ଭୁବନେଶ୍ବର: କାଶୀ ହିନ୍ଦୁ ବିଶ୍ବବିଦ୍ୟାଳୟ(ବିଏଚ୍ୟୁ)ରେ ଓଡ଼ିଶାର ସମୃଦ୍ଧ ଭାଷା ଓ ସାଂସ୍କୃତିକ ଐତିହ୍ୟକୁ ସମ୍ମାନିତ କରିବା ଲାଗି ‘ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ’ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଛି। ଏଥିରେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଥିଲେ, ନିଜର ମନର କଥା କହିବା ଲାଗି ବିଶ୍ବବିଦ୍ୟାଳୟ ହେଉଛି ସବୁଠାରୁ ନିରାପଦ ସ୍ଥାନ। ବିଶ୍ବବିଦ୍ୟାଳୟ ଏମିତି ଏକ ସ୍ଥାନ ଯେଉଁଠାରେ ଚିନ୍ତାଧାରା ପ୍ରସାରିତ ହୋଇଥାଏ। ଦୁର୍ଭାଗ୍ୟବଶତଃ ବର୍ତ୍ତମାନ ସମୟରେ ବିଶ୍ବବିଦ୍ୟାଳୟଗୁଡ଼ିକ ଆଉ ବାହ୍ୟ ଦୁନିଆକୁ ପ୍ରଭାବିତ କରିବାରେ ସକ୍ଷମ ହେଉନାହିଁ। ବରଂ ବାହ୍ୟ ଦୁନିଆ ବିଶ୍ବବିଦ୍ୟାଳୟଗୁଡ଼ିକୁ ପ୍ରଭାବିତ କରୁଥିବା ନଜରକୁ ଆସୁଛି। ଭାଷା ପରସ୍ପରକୁ ଯୋଡ଼ିଥାଏ। ସାହିତ୍ୟ ଭାଷା ଓ ଭାବନାର ସମନ୍ବୟ ଅଟେ ବୋଲି ସେ ମତ ଦେଇଥିଲେ।
କୁଳସଚିବ ପ୍ରଫେସର ଅରୁଣ ସିଂହ ପରିବେଶ ସଂରକ୍ଷଣ, ଆଧ୍ୟାତ୍ମିକତା, ସକାରାତ୍ମକତା ଓ ଜଗନ୍ନାଥ ସଂସ୍କୃତି ଉପରେ ମତ ରଖିଥିଲେ। ଡିନ୍(କଳା ସଙ୍କାୟ) ପ୍ରଫେସର ସୁଷମା ଘିଲଡିଆଲ ବାରାଣାସୀରେ ଓଡ଼ିଶା ସରକାର ଓ ଓଡ଼ିଆ ସମୁଦାୟର ଅବଦାନ ଉପରେ ଆଲୋକପାତ କରିଥିଲେ। କେଏସ୍ୟୁବି ଓଡ଼ିଆ ଚେୟାରକୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ନାମରେ ଉତ୍ସର୍ଗ କରାଯିବା ଉଦ୍ଦେଶ୍ୟ ବର୍ଣ୍ଣନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଆ ଚେୟାରର ସଂଯୋଜକ ପ୍ରଫେସର ଗୋପବନ୍ଧୁ ମିଶ୍ର ଉପସ୍ଥିତ ଥିଲେ। ଏହି ଅବସରରେ କଲ୍ୟାଣ ଘଡ଼େଇଙ୍କ ନେତୃତ୍ବରେ ପ୍ରସ୍ତୁତ ବନ୍ଦେ ଉତ୍କଳ ଜନନୀର ଭାବପୂର୍ଣ୍ଣ ସଂଗୀତ ଉପସ୍ଥିତ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।
ଏହାପରେ ବିଭିନ୍ନ ଅଧିବଶନ ଆୟୋଜିତ ହୋଇଥିଲା। ପ୍ରଥମ ଅଧିବେଶନରେ ମନୋରମା ବିଶ୍ବାଳ ଓଡ଼ିଆ ଚେୟାରର ସ୍ଥାପନା ସହ ଶ୍ରୀଜଗନ୍ନାଥ ଭଜନକୁ ଓଡ଼ିଆ ସଂସ୍କୃତିର ଆତ୍ମା ବୋଲି ଅଭିହିତ କରିଥିଲେ। ଓଡ଼ିଶାର ସମୃଦ୍ଧ ପରମ୍ପରା ଦେବଦାସୀ ପ୍ରଥା ଓ ଲୋକଗୀତ(ହଳିଆ ଗୀତ) ଉପରେ ଆଲୋକପାତ କରିଥିଲେ। ଦ୍ବିତୀୟ ଅଧିବେଶନରେ ଚଳଚ୍ଚିତ୍ର ସମୀକ୍ଷକ ସୂର୍ଯ୍ୟ ଦେଓ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ଇତିହାସ, ପରିବର୍ତ୍ତନ ଓ ଗୁରୁତ୍ବପୂର୍ଣ୍ଣ ସଫଳତା ଉପରେ ବ୍ୟାପକ ସୂଚନା ଦେଇଥିଲେ। ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରଜ୍ଞା ନୃତ୍ୟାୟନ ଦ୍ବାରା ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟ ପରିବେଷିତ ହୋଇଥିଲା। ଆନନ୍ଦ ବିକ୍ରମ ସିଂହ, ଉପ-ରେଜିଷ୍ଟ୍ରାର(ବିକାଶ) ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/04/02/9rsGfFE9ZheDvXCWdYVo.jpg)