ରାଉରକେଲା: ଜାତୀୟ ବୈଷୟିକ ଶିକ୍ଷା ପ୍ରତିଷ୍ଠାନ (ଏନ୍ଆଇଟି)ରୁ ବର୍ଷବର୍ଷ ଧରି ନିର୍ଗତ ବର୍ଜ୍ୟଜଳ ଯୋଗୁ ପ୍ରଦୂଷିତ ହେଉଛି କୋଏଲ ନଦୀ। ଆଜି ପର୍ଯ୍ୟନ୍ତ ଏନ୍ଆଇଟି କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଏସ୍‌ଟିପି (ସ୍ବରେଜ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ) ମଧ୍ୟ ସ୍ଥାପନା କରାଯାଇ ନାହିଁ। ଏନ୍‌ଆଇଟିରୁ ନିର୍ଗତ ବର୍ଜ୍ୟଜଳ ଓ ଲାବ୍ରୋଟୋରି ନିର୍ଗତ କେମିକାଲ ମିଶାପାଣି ପ୍ରମୁଖ ନାଳା ଦେଇ ସିଧାସଳଖ କୋଏଲନଦୀରେ ମିଶୁଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଆଧାରରେ ମଙ୍ଗଳବାର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଇଂ ଅନୁପ କୁମାର ମଲ୍ଲିକଙ୍କ ନେତୃତ୍ବରେ ଗଠିତ ଟିମ୍‌ ସ୍ଥିତି ଅନୁଧ୍ୟାନ କରିବାକୁ ଏନ୍‌ଆଇଟିରେ ପହଞ୍ଚିଥିଲେ।‌ ଯେଉଁ ନାଳା ଦେଇ ଏନ୍ଆଇଟିରୁ ସମସ୍ତ ବର୍ଜ୍ୟଜଳ ନିର୍ଗତ ହେଉଛି, ତାହାକୁ ଯାଞ୍ଚ ମଧ୍ୟ କରିଥିଲେ। ସେଠାରୁ ନିର୍ଗତ ବର୍ଜ୍ୟଜଳ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଭୁବନେଶ୍ବର ପରୀକ୍ଷାଗାରକୁ ପଠାଇଛନ୍ତି। ଆସନ୍ତା ୩/୪ ଦିନ ମଧ୍ୟରେ ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଆଞ୍ଚଳିକ ଅଧିକାରୀ ଇଂ. ମଲ୍ଲିକ କହିଛନ୍ତି। ଏଥିସହ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଏନ୍‌ଆଇଟି ନିର୍ଦ୍ଦେଶକଙ୍କୁ କାରଣଦର୍ଶାଅ ନୋଟିସ୍‌ ଜାରି କରାଯାଇଛି।

Advertisment

ଚିଠିରେ ଦର୍ଶାଯାଇଛି, ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରାଉରକେଲା କାର୍ଯ୍ୟାଳୟର ଟିମ୍‌ ମଙ୍ଗଳବାର ଏନ୍‌ଆଇଟି ପରିଦର୍ଶନରେ ଯାଇଥିଲେ। ଏନ୍ଆଇଟି ପରିସରେ ଥିବା ସମସ୍ତ ହଷ୍ଟେଲ, କର୍ମଚାରୀ କ୍ବାର୍ଟର୍ସ, ଲ୍ୟାବ୍‌, କ୍ୟାଣ୍ଟିନ୍‌ରୁ ଦୈନିକ ନିର୍ଗତ ବର୍ଜ୍ୟଜଳ ବିନା ବିଶୋଧନରେ ବରଟୋଲି ପୋଲ ନିକଟସ୍ଥ ନାଳା ଦେଇ କୋଏଲନଦୀରେ ମିଶୁଥିବା ଦେଖିବାକୁ ପାଇଥିଲେ। ଯାହାର ସିଧାସଳଖ ପ୍ରଭାବ କୋଏଲନଦୀ ଚତୁଃପାର୍ଶ୍ବରେ ବସବାସ କରୁଥିବା ବାସିନ୍ଦାଙ୍କ ଉପରେ ପଡୁଛି। କେବଳ ଏତିକି ନୁହେଁ, କଠିନ ବର୍ଜ୍ୟବସ୍ତୁ ଓ ପ୍ଲାଷ୍ଟିକ ଗୁଡ଼ିକର ଅନୁଷ୍ଠାନ ପରିସରରେ ଉପଯୁକ୍ତ ଡମ୍ପିଂ କରାଯାଉ ନାହିଁ। ତେଣୁ ପରିବେଶ ଦୂଷିତ କରୁଥିବା ବର୍ଜ୍ୟଜଳ, କଠିନ ବର୍ଜ୍ୟବସ୍ତୁ ଓ ପ୍ଲାଷ୍ଟିକକୁ ତୁରନ୍ତ ବନ୍ଦ କରିବା ସହ ବି‌ଶୋଧନ ବ୍ୟବସ୍ଥା କରିବାକୁ ବୋର୍ଡ ତରଫରୁ ଚିଠିରେ ଏନ୍‌ଆଇଟି ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

publive-image

ପ୍ରାଥମିକତା ଭିତ୍ତିରେ ବିଶୋଧନ ପାଇଁ କୌଣସି ପଦକ୍ଷେପ ନିଆ ନଗଲେ ନିୟମ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚିଠିରେ ଚେତାବନୀ ରହିଛି। କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, କେନ୍ଦ୍ର ଶିକ୍ଷାମନ୍ତ୍ରଣାଳୟ ସଚିବ, ରାଜ୍ୟ ପ୍ରଦୂଷଣ ବୋର୍ଡର ବରିଷ୍ଠ ଆଇନ ଅଧିକାରୀଙ୍କୁ ଚିଠି ଲେଖାଯାଇଛି। ଉଲ୍ଲେଖଯୋଗ୍ୟ, ଏନ୍‌ଆଇଟିରେ ଦେଶ ଓ ବିଦେଶର ପ୍ରାୟ ୮ ହଜାରରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଛାତ୍ରଛାତ୍ରୀଙ୍କ ରହିବା ପାଇଁ ୧୨ଟି ହଷ୍ଟେଲ ରହିଛି। ଏଥିସହ ୫୦୦ରୁ ଅଧିକ କର୍ମଚାରୀଙ୍କ କ୍ବାର୍ଟର୍ସ, ୧୨ଟି କ୍ୟାଣ୍ଟିନ୍‌ ଓ ୧୦୦ରୁ ଅଧିକ ଲ୍ୟାବ୍‌ ରହିଛି। ଦେଶର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ଏଭଳି ଅବ୍ୟବସ୍ଥା ଶିକ୍ଷାବିତ୍‌ ଓ ଅଭିଭାବକମାନଙ୍କୁ ବ୍ୟଥିତ କରିଛି। ଏ ସଂପର୍କରେ ପ୍ରତିକ୍ରିୟା ରଖି ଏନ୍‌ଆଇଟି କୁଳସଚିବ ରୋହନ୍‌ ଧିମନ୍ କହିଛନ୍ତି ଯେ ପ୍ଲାଷ୍ଟିକ୍ ଆମ କ୍ୟାମ୍ପସ୍‌ରେ ସଂପୂର୍ଣ୍ଣ ବ୍ୟାନ୍ ଅଛି। କ୍ୟାମ୍ପସ୍‌ରୁ ବାହାରୁଥିବା ସମସ୍ତ କଠିନ ବର୍ଜ୍ୟବସ୍ତୁ (ସଲିଡ୍ ୱେଷ୍ଟ) ଆମେ ଆର୍‌ଏମ୍‌ସିକୁ ହସ୍ତାନ୍ତର କରୁଛୁ। ସେ ବାବଦରେ ଆର୍‌ଏମ୍‌ସିକୁ ଦେୟ ମଧ୍ୟ ପ୍ରଦାନ କରୁଛୁ। ସେହିପରି ବର୍ଜ୍ୟଜଳ ପରିଚାଳନା ପାଇଁ କ୍ୟାମ୍ପସ୍‌ରେ ବିଶୋଧନ ପ୍ରକଳ୍ପ (ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ) ସ୍ଥାପନର ଯୋଜନା ରହିଛି। ବର୍ଷେ, ଦୁଇବର୍ଷ ମଧ୍ୟରେ ଏହା କାର୍ଯ୍ୟକାରୀ ହୋଇଯିବ ବୋଲି ଶ୍ରୀ ଧିମନ୍‌ କହିଛନ୍ତି।