ଜାଣନ୍ତୁ ପ୍ରବାସୀ ଓଡ଼ିଆଙ୍କୁ ଓଡ଼ିଶାକୁ ଫେରିବାକୁ କାହିଁକି ଅନୁମତି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ?

ପ୍ରବାସୀ ଓଡ଼ିଆଙ୍କୁ ପୁଅ ଝିଅ ସମ୍ବୋଧନ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ସନ୍ଦେଶ ନଥିଲା: ବାଗଚୀ

ଭୁବନେଶ୍ୱର: ସଂପ୍ରତି କରୋନା ଭାଇରସ୍‌ର ସଂକ୍ରମଣକୁ କେନ୍ଦ୍ରକରି ସମଗ୍ର ରାଜ୍ୟରେ ଏକ ଭୟ ଓ ଆଶଙ୍କାର ବାତାବରଣ ଲାଗିରହିଛି। ଏପରିସ୍ଥିତିରେ ପ୍ରବାସୀ ଓଡ଼ିଆମାନଙ୍କର ଓଡ଼ିଶାକୁ ଫେରିବା ପର୍ବ ଆରମ୍ଭ ହୋଇଥିବା ବେଳେ ଏହାକୁ କେନ୍ଦ୍ରକରି କେତେକ ମଞ୍ଚରେ ଦ୍ୱିମତ ପ୍ରକାଶ ପାଇଛି। ବର୍ତ୍ତମାନର ସ୍ଥିତିରେ ପ୍ରବାସୀଙ୍କ ଘର ଲେଉଟାଣି; କରୋନାକୁ ଏଯାବତରେ ନିୟନ୍ତ୍ରଣରେ ରଖି ପାରିଥିବା ଓଡ଼ିଶାକୁ ବିପନ୍ନ କରିଦେବ ବୋଲି ଅଭିଯୋଗ କରି କେତେକେ ପ୍ରବାସୀଙ୍କୁ ବିରୋଧ କରିବା ସହ ସେମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଛନ୍ତି। କହୁଛନ୍ତି, ସେମାନେ ଯେଉଁଠି ଅଛନ୍ତି ସେଇଠାରେ ସେମାନଙ୍କୁ ରହିବାକୁ ଦିଆଯାଉ; ଘରକୁ ଫେରାଇ ଆଣି ଆମ ପାଇଁ ବିପଦ ସୃଷ୍ଟି କରା ନଯାଉ। କିନ୍ତୁ, ଏହା ଆଦୌ ଗ୍ରହଣୀୟ ନୁହେଁ। କିମ୍ବା କୌଣସି ସଭ୍ୟ, ସ୍ୱାଧୀନ ରାଷ୍ଟ୍ରରେ ସମ୍ଭବପର ନୁହେଁ ବୋଲି ଆଜି ସ୍ପଷ୍ଟ କରି ଦେଇଛନ୍ତି ରାଜ୍ୟ ସରକାରଙ୍କର କୋଭିଡ୍‌- ୧୯ ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗଚୀ।

ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଅପରାହ୍ଣରେ ସ୍ଥାନୀୟ ଗୀତ ଗୋବିନ୍ଦ ସଦନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରମୁଖ ମୁଖପାତ୍ର ଶ୍ରୀ ବାଗଚୀ କହିଛନ୍ତି, ପ୍ରବାସୀ ଫେରନ୍ତାମାନଙ୍କୁ ସଂଶୟ ଦୃଷ୍ଟିରେ ଦେଖିବା କିମ୍ବା ସେମାନଙ୍କ ପ୍ରତି ବୈମାତୃକ ମନୋଭାବ ପ୍ରଦର୍ଶନକୁ ରାଜ୍ୟ ସରକାର ଆଦୌ ବରଦାସ୍ତ କରିବେ ନାହିଁ। କାରଣ, ପୃଥିବୀର ସମସ୍ତ ଦେଶ ଓ ଆମ ଦେଶର ସବୁ ରାଜ୍ୟ ସେମାନଙ୍କର ନାଗରିକମାନଙ୍କୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରୁଛନ୍ତି। ଗୋଟିଏ ସଭ୍ୟ ଓ ସ୍ୱାଧୀନ ରାଷ୍ଟ୍ରରେ ଜନ୍ମ ଗ୍ରହଣ କରୁଥିବା ମଣିଷର ସବୁଠାରୁ ବଡ଼ ଅଧିକାର ହେଲା ସାମ୍ବିଧାନିକ ଅଧିକାର। ଆଉ ସମ୍ବିଧାନ ପ୍ରଦତ୍ତ ମୌଳିକ ଅଧିକାର ମଧ୍ୟରେ ସବୁଠାରୁ ବଡ଼ ଅଧିକାର ହେଲା ସମତା ଓ ସ୍ୱାଧୀନତା। ଏଥିରୁ କହାରିକି ବଞ୍ଚିତ କରାଯାଇ ପାରିବ ନାହିଁ। ତା’ପରେ ବର୍ତ୍ତମାନର ପରିସ୍ଥିତିରେ ଏହା କାନୁନ୍‌ର କଥା ନୁହେଁ ବରଂ ମାନବିକତାର କଥା। ଆଉ ମାନବିତାର ଦୃଷ୍ଟିକୋଣରୁ ସବୁକଥାକୁ ବିଚାର କରିବାର ଆବଶ୍ୟକତା ରହିଛି।
ତେଣୁ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେତେବେଳେ ପ୍ରବାସୀ ଓଡ଼ିଆଙ୍କୁ ପୁଅ ଝିଅ ବୋଲି ସମ୍ବୋଧନ କରି ସେମାନଙ୍କ ଫେରନ୍ତା ପର୍ବକୁ ସୁନିଶ୍ଚିତ କଲେ, ତାହା ନିର୍ବାଚନୀ ସନ୍ଦେଶ ନଥିଲା; ବରଂ ତାଙ୍କ ବାର୍ତ୍ତାରେ ରହିଥିଲା ଭାରତୀୟ ସମ୍ବିଧାନର ଦର୍ଶନ ଓ ମାନବିକତାର ଆହ୍ଵାନ। ତେଣୁ, ଏହାକୁ ସମସ୍ତେ ହୃଦୟଙ୍ଗମ କରିବାର ଆବଶ୍ୟତା ରହିଛି। ସବୁ ପ୍ରତିକୂଳ ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ସଜାଗ ଅଛନ୍ତି। ଖାଲି ସମସ୍ତେ ଶୃଙ୍ଖଳିତ ହୋଇ ସରକାରଙ୍କୁ ସହଯୋଗ କଲେ ଆମେ ସବୁ ପ୍ରତିକୂଳ ପରିସ୍ଥିତିକୁ ଅନାୟାସରେ ଅତିକ୍ରମୀ ଯିବା ବୋଲି କହିଛନ୍ତି ଶ୍ରୀ ବାଗଚୀ।

ସମ୍ବନ୍ଧିତ ଖବର