୨୦୧୯ ନିର୍ବାଚନ ପାଇଁ ବିଜେପିର ନୂଆ ରଣନୀତି : ଅନ୍ୟ ଶିବିରରୁ ଆସିଥିବା ନେତାଙ୍କୁ କଲା ପ୍ରାର୍ଥୀ, ଯେଉଁଥିରେ ରହିଛି ହେଭିୱେଟ ନେତାଙ୍କ ନାଁ

ଭୁବନେଶ୍ୱର : ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି । ୧୪୭ ଆସନରୁ ୯୯ ଜଣଙ୍କର ପ୍ରାର୍ଥୀ ତାଲିକା ଘୋଷଣା କରିଛି ଦଳ । ଯଦି ପ୍ରାର୍ଥୀ ତାଲିକା ଉପରେ ଦୃଷ୍ଟି ପକାଇବେ ତେବେ ଦଳଡିଆଁ ନେତାଙ୍କୁ ପୁରସ୍କାର ଦେଇଛି ବିଜେପି । ଖାସକରି ବିଜେଡି ଓ କଂଗ୍ରେସ ଶିବିର ଛାଡି ଆସିଥିବା ନେତାଙ୍କୁ ଦଳ ପ୍ରାର୍ଥୀ କରିଛି । ଯେଉଁଥିରେ ବଡ ବଡ ହେଭିୱେଟ ନେତାଙ୍କ ନାଁ ରହିଛି । ଏହି ତାଲିକାରେ ବିଜେଡିରୁ ବିଦା ହୋଇ ବିଜେପିରେ ଯୋଗ ଦେଇଥିବା ବରିଷ୍ଠ ନେତା ଦାମୋଦର ରାଉତଙ୍କୁ ବାଲିକୁଦା-ଏରସମାରୁ ପ୍ରାର୍ଥୀ କରିଛି ଦଳ ।

ସେହିଭଳି ସଜ ସଜ କଂଗ୍ରେସର ହାତ ଛାଡି ବିଜେପିରେ ସାମିଲ ହୋଇଥିବା ସାଲେପୁର ବିଧାୟକ ପ୍ରକାଶ ବେହେରାଙ୍କୁ ଦଳ ଭରସା କରିବା ସହ ନିର୍ବାଚନ ମୈଦାନକୁ ଓହ୍ଲାଇଛି । ଏହାଛଡା ଟିକେଟ ନ ମିଳିବା ପରେ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡିଥିବା ନେତାଙ୍କୁ ମଧ୍ୟ ଦଳ ପୋଚିଂ କରିବା ସହ ହାତରେ ଟିକେଟ ଅସ୍ତ୍ର ଦେଇଛି ।

ସୁନ୍ଦରଗଡ ଆସନରୁ ଟିକେଟ ନ ମିଳିବା ପରେ ବିଜେଡି ଛାଡିଥିବା କୁସୁମ ଟେଟେଙ୍କୁ ଦଳରେ ସାମିଲ କରିବା ସହ ଗୋଟିଏ ଦିନ ମଧ୍ୟର ଟିକେଟ ଦିଆଯାଇଛି । ସେହିଭଳି ପାରଳାଖେମୁଣ୍ଡି ଆସନରୁ ଟିକେଟ ନ ପାଇ ବିଜେଡି ଛାଡି ବିଜେପିରେ ଯୋଗ ଦେଉ ଦେଉ କେ. ନାରାୟଣ ରାଓଙ୍କୁ ମଧ୍ୟ ଟିକେଟ ଦେଇଛି ଦଳ । ସେହିଭଳି ଅଣଦେଖା ଅଭିଯୋଗ ଆଣି ବିଜେଡି ଛାଡିଥିବା ବାବୁ ସିଂଙ୍କୁ ପୁରସ୍କାର ବାବଦକୁ ଦଳ ଭୁବନେଶ୍ୱର ଏକାମ୍ର କ୍ଷେତ୍ରରୁ ଟିକେଟ ଦେଇଛି ।

ଏମାନଙ୍କ ବ୍ୟତୀତ ପୂର୍ବରୁ ବିଜେଡି ହାତ ଛାଡିଥିବା ଓ ଅନ୍ୟାନ୍ୟ ଦଳରୁ ଆସିଥିବା ନେତାଙ୍କୁ ମଧ୍ୟ ଦଳ ଗୁରୁତ୍ୱ ଦେବା ସହ ଘୋଷିତ ହୋଇଥିବା ପ୍ରାର୍ଥୀ ତାଲିକାରେ ସାମିଲ କରିଛି । ବାସୁଦେବପୁରରୁ କଂଗ୍ରେସ ଛାଡି ଆସିଥିବା ମାଧବାନନ୍ଦ ମଲ୍ଲିକ, ବରୀରୁ ବିଶ୍ୱ ରଞ୍ଜନ ମଲ୍ଲିକ, ଯାଜପୁରରୁ ଗୌତମ ରାୟ, ସୁକିନ୍ଦାରୁ ପ୍ରଦୀପ ବଳସାମନ୍ତ, ଆଳିରୁ ଦୋଳଗୋବିନ୍ଦ ନାୟକ, ରାଜନଗରରୁ ଅଲେଖ ଜେନା, ବ୍ରହ୍ମଗିରିରୁ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କୁ ଟିକେଟ ଦେଇଛି ଦଳ ।

ବିଜେପି ମିଶନ ୧୨୦କୁ ସଫଳ କରିବାକୁ ଏବେ ଜୋର ଦେଇଥିବା ବେଳେ ନୂଆ ରଣନୀତି ସହ ମୈଦାନକୁ ଓହ୍ଲାଇବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି । ନୂଆ ରଣନୀତି ଅନୁଯାୟୀ ବିଜେଡି ସିପାହୀଙ୍କ ଉପରେ ଏବେ ନଜର ପକାଇଛି ଦଳ । ଟିକେଟ ନ ପାଇ ଅସନ୍ତୁଷ୍ଟ ଥିବା ବିଜେଡି ନେତାଙ୍କୁ ନିଜ ଶିବିରକୁ ଆଣିବା ସହ ୨୦୧୯ ନିର୍ବାଚନ ମହାସମର ପାଇଁ ଯୁଦ୍ଧ ମୈଦାନକୁ ଛାଡୁଛି । ତେବେ ବିଜେପିର ଏହି ରଣନୀତି ଆଗାମୀ ଦିନରେ କେତେ ସଫଳ ହେବ ତାହା ଦେଖିବା ବାକି ରହିଲା ।

ସମ୍ବନ୍ଧିତ ଖବର