ହାଜତ ମୃତ୍ୟୁ ଘଟଣା : କୋଡିଙ୍ଗା ଥାନା ଅଧିକାରୀ ନିଲମ୍ବିତ

ମହାପ୍ରୟାଣ ଗାଡ଼ିରେ ୧୨ଘଣ୍ଟା ରହିଲା ଶବ, ବିଧାୟକଙ୍କ ପ୍ରତିଶ୍ରୁତି ପରେ ଶବ ସତ୍କାର, ଥାନା ଭଂଗାରୁଜା ମାମଲାରେ ମକଦ୍ଦମା ରୁଜୁ

ନବରଙ୍ଗପୁର/ପାପଡାହାଣ୍ଡି : ନବରଂଗପୁର ଜିଲ୍ଲା କୋଡିଙ୍ଗା ଥାନା ହାଜତ ମୃତ୍ୟୁ ଘଟଣାକୁ ନେଇ ଗତକାଲି ଲଙ୍କାକାଣ୍ଡ ଘଟିଥିବା ବେଳେ ଆଜି ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ କୋଡିଙ୍ଗା ଥାନା ଅଧିକାରୀ ପୁ‌ଷ୍ପେନ୍ଦ୍ର ସାଗରଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି। ଅନ୍ୟପକ୍ଷରେ ଦୋଷୀ ପୁଲିସ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଓ କ୍ଷତିପୂରଣ ଦାବି କରି ଉତ୍ତ୍ୟକ୍ତ ଗ୍ରାମବାସୀ ମୃତ ଗୋବର୍ଦ୍ଧନ ବିନ୍ଧାଣୀଙ୍କ ଶବ ଗ୍ରହଣ କରିନଥିଲେ। ଗତକାଲି ଗୋବର୍ଦ୍ଧନଙ୍କ ଶବ ବ୍ୟବଚ୍ଛେଦ ପରେ ପୁଲିସ ମହାପ୍ରୟାଣ ଗାଡିରେ ଆଣି ବଡ଼ପଞ୍ଜାରୀଗୁଡ଼ା ଗ୍ରାମରେ ପହଞ୍ଚିଥିଲା। ରାତିରେ ଶବ ପହଞ୍ଚିବା ପରେ ଉତ୍ତ୍ୟକ୍ତ ଗ୍ରାମବାସୀ ଓ ପରିବାର ଲୋକେ ଏହା ଗ୍ରହଣ ନକରିବା ଫଳରେ ଗତକାଲି ରାତିରୁ ଆଜି ସକାଳ ୧୧ଟା ପର୍ଯ୍ୟନ୍ତ ଶବ ମହାପ୍ରୟାଣ ଗାଡ଼ିରେ ହିଁ ରହିଥିଲା। ବିଧାୟକ ମନୋହର ରନ୍ଧାରୀ ଗ୍ରାମରେ ପହଞ୍ଚି ଉତ୍ତ୍ୟକ୍ତ ଗ୍ରାମବାସୀ ଓ ପରିବାର ଲୋକଙ୍କ ସହ ଆଲୋଚନା କରିବା ପରେ ‌ଗ୍ରାମବାସୀ ଶବକୁ ଗ୍ରହଣ କରିବା ସହ ଶବ ସତ୍କାର କରିଥିଲେ ବୋଲି ଜଣାପଡ଼ିଛି।

ଶନିବାର ସ୍ଥାନୀୟ ହାଟରେ କୁକୁଡ଼ାଗାଲିରେ ଚଢ଼ଉ କରିବାକୁ ଯାଇ କୋଡିଙ୍ଗା ଥାନା ପୁଲିସ ଗ୍ରାମର ଗୋବର୍ଦ୍ଧନ ବିନ୍ଧାଣୀ ଓ କମୁଳୁ ହରିଜନଙ୍କୁ ଟେକି ନେଇଥିଲା। ପରେ ବିଶାଖାପାଟଣାରେ ଡାକ୍ତର େଗାବର୍ଦ୍ଧନଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଏହାକୁ ନେଇ ଉତ୍ତ୍ୟକ୍ତ ଗ୍ରାମବାସୀ ଗତକାଲି କୋଡିଙ୍ଗା ଥାନା ଘେରାଉ କରିବା ସହ ଥାନା ଭିତରେ ପଶି ଭଂଗାରୁଜା କରିଥିଲେ। ପରିସ୍ଥିତିକୁ ଏଡ଼ାଇବାକୁ ଯାଇ ପୁଲିସ ପକ୍ଷରୁ ଲାଠିଚାର୍ଜ ସହ ସଂପୃକ୍ତ ଅଂଚଳକୁ ୧୪୪ ଧାରା ଲାଗୁ କରିବାକୁ ପଡିଥିଲା। ଶେଷରେ ପୁଲିସ ଗୋବର୍ଦ୍ଧନଙ୍କ ମୃତ୍ୟୁ ହୋଇଥିବା ସ୍ବୀକାର କରିଥିଲା। ପୁଲିସର ନିର୍ଯାତନା ଯୋଗୁଁ ଗୋବର୍ଦ୍ଧନଙ୍କ ମୃତ୍ୟୁ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ।

ଗୋବର୍ଦ୍ଧନଙ୍କୁ ପୁଲିସ ଚିକିତ୍ସା ପାଇଁ ବିଶାଖାପାଟଣା ନେଇଥିବା ବେଳେ ସାଂଗରେ ଯାଇଥିବା ତାଙ୍କ ଝିଅ ଗତକାଲି ବିସ୍ଫୋରକ ବୟାନ ଦେଇଥିଲେ। ତାଙ୍କ ବାପାଙ୍କ ଏଠାରେ ମୃତ୍ୟୁ ହୋଇଯାଇଥିଲେ ହେଁ ପୁଲିସ ବିନା କାରଣରେ ବିଶାଖାପାଟଣା ନେଇ ବୁଲାଇ ଆଣିଥିଲା ବୋଲି କହିଥିଲେ। ଏଥିରୁ ପୁଲିସର ଭୂମିକାକୁ ନେଇ ସନ୍ଦେହ ପ୍ରକାଶ ପାଇଥିଲା। ରାତିରେ ଶବ ପହଞ୍ଚିବା ପରେ ଗ୍ରାମରେ ପୁଣି ଉତ୍ତେଜନା ଆରମ୍ଭ ହେବା ସହ ଲୋକେ ପୁଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିବା ସହ କ୍ଷତିପୂରଣ ଦାବି କରିଥିଲେ। ଆଜି ସକାଳୁ ବିଧାୟକ ଗ୍ରାମରେ ପହଞ୍ଚି ଗ୍ରାମବାସୀ ଓ ପରିବାର ଲୋକଙ୍କ ସହ ଆଲୋଚନା ପରେ ଶବ ସତ୍କାର ହୋଇଥିଲା।

ବିଧାୟକ ମନୋହର ରନ୍ଧାରୀ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା ବୋଲି କହିବା ସହ ମୃତ ଗୋବର୍ଦ୍ଧନଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ ଚେଷ୍ଟା କରାଯାଉଥିବା କହିଛନ୍ତି। ଅନ୍ୟପକ୍ଷରେ ଗତକାଲି ଉତ୍ତ୍ୟକ୍ତ ଗ୍ରାମବାସୀ ଥାନା ଘେରାଉ କରିବା ସହ ଭଂଗାରୁଜା କରିବା ମାମଲାରେ ପୁଲିସ ପକ୍ଷରୁ ଏକ ମକଦ୍ଦମା ରୁଜୁ କରାଯାଇଥିବା ଅତିରିକ୍ତ ଏସପି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର