ବ୍ରହ୍ମପୁର : କୋଦଳା ଏନ୍‌ଏସିର ସାଧାରଣ ବୈଠକ ଆଜି ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ତେବ‌େ ରାଜନୈତିକ ବିବାଦ ଯୋଗୁଁ ଏହି ବୈଠକରେ ବିଜେଡି ଓ ବିଜେପି କାଉନସିଲର୍‌ଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଫଳରେ ଅଶାନ୍ତ ପରିସ୍ଥିତି ଦେଖାଦେଇଥିଲା। ଗତ କିଛି ମାସ ତଳେ ଡକାଯାଇଥିବା ବୈଠକ ବାଦବିବାଦ ଯୋଗୁଁ ବନ୍ଦ ହୋଇଯାଇଥିଲା। ତେବ‌େ ଆଜି ମଧ୍ୟ ବିଧାୟିକା ଲତିକା ପ୍ରଧାନଙ୍କ ଉପସ୍ଥିତିରେ ଦୁଇ ଦଳର କାଉନସିଲର୍ ‌ହୋହଲ୍ଲା କରିଥିଲେ।

Advertisment

ଏହାସହ ଅଧ୍ୟକ୍ଷ ଶ୍ରୀ ନାୟକ ମଧ୍ୟ ପ୍ରଶାସନ ବିରୋଧରେ ଅସହଯୋଗ ଅଭିଯୋଗ ଆଣିଥିଲେ। ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ କୌଣସି କ୍ଷେତ୍ରରେ ସହଯୋଗ କରୁ ନଥିବାରୁ ଉନ୍ନୟନ କାର୍ଯ୍ୟ ତ୍ବରାନ୍ବିତ ହୋଇ ପାରୁ ନଥିବା କହିଥିଲେ। ଏହାସହ ଜଣେ ସ୍ଥା‌ୟୀ ନିର୍ବାହୀ ଅଧିକାରୀ ନିଯୁକ୍ତି ଦିଗରେ ପଦକ୍ଷେପ ନେବାକୁ ଅଧ୍ୟକ୍ଷ ଦାବି ଉପସ୍ଥାପନ କରିଥ‌ିଲେ। ହୋହଲ୍ଲା ପରିସ୍ଥିତି ସତ୍ତ୍ବେ ଅଧ୍ୟକ୍ଷ ବୈଠକକୁ ଜାରି ରଖିବା ସହ ରେଜୁଲେସନ୍ ପାସ୍ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପାଧ୍ୟକ୍ଷା ରଞ୍ଜିତା ସେଠୀ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା କୋଦଳା ତହସିଲଦାର ସସ୍ମିତା ଶତପଥୀଙ୍କ ସମେତ ସମସ୍ତ କାଉନସିଲର୍ ଉପସ୍ଥିତ ଥିଲେ।