ସମ୍ବଲପୁର : କ୍ଷେତରାଜପୁର ଥାନା ସାହେବବଙ୍ଗଲା ପଡ଼ାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ପ୍ରାଣାନ୍ତକ ଆକ୍ରମଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣାରେ ସେହି ପଡ଼ାର ରାଜୁ ଛଚାନ୍(୨୩) ଗୁରୁତର ଆହତ ହୋଇଥିବା ସମୟରେ ତାଙ୍କ କାନ ଓ ଜଂଘରେ କ୍ଷତ ସୃଷ୍ଟି ହୋଇଛି। ଏନେଇ ଅଭିଯୋଗ ହେବା ପରେ କ୍ଷେତରାଜପୁର ପୁଲିସ୍ ଏକ ମାମଲା ରୁଜୁ କରି ବଙ୍ଗାଳିପଡ଼ାର ରବି ଦେବନାଥ ଓରଫ ଡାଙ୍ଗା ଏବଂ ୨ ସହଯୋଗୀ ମଣ୍ଟୁ ଓ ପ୍ରମୋଦକୁ ଗିରଫ କରିଛି। ଅଭିଯୁକ୍ତଙ୍କ ନିକଟରୁ ଆକ୍ରମଣରେ ବ୍ୟବହୃତ ଛୁରୀ ଜବତ ହୋଇଛି।
ମିଳିଥିବା ସୂଚନା ଅନୁସାରେ, ରାଜୁ ଓ ଡାଙ୍ଗା ମଧ୍ୟରେ ପୂର୍ବରୁ ତିକ୍ତତା ଲାଗି ରହିଥିଲା। ତେବେ ଗୁରୁବାର ସନ୍ଧ୍ୟାରେ ରାଜୁ ତା’ର ସାଙ୍ଗ ହିମାଂଶୁ ପଡ଼ାରେ ଛିଡ଼ା ହୋଇଥିବା ସମୟରେ ଡାଙ୍ଗା, ମଣ୍ଟୁ ଓ ପ୍ରମୋଦ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ସମୟରେ କୌଣସି କଥାକୁ ନେଇ ଡାଙ୍ଗା ଓ ରାଜୁ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଡାଙ୍ଗା ଓ ତା’ର ୨ ସହଯୋଗୀ ଛୁରୀରେ ସଂଘବଦ୍ଧ ଭାବେ ରାଜୁକୁ ଆକ୍ରମଣ କରିଥିଲେ। ରାଜକୁ ବଞ୍ଚାଇବାକୁ ଯାଇ ହିମାଂଶୁ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ରାଜୁକୁ ଉଦ୍ଧାର କରାଯାଇ ବୁର୍ଲା ବଡ଼ ଡାକ୍ତରଖାନାକୁ ପଠାଇଦିଆଯାଇଛି।