ରାଉରକେଲା: ସୁନ୍ଦରଗଡ଼ ଚାଷୀଙ୍କ ଚିନ୍ତା ବଢ଼ାଉଛି ପଡ଼ୋଶୀ ଝାଡ଼ଖଣ୍ଡର ଛୋଟାନାଗପୁର ମାଳଭୂମିରୁ ବାହାରିଥିବା କୋଏଲ୍ ନଦୀ। ଝାଡ଼ଖଣ୍ଡ ନିୟନ୍ତ୍ରଣରେ ଥିବା ଏହି ନଦୀର ଜଳ ବର୍ଷା ଦିନେ ରାଉରକେଲା ଓ ଏହାର ଆଖପାଖରେ ବନ୍ୟା ପରିସ୍ଥିତି ସୃଷ୍ଟି କରୁଛି। ହେଲେ ଗ୍ରୀଷ୍ମ ଆସିଲେ ଉତ୍କଟ ଜଳ ସମସ୍ୟା ଦେଖାଦେଉଛି। ଉପରମୁଣ୍ଡରେ ଝାଡ଼ଖଣ୍ଡ ଏକାଧିକ ବ୍ୟାରେଜ୍ କରି ଖରାଦିନେ ଏହି ନଦୀର ପାଣି ରୋକୁଥିବାରୁ ଏଭଳି ସମସ୍ୟା ଦେଖାଦେଉଛି। ନଦୀ ଉପରେ ନିର୍ଭରଶୀଳ ଶହଶହ ଚାଷୀଙ୍କ ଚିନ୍ତା ବଢ଼ିଯାଉଛି। ଅଧିକାଂଶ ଚାଷୀଙ୍କ ଫସଲ ପାଣି ଅଭାବରୁ ଉଜୁଡ଼ିଯାଉଛି। ଶହଶହ ଏକର ଜମି ପଡ଼ିଆ ପଡୁଛି। ପାଣି ପାଇଁ ନଦୀ ପାର୍ଶ୍ବବର୍ତ୍ତୀ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ବର୍ଷବର୍ଷ ଧରି ଲାଗି ରହିଥିବା ଏହି ପ୍ରମୁଖ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆଜି ପର୍ଯ୍ୟନ୍ତ କୌଣସି ଠୋସ୍ ପଦକ୍ଷେପ ନିଆଯାଇ ନାହିଁ। ଅବଶ୍ୟ ବହୁ ଦାବି ପରେ ପାନୀୟ ଜଳ ସଙ୍କଟ ଓ ଚାଷୀଙ୍କ ଜଳସେଚନ ସମସ୍ୟା ଦୂର କରିବାକୁ ରାଉରକେଲା ସହର ହମିରପୁରଠାରେ ନିର୍ମାଣ ଚାଲିଛି କୋଏଲ ବ୍ୟାରେଜ୍। ବର୍ଷେ ହେଲା ଚାଲିଥିବା ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
ଯେପର୍ଯ୍ୟନ୍ତ ଉପର ମୁଣ୍ଡର ଜଳ ପରିଚାଳନା ପାଇଁ କୌଣସି ସନ୍ତୁଳିତ ନିୟମ କରାନଯିବ, ସେ ପର୍ଯ୍ୟନ୍ତ ଏହି ସମସ୍ୟାର ପ୍ରକୃତ ସମାଧାନ ହେବ ନାହିଁ ବୋଲି କୁହାଯାଉଛି। ଚଳିତ ବର୍ଷ ଖରା ଆରମ୍ଭରୁ ନଦୀର ଜଳସୋତ୍ର କମିଗଲାଣି। କାଁଭାଁ କିଛି ସ୍ଥାନକୁ ଛାଡିଦେଲେ ନଦୀ ଶୁଖିଲା ପଡ଼ିଛି। ନଦୀ ପାର୍ଶ୍ବରେ ପନିପରିବା ଚାଷ କରି ଜୀବିକା ନିର୍ବାହ କରୁଥିବା କ୍ଷୁଦ୍ର ଚାଷୀମାନଙ୍କ ଚିନ୍ତା ବଢ଼ିଯାଇଛି। ଆଗାମୀ ଦିନରେ ଉପରମୁଣ୍ଡରୁ ପ୍ରବାହିତ ଜଳକୁ ଝାଡ଼ଖଣ୍ଡ ଅଟକାଇ ଦେଲେ ସ୍ଥିତି ସଙ୍ଗିନ ହେବ ବୋଲି ଚାଷୀମାନେ ଆଶଂକା କରୁଛନ୍ତି। ହମିରପୁରଠାରେ ନିର୍ମାଣାଧୀନ କୋଏଲ ନଦୀ ବ୍ୟାରେଜ୍ ପାଇଁ ମୋଟ ୩୧୩ କୋଟି ୧୧ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ପାଖାପାଖି ୨୦ ମିଟର ଦୂରତାରେ ଗୋଟିଏ ଲେଖାଏଁ ଗେଟ୍, ଏମିତି ଭାବେ ୨୫ ଗେଟ୍ ନିର୍ମାଣ ହେଉଛି। ବ୍ୟାରେଜ୍ ଦ୍ବାରା ରାଉରକେଲା ମହାନଗର ନିଗମ (ଆର୍ଏମ୍ସି) ଅଞ୍ଚଳର ପାନୀୟ ଜଳ ସମସ୍ୟା ଦୂର ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/02/26/IvE41AMn3Z1UzTJd0xUh.jpg)