ଭୁବନେଶ୍ୱର : ଚର୍ଚ୍ଚାରେ ନବୀନଙ୍କ କ୍ୟାବିନେଟର ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ । ସାଧାରଣ ଗୃହିଣୀରୁ ବିଧାୟକ ଓ ମନ୍ତ୍ରୀ ବନିଥିବା ପଦ୍ମିନୀଙ୍କ ସଫଳତା ପଛରେ ରହିଛି ତାଙ୍କ ସ୍ୱାମୀ ସଦାଶିବ ଦିଆନଙ୍କ ହାତ । ସଦାଶିବ ଜଣେ ପୁଲିସ କନେଷ୍ଟବଳ ହୋଇଥିବାରୁ ସ୍ତ୍ରୀଙ୍କ ପାଖେପାଖେ ରହିବା ପାଇଁ ପଦ୍ମିନୀଙ୍କ ପିଏସଓ ଭାବେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ସ୍ୱାମୀ କନେଷ୍ଟବଳ, ସ୍ତ୍ରୀ ମିନିଷ୍ଟର । ଚର୍ଚ୍ଚାରେ କୋଟପାଡ଼ ବିଧାୟିକା । ପ୍ରଥମ ପଦାର୍ପଣରେ ମନ୍ତ୍ରୀ ହୋଇଥିବା ଏହି ନେତ୍ରୀ ଜଣକ ହେଉଛନ୍ତି କୋଟପାଡ଼ରୁ ନିର୍ବାଚିତ ହୋଇ ବିଧାନସଭାକୁ ଆସିଥିବା ବିଧାୟିକା ପଦ୍ମିନୀ ଦିଆନ । ଜଣେ ସାଧାରଣ ଗୃହିଣୀରୁ ବିଧାୟିକା ବନିବା ଏବଂ ମୁଖ୍ୟମନ୍ତ୍ରୀ ନବୀନଙ୍କ ଦୃଷ୍ଟି ଆକର୍ଷଣ କରି ମନ୍ତ୍ରୀ ହେବା ପଛରେ ଯେଉଁ ବ୍ୟକ୍ତିଙ୍କ ପ୍ରତ୍ୟକ୍ଷ ହାତ ରହିଛି, ସେ ହେଉଛନ୍ତି, ପଦ୍ମିନୀଙ୍କ ସ୍ୱାମୀ ସଦାଶିବ ଦିଆନ । ସଦାଶିବ, ଓଡ଼ିଶା ପୁଲିସ୍ ଅଧିନରେ ଜଣେ କନେଷ୍ଟବଳ ଭାବେ କାର୍ଯ୍ୟ କରୁଛନ୍ତି ।
ହସ୍ତତନ୍ତ ଏବଂ ବୟନଶିଳ୍ପ ବିଭାଗ ମନ୍ତ୍ରୀ ପଦ ପାଇଥିବା ପଦ୍ମିନୀ ଦିଆନଙ୍କୁ ରାଜନୀତି କ୍ଷେତ୍ରରେ ପାଦ ଥାପିବାକୁ ଉତ୍ସାହିତ କରିଥିଲେ ସ୍ୱାମୀ ସଦାଶିବ ଦିଆନ । ସଦାଶିବ ଏବେ କୋରାପୁଟ ଜିଲ୍ଲା ଜୟପୁର ମହିଳା ଥାନାରେ କନେଷ୍ଟବଳ ଭାବେ କାର୍ଯ୍ୟରତ ଅଛନ୍ତି । ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ଏକ ୧୪ବର୍ଷର ଜଣେ ପୁଅ ବି ଅଛି । ନବମ ଶ୍ରେଣୀରେ ପଢୁଥିବା ପୁଅ ସୁରେଶ ଦିଆନ ବାପା-ମାଙ୍କ ଭଳି ଜନସେବାରେ ମନ ନିବେଶ କରିବେ ବୋଲି କହିଛନ୍ତି । କିନ୍ତୁ ସରକାରୀ ଚାକିରି କିମ୍ବା ନେତା ଭାବେ ନୁହେଁ ବରଂ ବ୍ୟବସାୟ କରି ଜନସେବା କରିବେ ବୋଲି କହିଛନ୍ତି । ଆଉ ଏସବୁ ଭିତରେ ପରିବାର ଏବଂ ରାଜ୍ୟର କଥା ବୁଝିବେ ପଦ୍ମିନୀ ।ଏହାରି ଭିତରେ ଚର୍ଚ୍ଚା ହେଉଛି ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ପିଏସଓ ଭାବେ ଯୋଗ ଦେଇପାରନ୍ତି, କନେଷ୍ଟବଳ ସ୍ୱାମୀ ସଦାଶିବ ଦିଆନ ।