କେନ୍ଦୁଝର : କେନ୍ଦୁଝର ଜିଲ୍ଲା ସଦର ବ୍ଲକ୍ ଡିମିରିମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘଦିନ ହେଲା ନାହାନ୍ତି ସ୍ଥାୟୀ ଶିକ୍ଷକ । ସ୍ଥାୟୀ ଶିକ୍ଷକ ନିଯୁକ୍ତି ପାଇଁ ଦାବି ଜଣାଇବାକୁ କେନ୍ଦୁଝର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିକୁ ଆସିଥିଲେ ଗ୍ରାମବାସୀ ଓ ଅଭିଭାବକ। ଆଶା କରିଥିଲେ ଜିଲ୍ଲାପାଳ ଗୁହାରି ଶୁଣିବେ। ହେଲେ ଫଳ ମିଳିଲା ଓଲଟା। ପ୍ରଶାସନ ନିର୍ଦ୍ଦେଶରେ ଅପରାଧୀଙ୍କ ଭଳି ପୁଲିସ ଉଠାଇନେଲା ଅଭିଭାବକ ଏବଂ ବ୍ଲକ୍ ଉପାଧ୍ୟକ୍ଷଙ୍କୁ। ଦୀର୍ଘ ୪ ଘଣ୍ଟା କାଳ ଥାନାରେ ଅଟକ ରହିଲେ। ଆଉ ଶେଷରେ ଅପରାହ୍ଣ ସାଢ଼େ ୩ଟାବେଳେ ପୁଲିସ ଅଣ୍ଡରଟେକିଂ ଲେଖାଇ ସେମାନଙ୍କୁ ଛାଡ଼ିଲା। କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦରବାର ହଲ୍ରେ ଘଟିଥିବା ଏହି ଘଟଣାକୁ ଦଳମତ ନିର୍ବିଶେଷରେ ନିନ୍ଦା କରାଯାଇଛି।
ସ୍ଥାୟୀ ଶିକ୍ଷକ ନିଯୁକ୍ତି ନେଇ ପୂର୍ବରୁ ଗ୍ରାମବାସୀ ଓ ଅଭିଭାବକ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ ଦାବି କରିଥିଲେ। କୌଣସି ସୁଫଳ ନ ମିଳିବାରୁ ସୋମବାର ଦିନ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରକୁ କିଛି ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକ ଆସିଥିଲେ। ଶିବିରରେ ଜିଲ୍ଲାପାଳ ଆଶିଷ ଠାକ୍ରେ, ଏସ୍ପି ମିତ୍ରଭାନୁ ମହାପାତ୍ରଙ୍କ ସମେତ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ଜିଲ୍ଲାପାଳଙ୍କୁ ଶିକ୍ଷକ ନିଯୁକ୍ତି ପାଇଁ ଗୁହାରି କଲା ବେଳେ ଛାତ୍ରଛାତ୍ରୀଙ୍କୁ କାହିଁକି ଅଭିଯୋଗ ଶୁଣାଣିକୁ ଆଣିଲ ବୋଲି ପ୍ରଶ୍ନ କରି ଅଭିଭାବକଙ୍କ ଉପରେ ଚିହିଁକି ଉଠିଥିଲେ ଅଧିକାରୀ। ଏହାପରେ ପୁଲିସ ପହଞ୍ଚି ଅଭିଭାବକମାନଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଭ୍ୟାନ୍ ଯୋଗେ କେନ୍ଦୁଝର ଟାଉନ ଥାନାକୁ ଉଠାଇ ଆଣିଥିଲା। କେନ୍ଦୁଝର ସଦର ବ୍ଲକ୍ର ଉପାଧ୍ୟକ୍ଷ ଦିଲୀପ କୁମାର ବେହେରାଙ୍କ ସମେତ ଅଭିଭାବକ ରୋହିତ କୁମାର ମହାନ୍ତ, ଗୋବର୍ଦ୍ଧନ ମହାନ୍ତ, ଗୌତମ ମହାନ୍ତ, ଯୋଗେନ୍ଦ୍ର ମୁଣ୍ଡା ପ୍ରମୁଖଙ୍କୁ କେନ୍ଦୁଝର ଟାଉନ ଥାନାରେ ଅଟକ ରଖାଯାଇଥିଲା। ଅନ୍ୟପକ୍ଷରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଛାତ୍ରଛାତ୍ରୀଙ୍କୁ ନେଇ ପୁଲିସ ସେମାନଙ୍କ ଘରେ ଛାଡ଼ି ଆସିଥିବା ଜଣାପଡ଼ିଛି।
ଏହି ଖବର ଜଣାପଡ଼ିବା ପରେ ବରିଷ୍ଠ ଆଇନଜୀବୀ ତଥା ବିଜେଡି ନେତା ଆଶିଷ ଚକ୍ରବର୍ତ୍ତୀଙ୍କ ସମେତ ବହୁ ବୁଦ୍ଧିଜୀବୀ ଥାନାରେ ପହଞ୍ଚି ଘଟଣାକୁ ନାପସନ୍ଦ କରିଥିଲେ। ତେବେ ଏ ନେଇ ଜିଲ୍ଲା ପ୍ରଶାସନର ପ୍ରତିକ୍ରିୟା ମିଳିପାରି ନାହିଁ।