କେଏମ୍‌ବିବି କଲେଜକୁ ଗବେଷଣା ପାଇଁ ଅନୁଦାନ ମିଳିଲା

ଭୁବନେଶ୍ବର : ସମ୍ୱାଦ ଓ ଆମ ଓଡ଼ିଶା ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ପ୍ରତିଷ୍ଠିତ କେଏମ୍‌ବିବି କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ଏକ ସମ୍ମାନଜନକ ଅନୁଦାନ ପାଇଁ ମନୋନୀତ ହୋଇଛି। ନ୍ୟାସନାଲ ଟେକ୍ନିକାଲ୍ ଟେକ୍ସଟାଇଲ୍ ମିସନ୍ (ଏନ୍‌ଟିଟିଏମ୍‌) ଦ୍ବାରା ଏହି ଅନୁଦାନ ଭାରତରେ ବୈଷୟିକ ତନ୍ତୁ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ସରକାରଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା। ଏନ୍‌ଆଇଟି ପୁଡୁଚେରୀର ପ୍ରଫେସର ଭି ଆର ଏସ୍ ମାଡାପ୍ପାଙ୍କ ନେତୃତ୍ୱରେ ବିଟ୍‌ସ ପିଲାନିର ପ୍ରଫେସର ସମସେର୍‌ ସିଂ ଏବଂ କେଏମ୍‌ବିବିର ପ୍ରଫେସର ଧନଦା ମିଶ୍ର, ନିର୍ଦ୍ଦେଶକ (ଏକାଡେମିକ୍ସ)ଙ୍କୁ ନେଇ ଏହି ଗବେଷଣା ଦଳ ଗଠିତ। ଡ ମିଶ୍ର ବର୍ତ୍ତମାନ ସେବାଟିକାଲ ଛୁଟିରେ ହଂକଂରେ କାର୍ଯ୍ୟରତ ଅଛନ୍ତି।


ଉଚ୍ଚ ଚାପ ବିରୋଧୀ ନିର୍ମାଣ ପାଇଁ ପଲିଏଥିଲିନ୍‌ ତନ୍ତୁ ସମ୍ବଳିତ ଇଞ୍ଜିନିୟର୍ଡ ସିମେଣ୍ଟ କମ୍ପୋଜିଟ୍ସ (ପିଇ-ଇସିସି) ନାମକ ଏହି ଅନୁସନ୍ଧାନ ପ୍ରକଳ୍ପ ଦେଶରେ ଉନ୍ନତ ପଲିଏଥିଲିନ୍‌ ଫାଇବର ଉତ୍ପାଦନକୁ ଉତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ। ଫାଇବରର ଏକ ପ୍ରମୁଖ ପ୍ରୟୋଗ ହେଉଛି ସିମେଣ୍ଟ କମ୍ପୋଜିଟ୍ ଯାହା ଭୂକମ୍ପ-ପ୍ରତିରୋଧକ ନିର୍ମାଣରେ ଅତ୍ୟନ୍ତ ଉପଯୋଗୀ। ଏହିପରି ଇଞ୍ଜିନିୟର୍ଡ ସିମେଣ୍ଟ କମ୍ପୋଜିଟ୍ କିମ୍ବା ଇସିସିରେ ଗବେଷଣା ଆମେରିକା, ଚୀନ୍ ଏବଂ ଜାପାନ ପରି ଦେଶରେ ବହୁଳ ମାତ୍ରାରେ ହେଉଥିବାବେଳେ ଭାରତରେ ଏହା ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି। ଗବେଷଣାର ପ୍ରସ୍ତାବ ଭୂକମ୍ପ-ପ୍ରତିରୋଧକ ନିର୍ମାଣ କ୍ଷେତ୍ରରେ ପ୍ରୟୋଗଗୁଡିକୁ ଚିହ୍ନଟ ଓ ପ୍ରମାଣିତ କରି ବର୍ତମାନ ବହୁ ଅଧିକ ମୂଲ୍ୟରେ ଆମଦାନି ହେଉଥିବା ଫାଇବରର ମୂଲ୍ୟ ହ୍ରାସ କରିବାକୁ ସ୍ଥାନୀୟ ଉତ୍ପାଦନକୁ ଉତ୍ସାହିତ କରିବ। ଅନୁସନ୍ଧାନ ପ୍ରକଳ୍ପର ଏକ ଗୁରୁତ୍ୱପୂର୍ଣ ଅଂଶ ଯେପରିକି ଇସିସିର ଡିଜାଇନ୍ ଏବଂ ପରୀକ୍ଷା କେଏମ୍‌ବିବି କଲେଜରେ କରାଯିବ। ଏହି ପ୍ରକଳ୍ପ ୩ ବର୍ଷ ପାଇଁ ଗୃହୀତ ହୋଇଛି ଏବଂ ଏଥିରେ ୭୩ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏହି ସଫଳତା ପାଇଁ ସମ୍ବାଦ ଓ ଆମ ଓଡ଼ିଶା ଟ୍ରଷ୍ଟର ଚେୟାରମ୍ୟାନ୍ ସୌମ୍ୟରଂଜନ ପଟ୍ଟନାୟକ ଗବେଷଣାକାରୀ ଦଳକୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର