କୁହାଯାଉଛି। ରକ୍ତମୁଖା ହୋଇ ପଡ଼ିଥିବା ମାଓବାଦୀ ଏଥର ସୁରକ୍ଷାକର୍ମୀ ନୁହନ୍ତି ବରଂ ସାଧାରଣ ଲୋକଙ୍କୁ ଟାର୍ଗେଟ୍ କରି ନିଜର ଉପସ୍ଥିତି ଜାହିର କରିଛନ୍ତି। ଯିଏ ଜାଲରେ ପଡ଼ିବ ତା’ର ଜୀବନ ଯିବ ବୋଲି ସ୍ପଷ୍ଟ ହୋଇଯାଇଛି।

ପଞ୍ଚାୟତ ନିର୍ବାଚନ ଭୋଟ ବର୍ଜନ ଦାବି କରି କେକେବିଏନ୍ ସଂଗଠନ ବିଭିନ୍ନ ସ୍ଥାନରେ ପୋଷ୍ଟର, ବ୍ୟାନର ଲଗାଇଛି। ବିଶେଷ କରି କନ୍ଧମାଳ ଓ ନୟାଗଡ଼ରେ ଆତଙ୍କ ଜାରି ରଖିଛନ୍ତି। ଯେଉଁଠି ପୋଷ୍ଟର, ବ୍ୟାନର ରହିଛି ସେଠାରେ ଲ୍ୟାଣ୍ଡମାଇନ ଖଞ୍ଜା ଯାଇଥିବା ଜଣାପଡ଼ିଛି। ଯେଉଁ ଦୁଇଟି ବିସ୍ଫୋରଣ ଘଟିଛି ତାହା ପ୍ରେସର ବୋମା ବୋଲି ଜଣାପଡ଼ିଛି। ପାଦ ପଡ଼ୁ ପଡ଼ୁ ବିସ୍ଫୋରଣ ହେବ। ତେଣୁ ପାଦେ ପାଦେ ବିପଦ ବୋଲି ଆଶଙ୍କା ଦେଖାଦେଇଛି। କେକେବିଏନ୍ ସଂଗଠନ ସକ୍ରିୟ ହୋଇ ନିଜର କାୟା ବିସ୍ତାର କରିବା ଘଟଣା ଗୁଇନ୍ଦା ଜାଣିପାରିଲା ନାହିଁ କେମିତି? ନିର୍ବାଚନ ପରିଚାଳନା ଓ ସୁରକ୍ଷାରେ ପୁଲିସ ବ୍ୟସ୍ତ ଥିବାର ସୁଯୋଗ ନେଇ ସକ୍ରିୟ ହୋଇଗଲା କି କେକେବିଏନ୍ ସଂଗଠନ?

publive-image

କୋରାପୁଟ, ମାଲକାନଗିରି ଅପେକ୍ଷା ଏବେ କେକେବିଏନ୍ ସଂଗଠନ ଅଧିକ ସକ୍ରିୟ ରହି ଆତଙ୍କ ଖେଳାଇ ଚାଲିଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦୁର୍ଦ୍ଦାନ୍ତ ମାଓନେତା ଜମ୍ପାନାର ଆତ୍ମସମର୍ପଣ ପରେ ବାଦଲ କେକେବିଏନ୍ ଡିଭିଜନକୁ ସମ୍ଭାଳିଥିଲା। ସେହି ସମୟରେ ଚଲପତି ଓରଫ୍ ରାମଚନ୍ଦ୍ର ରେଡ୍ଡୀ ଓରଫ୍ ପ୍ରତାପ ରେଡ୍ଡୀ ଓରଫ୍ ଆପ୍ପା ରାଓ ଓରଫ୍ ରବି ଓରଫ୍ ଜୟ କାମ କରୁଥିଲା। ଚଲପତି ମାଓ ସଂଗଠନରେ ଯୋଗ ଦେବା ପରେ ଆନ୍ଧ୍ର ଓଡ଼ିଶା ବର୍ଡର(ଏଓବି) ରାଜ୍ୟ କମିଟି ସଦସ୍ୟ ଥିଲା। ମାଲକାନଗିରି, କୋରାପୁଟ, ପୂର୍ବ ଗୋଦାବରୀରେ କାମ କରୁଥିଲା। ୨୦୧୯ରେ ଛତିଶଗଡ଼କୁ ଯାଇଥିଲା। ୨୦୨୧ରେ ସେଣ୍ଟ୍ରାଲ କମିଟି ସଦସ୍ୟକୁ ପଦୋନ୍ନତି ପାଇବା ପରେ କେକେବିଏନ୍ ଡିଭିଜନ ଦାୟିତ୍ବରେ ରହିଛି। ବାଦଲର ଏନକାଉଣ୍ଟର ପରେ ଚଲପତି ଏବେ ଡିଭିଜନର ନେତୃତ୍ବ ନେଉଛି। ନିଜର ସଂଗଠନକୁ ମଜଭୁତ କରିବା ସହ ଦୁର୍ଦ୍ଦାନ୍ତ ପାଲଟି ଯାଇଛି। ୫୦ରୁ ଅଧିକ ସଦସ୍ୟ ତା’ର କୋର୍ କମିଟିରେ ରହିଛନ୍ତି। ଏମାନଙ୍କୁ ଧରି ସେ ତା’ର ଅପରେସନ୍ ଜାରି ରଖିଛି।

ଉଲ୍ଲେଖଯୋଗ୍ୟ, ଗତ ଜୁଲାଇରେ କନ୍ଧମା​ଳର ଗୋଛାପଡ଼ାରେ କମ୍ବିଂ ଅପରେସନ୍ ଚାଲିଥିବା ବେଳେ ସୁରକ୍ଷାକର୍ମୀଙ୍କ ଉପରକୁ ଅତର୍କିତ ଆକ୍ରମଣ କରା ଯାଇଥିଲା। ଯେଉଁଥିରେ ଦୁଇ ଜଣ ଯବାନ ଗୁରୁତର ହୋଇଥିଲେ।

ସେହିପରି ଦୁଇ ଦୁଇଟି ହିଂସାକାଣ୍ଡ ପରେ କନ୍ଧମାଳ, କଳାହାଣ୍ଡିରେ ମାଓ ଅପରେସନକୁ ଜୋରଦାର କରାଯାଇଛି। ଏସ୍ଓଜି, ଡିଭିଏଫ୍ ସହ ସିଆରପିଏଫ୍ ସାମିଲ ହୋଇଛନ୍ତି। ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। କିନ୍ତୁ ଲ୍ୟାଣ୍ଡମାଇନ୍ ବିଛା ଯାଇଥିବା ବେଳେ ଅପରେସନରେ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି।