କଟକ/ଫୁଲନଖରା: ବଳପୂର୍ବକ ଜଣେ ଡିପ୍ଲୋମା ଛାତ୍ରୀଙ୍କ ସହିତ ଯୌନ ସମ୍ପର୍କ ରଖୁଥିବା ଯୁବକ ଶେଷରେ ରାଜରାସ୍ତାରେ ଉନ୍ମତ୍ତକାଣ୍ଡ ଘଟାଇଛି। ଆଉ ସମ୍ପର୍କ ରଖିବାକୁ ରାଜି ନହେବାରୁ ରାସ୍ତାରେ ଛାତ୍ରୀଙ୍କୁ ଛୁରୀ ଭୁସି ହତ୍ୟା ଉଦ୍ୟମ କରିବା ଘଟଣା କଟକ ପ୍ରତାପନଗରୀ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଅଭିଯୁକ୍ତ ଯୁବକ ଫେରାର ହୋଇଯାଇଥିବା ବେଳେ ସଦର ଥାନା ପୁଲିସ ତାକୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଛି।
ସୂଚନା ଅନୁଯାୟୀ, ସଦର ଥାନା ଅନ୍ତର୍ଗତ ପ୍ରତାପନଗରୀ ଅଞ୍ଚଳର ୨୦ ବର୍ଷୀୟ ସତ୍ୟରଂଜନ ବେହେରା ଓରଫ ଅମିତ ସେହି ଅଞ୍ଚଳର ଜଣେ ୧୯ ବର୍ଷୀୟା ଡିପ୍ଲୋମା ଛାତ୍ରୀଙ୍କ ସହିତ ଗଲା ୨୦୧୯ରୁ ଏକତରଫା ପ୍ରେମ ସମ୍ପର୍କ ଯୋଡ଼ିଥିଲା। ଛାତ୍ରୀ ଜଣକ କଲେଜ ଯିବା ରାସ୍ତାରେ ତାଙ୍କୁ ଅନେକ ସମୟରେ ଅମିତ ହଇରାଣ କରି ଆସୁଥିଲା। ଏତଲାରେ ଉଲ୍ଲେଖ ଥିବା ଅଭିଯୋଗ ଅନୁଯାୟୀ, ମଙ୍ଗଳବାର ଦିନ ବାଦାମବାଡ଼ିରେ ଏକ କମ୍ପ୍ୟୁଟର ସେଣ୍ଟରରୁ ଟ୍ରେନିଂ ସାରି ଛାତ୍ରୀ ଜଣକ ଏକୁଟିଆ ବସ୍ରେ ଘରକୁ ଫେରୁଥିଲେ। ପ୍ରତାପନଗରୀ ନିକଟରେ ଦିନ ପ୍ରାୟ ୨ଟା ବେଳେ ବସରୁ ଓହ୍ଲାଇ ଘରକୁ ଚାଲିଚାଲି ଯାଉଥିଲେ। ସତ୍ୟରଂଜନ ଏକ ବୁଲେଟ୍ ଧରି ସିନେମା ଶୈଳୀରେ ତାଙ୍କ ନିକଟରେ ପହଞ୍ଚି ଥିଲା। ତାଙ୍କ ସାମ୍ନାରେ ବୁଲେଟ୍ ବୁଲାଇ ଧମକ ଦେଇଥିଲା। ରାସ୍ତାରେ ତାଙ୍କ ପୋଷାକ ଟଣାଘୋଷରା କରିବା ସହିତ ଅସଦାଚରଣ କରିଥିଲା। ସେ ଏହାର ପ୍ରତିବାଦ କରିବାରୁ ତାଙ୍କ ବେକକୁ ଲକ୍ଷ୍ୟ କରି ଛୁରା ମାଡ଼ କରିଥିଲା। ଛାତ୍ରୀ ତାଙ୍କ ଡାହାଣ ହାତ ଦେଖାଇ ଦେବାରୁ କହୁଣୀ ତଳେ ଗଭୀର କ୍ଷତ ଚିହ୍ନ ସୃଷ୍ଟି ହୋଇଛି। ପୁଣି ଛାତ୍ରୀଙ୍କ ପେଟରେ ଛୁରୀ ଭୁସିବାକୁ ଉଦ୍ୟମ କରିବାରୁ ଛାତ୍ରୀ ଜଣକ ବୁଲିଯାଇଥିଲେ। ଏହାପରେ ଆଉ ଏକ ଚୋଟ ତାଙ୍କ ଜଂଘରେ ବାଜିଥିଲା। ଛାତ୍ରୀ ଜଣକ ଜୀବନ ବିକଳରେ ଚିତ୍କାର କରିବାରୁ ଅମିତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।
ସେ ଆହୁରି ଅଭିଯୋଗ କରିଛନ୍ତି ଯେ ଅମିତ ବିବାହର ମିଛ ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ବଳପୂର୍ବକ ଶାରୀରିକ ସମ୍ପର୍କ ରଖିବା ସହିତ ଅଶ୍ଳୀଳ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ କରିଦେବା ନେଇ ବିଭିନ୍ନ ସମୟରେ ଧମକ ଦେଇ ଆସୁଥିଲା। ତାଙ୍କ ସହିତ ଶାରୀରିକ ସମ୍ପର୍କ ନରଖିବାରୁ ମଙ୍ଗଳବାର ଏଭଳି କାଣ୍ଡ ଘଟାଇଥିଲା। ଅମିତ ନିକଟରୁ ଭିଡିଓ ଜବତ କରି ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଏତଲାରେ ଦର୍ଶାଇଛନ୍ତି।
ସଦର ଥାନା ପୁଲିସ ଅମିତ ବିରୋଧରେ ଏକ ମାମଲା ରୁଜୁ କରିଥିବା ବେଳେ ତାକୁ ଗିରଫ କରିବା ପାଇଁ ଉଦ୍ୟମ କରୁଛି। ଅନ୍ୟପଟେ ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ ମହୀଧରପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଡିସିପି ପିନାକ୍ ମିଶ୍ରଙ୍କ କହିବା ଅନୁଯାୟୀ, ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଥିବା ବେଳେ ଖୁବ୍ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ।