ରାଉରକେଲା: ରାଉରକେଲା ସ୍ଥିତ କୋଏଲ ନଗର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ମିଳିଲା ଜାତୀୟ ଗୁଣବତ୍ତା ନିଶ୍ଚିତତା ମାନକ ପ୍ରମାଣପତ୍ର। ସ୍ୱାସ୍ଥ୍ୟ କେନ୍ଦ୍ର ପରିସରକୁ ସମ୍ପୂର୍ଣ୍ଣ ଭାବେ ରୋଗୀ କୈନ୍ଦ୍ରିକ କରିବା ଲାଗି ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ଏହି ଗୁଣବତ୍ତା ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ, ରାଉରକେଲା ମହାନଗର ନିଗମ ଅଞ୍ଚଳର ଚତୁର୍ଥ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଭାବେ କୋଏଲ ନଗର ସ୍ଥିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକୁ ଏହି ପ୍ରମାଣପତ୍ର ମିଳିଛି।

Advertisment

ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଗୁଣବତ୍ତାକୁ ସୁନିଶ୍ଚିତ କରିବା ସହ ସବୁ ବର୍ଗର ରୋଗୀଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା, ନିୟମିତ ଭାବେ ପରିଷ୍କାର ଓ ପରିଚ୍ଛନ୍ନତା ବଜାୟ ରଖିବା, ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରିବା, ସଂକ୍ରାମକ ଓ ଅଣସଂକ୍ରାମକ ରୋଗ ପାଇଁ ଉତ୍ତମ ଚିକିତ୍ସା ସୁବିଧା ଉପଲବ୍ଧ କରାଇବା, ଟୀକାକରଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିିବା ଆଦି ମାନଦଣ୍ଡକୁ ଆଧାର କରି କୋଏଲ ନଗର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଏହିି ପ୍ରମାଣପତ୍ର ମିଳିଛି।

ଏଥି ପାଇଁ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣ୍ଣି ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର, ପାରାମେଡ଼ିକାଲ ଷ୍ଟାଫ୍ ଓ ସ୍ୱାସ୍ଥ୍ୟକେନ୍ଦ୍ର ସହ ଜଡ଼ିତ ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କୁ ଅଭିନନ୍ଦନ ଜଣାଇବା ସହ ରୋଗୀ ସେବାକୁ ଆହୁରି ବ୍ୟାପକ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଏଥି ସହ ସେ କହିଛନ୍ତି ଯେ, 'ବିକଶିତ ଭାରତ ଗଠନରେ ସ୍ୱାସ୍ଥ୍ୟସେବା କ୍ଷେତ୍ରର ସୁଦୃଢୀକରଣ ଉପରେ ସରକାର ଗୁରୁତ୍ଵ ଦେଉଥିବା ବେଳେ ଭବିଷ୍ୟତରେ ରାଉରକେଲା ମହାନଗର ନିଗମ ଅଞ୍ଚଳରେ ଥିବା ସମସ୍ତ ୧୦ଟି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସୁଦୃଢ଼ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଆଧାର କରି ଯେପରି ଏହି ପ୍ରମାଣପତ୍ର ପାଇବାକୁ ଯୋଗ୍ୟ ବିବେଚିତ ହେବେ ସେ ଦିଗରେ ସମସ୍ତ କାର୍ଯ୍ଯ ଆରମ୍ଭ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।'

ତୃଣମୂଳ ସ୍ତରରେ ରୋଗୀଙ୍କୁ ଉନ୍ନତମାନର ଚିକିତ୍ସା ସେବା ଯୋଗାଇ ଦେବା ନିମନ୍ତେ ରାଉରକେଲା ମହାନଗର ନିଗମ ଅଞ୍ଚଳରେ ୧୦ଟି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି। ସେଥିମଧ୍ୟରୁ ପ୍ରଥମ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଭାବେ ବାସନ୍ତୀ କଲୋନୀ ଠାରେ ଥିବା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଉତ୍ତମ ରୋଗୀ ପରିଚାଳନା ନିମନ୍ତେ ଏହି ପ୍ରମାଣପତ୍ର ପାଇଥିଲା। ଏହା ପରେ ତିଲକା ନଗର ଓ ସେକ୍ଟର ୬ ସ୍ଥିତ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ ଏହି ଗୁଣବତ୍ତା ପ୍ରମାଣପତ୍ର ମିଳିଛି।