ଝାରସୁଗୁଡ଼ା: ଝାରସୁଗୁଡ଼ା ଜେଲ୍‌ ପରିସରରେ ଚାଲିଥିବା ଅନୈତିକ କାରବାର ନେଇ ‘ସମ୍ବାଦ’ରେ ସିରିଜ୍‌ ଖବର ପ୍ରକାଶ ପାଇଥିଲା। ଗତକାଲି ଏସ୍‌ପି ନିଜେ ଚଢ଼ାଉ କରି ଜେଲ୍‌ରୁ ଆପତ୍ତିଜନକ ସାମଗ୍ରୀ ଜବତ କରିଥିଲେ। ତେବେ ଏହି ଘଟଣା ପୂର୍ବରୁ ଜେଲ୍‌ ପରିସରରେ କଏଦୀଙ୍କ ମଧ୍ୟରେ ଏକ ବଡ଼ଧରଣର ଖଣ୍ଡଯୁଦ୍ଧ ହୋଇଥିବା ଘଟଣା ସାମ୍‌ନାକୁ ଆସିଛି। ଏଥିରେ ବିଚାରାଧୀନ କଏଦୀ ପଶ୍ଚିମବଙ୍ଗର ରୋହିତ ବର୍ମା (୨୨) ଗୁରୁତର ଆହତ ହୋଇଥିବା ବେଳେ ତାଙ୍କ ମୁଣ୍ଡ ଓ ମୁହଁରେ ଆଘାତ ଲାଗିଛି। ରୋହିତଙ୍କୁ ଜେଲ୍‌ କର୍ତ୍ତୃପକ୍ଷ ଉଦ୍ଧାର କରି ଅନ୍ୟ ସ୍ଥାନରେ ରଖିଥିବା ବେଳେ ରୋହିତକୁ ଛଡ଼ାଇନେବାକୁ କଏଦୀଙ୍କ ଏକ ଗୋଷ୍ଠୀ ଜେଲ୍‌ କର୍ତ୍ତୃପକ୍ଷଙ୍କ ସହ ଧସ୍ତାଧସ୍ତି ମଧ୍ୟ କରିଥିଲେ। ଏପରିକି ରୋହିତଙ୍କୁ ନ ଦେଲେ ଜୀବନରୁ ମାରିଦେବେ ବୋଲି ଉକ୍ତ କଏଦୀ ଗୋଷ୍ଠୀ ଧମକ ବି ଦେଇଥିଲେ। ଏ ସଂକ୍ରାନ୍ତରେ ଆହତ କଏଦୀ ରୋହିତ ବର୍ମା ଓ ଜେଲର୍‌ ସତ୍ୟନାରାୟଣ ବେହେରାଙ୍କ ଦୁଇଟି ଭିନ୍ନ ଭିନ୍ନ ଏତଲାକ୍ରମେ ବିମାନବନ୍ଦର ଥାନା ପୁଲିସ୍‌ ୨ଟି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। 

Advertisment

ରୋହିତ ବର୍ମାଙ୍କ ଅଭିଯୋଗ ଅନୁସାରେ, ଗତକାଲି ସକାଳ ୯ଟା ବେଳେ ସେ ଫୋନ୍‌ରେ ପରିବାର ଲୋକଙ୍କ ସହ କଥା ହେଉଥିଲେ। ଏହି ସମୟରେ ୪ ଜଣ ବିଚାରାଧୀନ କଏଦୀ ଦେବ କଲେତ, ରାଜା ତାଜନ, ଅଜୟ ପଧାନ ଓ ପ୍ରଦୀପ ସାହୁ ସେଠାରେ ପହଞ୍ଚିଥିଲେ। ରୋହିତ କିଛି ବୁଝିବା ପୂର୍ବରୁ ସେ କାହିଁକି ଦେବ କଲେତର ମା’ଙ୍କୁ ଦୁର୍ବ୍ୟବହାର କଲା ବୋଲି ସେମାନେ ଅଭିଯୋଗ କରିଥିଲେ। କିନ୍ତୁ ରୋହିତ ମନା କରିବାରୁ ଉକ୍ତ ୪ ଜଣ କଏଦୀ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଯେଉଁଥିରେ ରୋହିତଙ୍କ ମୁହଁ, ମୁଣ୍ଡ ଓ ବେକରେ ଆଘାତ ଲାଗିଥିଲା। ଏହି ସମୟରେ ଜେଲ୍‌ ପରିସରରେ ହାଜତ ୱାର୍କର୍‌ ଭାବେ କାର୍ଯ୍ୟରତ କଏଦୀମାନେ ଛିଡ଼ା ହୋଇ ସବୁ ଦେଖୁଥିବା ବେଳେ ୪ ଜଣ ୱାର୍ଡର୍‌ ପହଞ୍ଚି ରୋହିତଙ୍କୁ ଉଦ୍ଧାର କରିଥିଲେ।

ଏହା ପରେ ଜେଲ୍‌ କର୍ତ୍ତୃପକ୍ଷ ଆକ୍ରମଣକାରୀଙ୍କୁ ଓ ରୋହିତଙ୍କୁ ପୃଥକ ଜାଗାରେ ରଖିଥିଲେ। ଫଳରେ ଘଟଣା ଶାନ୍ତପଡ଼ିଥିଲା। ଦିନ ପ୍ରାୟ ଗୋଟାଏ ସମୟରେ ଆକ୍ରମଣକାରୀ ୪ କଏଦୀ ଓ ରୋହିତଙ୍କୁ ଡାଇନିଂ ହଲ୍‌ ନିକଟକୁ ଡାକି ଘଟଣା ସମ୍ପର୍କରେ ପଚରାଯାଇଥିଲା। ଯେଉଁଠି ରୋହିତ ନିଜ ଜୀବନ ଉପରେ ବିପଦ ଥିବା ଦର୍ଶାଇ ଏତଲା କରାଇବାକୁ ଜେଲ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ। ଏହି ସମୟରେ ଆକ୍ରମଣକାରୀ ୪ କଏଦୀଙ୍କ ସମେତ ଆଉ କିଛି କଏଦୀ ମିଶି ଏକ ଗୋଷ୍ଠୀ କରି ରୋହିତଙ୍କୁ ତୁରନ୍ତ ହସ୍ତାନ୍ତର କରିବାକୁ ଧମକ ଦେଇଥିଲେ। ଏପରିକି ରୋହିତଙ୍କୁ ଟାଣି ମାର୍‌ପିଟ୍‌ ଉଦ୍ୟମ ମଧ୍ୟ କରିଥିଲେ। ଫଳରେ ଜେଲ୍‌ କର୍ତ୍ତୃପକ୍ଷଙ୍କ ସହ ଉକ୍ତ ଗୋଷ୍ଠୀଙ୍କର ମୁହାଁମୁହିଁ ସ୍ଥିତି ଉପୁଜିଥିଲା। ସ୍ଥିତି ନିୟନ୍ତ୍ରଣ ପରେ ଜେଲର୍‌ ସତ୍ୟନାରାୟଣ ବେହେରା ଘଟଣା ସଂପର୍କରେ ଥାନାରେ ଏତଲା ଦେଇଥିବା ଜଣାପଡ଼ିଛି।