ଭୁବନେଶ୍ବର : ସମ୍ବାଦ ୫୦ର ଦ୍ବିତୀୟ ସଂସ୍କରଣରେ ଆୟୋଜିତ ଗ୍ରାମୀଣ ମହିଳା ଉଦ୍ୟୋଗୀ ସମାବେଶ-୨୦୨୨ର ଦ୍ବିତୀୟ ଅଧିବେଶନର ବିଷୟବସ୍ତୁ ଥିଲା ‘ପ୍ରକଳ୍ପ ଚୟନ ଓ ବଜାର ବ୍ୟବସ୍ଥା’। ଏଥିରେ ଆଲୋଚକ ଭାବେ ଓର୍ମାସ୍ର ଡେପୁଟି ସିଇଓ ସୂଜୟ କର ଯୋଗ ଦେଇ କହିଲେ, ଗୋଟିଏ ପ୍ରକଳ୍ପ ଆରମ୍ଭ କରିବା ପୂର୍ବରୁ ପ୍ରଥମେ ଅଞ୍ଚଳର ରିର୍ସୋସ୍ ମ୍ୟାପିଙ୍ଗ୍ ସହ ନିଜର ଦକ୍ଷତାକୁ ଜାଣିବା ଆବଶ୍ୟକ। ଦ୍ବିତୀୟରେ, ଅଞ୍ଚଳରେ ଥିବା ଉତ୍ପାଦନ ପରିମାଣକୁ ଜାଣିବାକୁ ପଡ଼ିବ। ତୃତୀୟରେ ଋତୁକାଳୀନ କ୍ଷତିପୂରଣ ବିଷୟରେ ଜାଣିବା ମଧ୍ୟ ଆବଶ୍ୟକ ରହିଛି। ଏଥିସହ ଆମେ ଆରମ୍ଭ କରୁଥିବା ବ୍ୟବସାୟ କିମ୍ବା ପ୍ରକଳ୍ପର ଚାହିଦା ନିଜ ଅଞ୍ଚଳରେ କିପରି ରହିଛି, କଞ୍ଚାମାଲର ଉପଲବ୍ଧତା ତଥା ଠିକଣା ବିଷୟ ଜାଣିବା ସହ ଉତ୍ପାଦିତ ଦ୍ରବ୍ୟର ବଜାରୀକରଣ ବ୍ୟବସ୍ଥା କ’ଣ ରହିଛି ସେନେଇ ପ୍ରଥମେ ଅନୁଧ୍ୟାନ କରିବା ଆବଶ୍ୟକ। ତେବେ ଯାଇ ପ୍ରକଳ୍ପ ସଫଳ ହୋଇପାରିବ। କଞ୍ଚାମାଲ ଓ ବଜାରକୁ ନେଇ ଗ୍ରାମୀଣ ମହିଳାମାନେ ସଫଳ ଉଦ୍ୟୋଗୀ ହୋଇପାରିବେ। ଉତ୍ପାଦକୁ ବିକ୍ରି କରିବା ପାଇଁ ହେଲେ ଭଲ ପ୍ୟାକେଜିଂ, ଜିଏସ୍ଟି, ଏଫଏସ୍ଏସ୍ଏଆଇ ମାନ୍ୟତା ରହିବା ଜରୁରୀ। କିନ୍ତୁ ଏହାକୁ ଏସ୍ଏଚ୍ଜି ମହିଳାମାନେ କରିବା ଏତେ ସହଜ ନୁହେଁ। ତେଣୁ ଉତ୍ପାଦିତ ସାମଗ୍ରୀ ବିକ୍ରି କରିବା ପାଇଁ ସିଧାସଳଖ ଦୋକାନ କରି ବିକ୍ରି କରି ପାରିବେ, ମଣ୍ଡିରେ ଜିନିଷ ପହଞ୍ଚାଇବା, କର୍ପୋରେଟ ସଂସ୍ଥା ଓ କୌଣସି ଶିଳ୍ପାନୁଷ୍ଠାନ ସହ ସିଧାସଳଖ ଯୋଗାଯୋଗରେ ରହିବାକୁ ହେବ। ତେବେ ଯାଇ ଉତ୍ପାଦକୁ ସହଜରେ ବିକ୍ରି କରିହେବ।
ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୂର୍ବତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବିରୁପାକ୍ଷ ମିଶ୍ର କହିଲେ, ଏକ ଦୀର୍ଘସ୍ଥାୟୀ ଭିଜନ ନେଇ ପ୍ରକଳ୍ପ ଚୟନ କରିବା ସହ ବ୍ୟବସାୟକୁ ଆଗକୁ ବଢ଼େଇ ହେବ। ଏଥିପାଇଁ ଅର୍ଥନୈତିକ ସହାୟତାର ଆବଶ୍ୟକ ରହିଛି। ବ୍ୟବସାୟରେ ପୁଞ୍ଚିନିବେଶ କରିବା ପୂର୍ବରୁ ଆୟ ଓ ରାଜସ୍ବକୁ ଗୁରୁତ୍ବ ଦେବାକୁ ପଡ଼ିବ। ଯେଉଁଥିରେ ପୁଞ୍ଜିନିବେଶ କଲେ ଯେଉଁ ଆୟ ହେବ ତାହା ନିଜର ପରିବାର ପୋଷଣରେ ସହାୟକ ହେବ କି ନାହିଁ ତାକୁ ଦେଖିବାକୁ ପଡ଼ିବ। ଏଥିସହ ଅତିରିକ୍ତ କପର୍ସ ତିଆରି କରିବାକୁ ପଡ଼ିବ। ଯାହା ବ୍ୟବସାୟ ବୃଦ୍ଧି କରିହେବ।
ସାଇ ବାଇଓକେୟାର ପ୍ରାଇଭେଟ୍ ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶିକା ମୋନାଲିସା ପଣ୍ଡା କହିଲେ, ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ସେଇ କ୍ଷେତ୍ରରେ ଆଗ୍ରହ ଓ ଜ୍ଞାନ ରହିଥିବା ଦରକାର। ଏହାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ପ୍ରଶିକ୍ଷଣ ନେବା ଉଚିତ। ସରକାରଙ୍କ ପକ୍ଷରୁ ବିଭିନ୍ନ ଦକ୍ଷତାମୂଳକ କାର୍ଯ୍ୟକ୍ରମରେ ଯୋଗ ଦେବା ଦରକାର। ପ୍ରକଳ୍ପ କରିବା ପୂର୍ବରୁ ଅନ୍ୟମାନଙ୍କ ପାଇଁ କିଭଳି ସହାୟକ ହୋଇଛି ତାହାକୁ ଦେଖିବାକୁ ପଡ଼ିବ। ତେବେ ଯାଇ ଆମ ବ୍ୟବସାୟ ତଥା ପ୍ରକଳ୍ପ ଅଧିକ ଦୀର୍ଘସ୍ଥାୟୀ ହୋଇପାରିବ। ଆଜିର ଏହି ଆଲୋଚନାଚକ୍ରକୁ କନକ ନ୍ୟୁଜ୍ ଚିଫ୍ ନ୍ୟୁଜ୍ ପ୍ରଡ୍ୟୁସର ସଂଗ୍ରାମ କେଶରୀ ଷଡ଼ଙ୍ଗୀ ସଂଯୋଜନା କରିଥିଲେ।