ରାଉରକେଲା: ଖରାଦିନ ଆସିଲେ ପ୍ରତିବର୍ଷ ବଢ଼ୁଛି ଇସ୍ପାତସହରରେ ପାଣି ଚିନ୍ତା। କୋଏଲନଦୀର ଉପର ମୁଣ୍ଡରେ ଛତିଶଗଡ ସରକାର ବ୍ୟାରେଜ୍‌ କରି ପାଣି ଛାଡୁ ନଥିବାରୁ ପ୍ରତିବର୍ଷ ସହରବାସୀଙ୍କୁ ଏଭଳି ଜଳ କଷ୍ଟ ‌ଭୋଗିବାକୁ ପଡୁଛି। ସେପଟେ ନଦୀ ଜଳକୁ ରୋକିବାକୁ ବହୁ ପ୍ରତୀକ୍ଷିତ କୋଏଲ ବ୍ୟାରେଜ୍‌ କାମ ମଧ୍ୟ ଏଯାଏଁ ଆରମ୍ଭ ହୋଇନି। ନଦୀ ଜଳସ୍ତର ହ୍ରାସ ପାଇଥିବାରୁ ଚଳିତ ଥର ସହରରେ ପୁଣି ପାନୀୟ ଜଳ ସଙ୍କଟ ଦେଖାଦେବାର ଆଶଙ୍କା ସୃଷ୍ଟି ହୋଇଛି। ସହରକୁ ଆସୁଥିବା ଜଳର ମୁଖ୍ୟ ଉତ୍ସ ହେଉଛି କୋଏଲ, ଶଙ୍ଖ ଓ ବ୍ରାହ୍ମଣୀ ନଦୀ। ଶଙ୍ଖ ଓ ବ୍ରାହ୍ମଣୀ ନଦୀରୁ ବିଶେଷ କରି ସିଭିଲଟାଉନସିପ୍‌, ବାସନ୍ତୀକଲୋନି, ଛେଣ୍ଡ କଲୋନି, ପାନପୋଷ, ଫର୍ଟିଲାଇଜର, ଡେଲିମାର୍କେଟ ଆଦି ଅଞ୍ଚଳକୁ ଜଳ ଯୋଗାଣ ହୋଇଥାଏ। ଇସ୍ପାତ ସହରାଞ୍ଚଳ, କୋଏଲନଗର, ଶକ୍ତିନଗର, ଝିରପାଣି, ହମିରପୁର ଆଦିର ଅଞ୍ଚଳବାସୀ କୋଏଲନଦୀ ଉପରେ ନିର୍ଭରଶୀଳ। ଇସ୍ପାତ ସହରାଞ୍ଚଳକୁ ବାଦ୍‌ ଦେଲେ କେବଳ ଆର୍‌ଏମ୍‌ସି ଅଞ୍ଚଳ ପାଇଁ ଦୈନିକ ୬୦୦ ଲକ୍ଷ ଲିଟର ପାଣି ଆବଶ୍ୟକ ହେଉଛି।

Advertisment

ତେଣୁ ସହର ପାଇଁ ପ୍ରତିଦିନ ପାଖାପାଖି ୧୦୦୦ ଲିଟର ଦରକାର। ଏହା ବାହାରେ ରହିଛି ରାଉରକେଲା ଇସ୍ପାତ କାରଖାନାରେ ବ୍ୟବହୃତ ବିପୁଳ ପରିମାଣର ଜଳ। ତେବେ କେବଳ ପାନୀୟ ଦଳକୁ ହିସାବକୁ ନେଲେ, ଏଥିରୁ ପ୍ରାୟ ୩୦% ପାଣି କେବଳ କୋଏଲ ନଦୀରୁ ଉଠୁଛି। ସେମିତି କୋଏଲ ନଦୀ ପାର୍ଶ୍ବକୁ ଲାଗିଥିବା ୫୦ରୁ ଅଧିକ ଗ୍ରାମବାସୀ ମଧ୍ୟ ଏହି ନଦୀ ଉପରେ ନିର୍ଭର କରନ୍ତି। ଗାଧୋଇବା ସହ ଖରାଦିନେ ସେସବୁ ଗ୍ରାମର ପ୍ରାୟ ଅଧିକାଂଶ ଲୋକ ନଦୀଜଳକୁ ପାନୀୟ ଭାବେ ମଧ୍ୟ ବ୍ୟବହାର କରୁଥିବା ସମସ୍ୟା ଆହୁରି ଜଟିଳ ହୋଇଛି। ସେପଟେ ଜଳ ସଙ୍କଟର ସ୍ଥାୟୀ ସମାଧାନ କରିବାକୁ ବ୍ୟାରେଜ୍‌ ନିର୍ମାଣ ପାଇଁ ମୋଟ୍‌ ୩୧୩ କୋଟି ୧୧ ଲକ୍ଷ ଟଙ୍କା ଖର୍ଚ୍ଚ ମଞ୍ଜୁର ହୋଇଛି। ପାଖାପାଖି ୨୦ ମିଟର ଦୂରତାରେ ଗୋଟିଏ ଲେଖାଏଁ ଗେଟ୍‌, ଏମିତି ଭାବେ ପ୍ରାୟ ୨୫ ଗେଟ୍‌ ନିର୍ମାଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। କୁହା ଯାଉଛି ଯେ ବ୍ୟାରେଜ୍‌ ଦ୍ବାରା ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ଅଞ୍ଚଳର ଜଳକଷ୍ଟ ଦୂର ହେବ।

କୋଏଲନଗର, ଜଗଦା, ଶକ୍ତିନଗର ସମେତ ଆର୍‌ଏମ୍‌ସିର ଅନ୍ୟ ପ୍ରମୁଖ ଜଳକଷ୍ଟ ଅଞ୍ଚଳରେ ପାନୀୟ ଜଳ ସମସ୍ୟା ରହିବ ନାହିଁ। ଏଥିସହ କୁଆରମୁଣ୍ଡା ପାର୍ଶ୍ବରେ ପାଖାପାଖି ୧୨୦୦ ହେକ୍ଟର ଚାଷ ଜମିକୁ ଜଳସେଚିତ କରାଯିବାକୁ ମଧ୍ୟ ଯୋଜନା ରହିଛି। ମାତ୍ର ଇତିମଧ୍ୟରେ କେବଳ ସର୍ଭେ କାମ ଶେଷ ହୋଇଛି। ବ୍ୟାରେଜ୍‌ର ଡିଜାଇନକୁ ଅପେକ୍ଷା କରାଯାଇଛି। ଡିଜାଇନ୍‌ ଆସିବା ପରେ ନିର୍ମାଣ କାମ ଆରମ୍ଭ ହେବ ବୋଲି କୁହାଯାଉଛି। ମାତ୍ର ଡିଜାଇନ୍‌ କେବେ ଆସିବ, ବିଭାଗୀୟ ଅଧିକାରୀଙ୍କ ପାଖରେ କିଛି ଉତ୍ତର ନାହିଁ। ଉଲ୍ଲେଖନୀୟ ଯେ ଗତ ୨୦୧୬ରେ କୋଏଲନଦୀ ସମ୍ପୂର୍ଣ୍ଣ ଶୁଖି ଯାଇଥିବାରୁ ଇସ୍ପାତ ସହରାଞ୍ଚଳରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ନେଇଥିଲା। ଆର୍‌ଏସ୍‌ପି ସହରସେବା ବିଭାଗ ଟ୍ୟାଙ୍କର ଯୋଗେ ଘରକୁ ଘରକୁ ପାନୀୟ ଜଳ ଯୋଗାଣ କରିଥିଲେ। ଏହା ସତ୍ବେ ଲୋକମାନେ ପାନୀୟ ଜଳ ପାଇଁ ନାହିଁ ନଥିବା ସମସ୍ୟାରେ ସମ୍ମୁଖୀନ ହୋଇଥିଲେ। ବସ୍ତି ଅଞ୍ଚଳର ଅନେକ ଲୋକ ଗାଁକୁ ପଳାଇଥିଲେ।

ଉଲ୍ଲେଖନୀୟ, ରାଉରକେଲା ସହରର ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ ଓ ଏହାର ଚତୁଃପାର୍ଶ୍ବରେ ପନିପରିବା ଚାଷୀଙ୍କ ଆର୍ଥିକ ଅଭିବୃଦ୍ଧିକୁ ଲକ୍ଷ୍ୟ ରଖି ୨୦୧୩ ଜୁଲାଇ ମାସରେ ସେକ୍ଟର-୨୦ ବୈକୁଣ୍ଠ ଘାଟରେ ମୁଖ୍ୟମନ୍ତ୍ରୀ କୋଏଲ ବ୍ୟାରେଜ୍‌ ଶିଳାନ୍ୟାସ କରିଥିଲେ। ଶିଳାନ୍ୟାସକୁ ୬-୭ ବର୍ଷ ବିତିଯାଇଥିଲେ ହେଁ ବ୍ୟାରେଜ୍‌ ନିର୍ମାଣ ହୋଇ ନଥିଲା। ଏହାକୁ ବିଭିନ୍ନ ରାଜନୈତିକ ଦଳ ପ୍ରସଙ୍ଗ କରିଥିଲେ। ବିଧାନସଭାରେ ପୂର୍ବତନ ବିଧାୟକ ଦିଲୀପ ରାୟ ପ୍ରଶ୍ନ ଉଠାଇଥିଲେ। ଶେଷରେ କୋଏଲ ବ୍ୟାରେଜ୍‌ ନିର୍ମାଣକୁ ସବୁଜ ସଙ୍କେତ ମିଳିଥିଲା। ତେବେ ବିଭିନ୍ନ କାରଣରୁ ସେକ୍ଟର-୨୦ ବୈକୁଣ୍ଠ ଘାଟ ପରିବର୍ତ୍ତେ ସେକ୍ଟର-୧୬ ହମିରପୁର ପାର୍ଶ୍ବରେ ନିର୍ମାଣ ପାଇଁ ଜମି ଚିହ୍ନଟ କରାଯାଇଥିଲା। ନିକଟରେ କୋଏଲ ବ୍ୟାରେଜ୍‌ ନିର୍ମାଣ କାମ ବିଳମ୍ବ ହେଉଥିବାରୁ ସମାଜସେବୀ ମୁକ୍ତିକାନ୍ତ ବିଶ୍ବାଳ ରାଉରକେଲାରୁ ପଦଯାତ୍ରା‌ରେ ଭୁବନେଶ୍ବର ଯାଇଥିଲେ।