ଭୁବନେଶ୍ବର : ଦୁଇ ବର୍ଷ ତଳେ ଭାରତ ସରକାର କହିଲେ, କୋହିନୂର ହୀରା ବଳପୂର୍ବକ କେହି ନେଇ ନାହିଁ କି ଚୋରି ହୋଇନି। ଏବେ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) କହୁଛି କୋହିନୂର ହୀରା ସମର୍ପିତ କରିଦିଆଯାଇଛି। ସୂଚନା ଅଧିକାର ଆଇନ୍ରେ ଏଏସ୍ଆଇର ଏ ପ୍ରକାରର ବୟାନ କୋହିନୂର ହୀରା ଫେରି ପାଇବାର ବାଟରେ ବାଡ଼ ସଦୃଶ ହୋଇଛି। ଏହାକୁ ନେଇ ସୁପ୍ରିମକୋର୍ଟରେ ମାମଲା ଚାଲିଥିବା ବେଳେ ଏଏସ୍ଆଇର ଏ ପ୍ରକାରର ବୟାନକୁ ସମାଲୋଚନା କରାଯାଇଛି।
୧୯୩୯ ମସିହାରେ ମହାରାଜା ରଂଜିତ୍ ସିଂହ ମୃତ୍ୟୁ ପୂର୍ବରୁ କୋହିନୂର ହୀରା ଜଗନ୍ନାଥ ମନ୍ଦିରକୁ ଦାନ କରିବାକୁ ଇଚ୍ଛାପତ୍ରରେ ସ୍ବୀକାର କରିଥିବା ସ୍ପଷ୍ଟ ପ୍ରମାଣ ଥିବାରୁ ଏହା ଉପରେ ଶ୍ରୀମନ୍ଦିରର ହକ୍ ଅଛି। ପ୍ରଚଳିତ ଲୋକକଥା ନୁହେଁ, ବରଂ ସଂପ୍ରତି ନୂଆଦିଲ୍ଲୀସ୍ଥିତ ଜାତୀୟ ଅଭିଲେଖାଗାରରେ ମହଜୁଦ ଥିବା ଏକ ଚିଠି ହିଁ ଏହାର ଜ୍ବଳନ୍ତ ଉଦାହରଣ ବୋଲି କହିଛନ୍ତି ‘ଜଗନ୍ନାଥ ମନ୍ଦିର ସହ ଶିଖ୍ ସମ୍ବନ୍ଧ’କୁ ନେଇ ଗବେଷଣାରତ ଗବେଷକ ଅନିଲ ଧିର୍। ୧୮୩୯ ମସିହା ଜୁଲାଇ ୨ ତାରିଖରେ ଖାଇବର ପାସ୍ ବ୍ରିଟିସ୍ ସରକାରଙ୍କର ରାଜନୈତିକ ପ୍ରତିନିଧିଙ୍କ ଦ୍ବାରା ଲେଖାଯାଇଥିବା ଚିଠିର ଉତ୍ତର ମୁତାବକ ଟି ଏ ମ୍ୟାଡକ୍ ଲେଖିଥିଲେ ଯେ, ମହାରାଜ ରଂଜିତ ସିଂହ ଅସୁସ୍ଥତାରୁ ଯେବେ ଶେଷ ଅବସ୍ଥାରେ ପହଞ୍ଚିଲେ, ଧନ ଓ ଅଳଙ୍କାର ଦାନ ସୂତ୍ରରେ ଅର୍ପଣ କରିବା ପାଇଁ ଘୋଷଣା କରିଥିଲେ। ଯାହାର ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କା ଥିଲା। ଅଳଙ୍କାର ମଧ୍ୟରେ ଥିବା କୋହିନୂର ହୀରାକୁ ପୁରୀ ଜଗନ୍ନାଥ ମନ୍ଦିରକୁ ଦେବା ପାଇଁ ନିର୍ଦେଶ ଦେଇଥିଲେ। ସଂପ୍ରତି ନୂଆଦିଲ୍ଲୀର ଜାତୀୟ ଅଭିଲେଖାଗାରରେ ଏହି ମୂଳ ଚିଠି ମହଜୁଦ ରହିଥିବା ବେଳେ ଏହାର ଏକ ନକଲ ରାଜ୍ୟ ଅଭିଲେଖାଗାରରେ ରହିଛି।
ଗବେଷକ ଧିର୍ ଏକଥା ବି କହିଛନ୍ତି ଯେ, ମହାରାଜା ରଂଜିତ ସିଂହ ଏମିତି ଉପର ଠାଉରିଆ ଭାବେ କୋହିନୂର ହୀରା ଦାନ କରିବାକୁ ଘୋଷଣା କରି ନଥିଲେ। ବରଂ ଜଗନ୍ନାଥ ମନ୍ଦିରକୁ ଆସିବା ପାଇଁ ଉତ୍ସୁକ ଥିଲେ। କିନ୍ତୁ ତାଙ୍କର ଶାରୀରିକ ଦୁର୍ବଳତା ପାଇଁ ସେ ଶେଷ ସମୟରେ ପଞ୍ଜାବରୁ ଜଗନ୍ନାଥ ମନ୍ଦିରର ଲମ୍ବା ପଥ ଅତିକ୍ରମ କରିବାକୁ ସକ୍ଷମ ହୋଇ ପାରି ନଥିଲେ। ଏମିତିକି ସେ ପଂଜାବର ସ୍ବର୍ଣ୍ଣ ମନ୍ଦିର ଅପେକ୍ଷା ପୁରୀ ଜଗନ୍ନାଥ ମନ୍ଦିରକୁ ଅଧିକ ସୁନା ଓ ରୁପା ଦାନ କରିଥିଲେ। ମାତ୍ର ଆଙ୍ଗ୍ଲୋ-ଶିଖ୍ ଯୁଦ୍ଧରେ ବ୍ରିଟିସ୍ଙ୍କର ବହୁ କ୍ଷତି ସାଧନ ହୋଇଥିବାରୁ ଏହାକୁ ଆଳ କରି ରଂଜିତ ସିଂହଙ୍କ ନାବାଳକ ପୁତ୍ର ଦୁଲୀପ୍ ସିଂହଙ୍କୁ ମାଧ୍ୟମ କରି ୧୮୪୯ ମସିହାରେ ବ୍ରିଟିସ୍ମାନେ କୋହିନୂର ହୀରା ନେଇ ଯାଇଥିଲେ। ଦୁଲୀପ ସିଂହ ସେତେବେଳେ ୯ ବର୍ଷର ହୋଇଥିବାରୁ ଏହି କୋହିନୂର ହୀରା ତାଙ୍କ ଇଚ୍ଛାରେ କେବେ ବି ସମର୍ପି ଦିଆଯାଇ ନଥିଲା। ବରଂ ଏହା ଷଡ଼ଯନ୍ତ୍ର ପୂର୍ବକ ଏକ ଲୁଟ୍ ଥିଲା ବୋଲି ଇନ୍ଟାକ୍ ଭୁବନେଶ୍ବର ଚାପ୍ଟରର ଅନିଲ୍ ଧିର୍ କହିଛନ୍ତି।
ଇନ୍ଟାକ୍ ଓଡ଼ିଶା ଚାପ୍ଟରର ଆବାହକ ଅମିୟ ଭୂଷଣ ତ୍ରିପାଠୀଙ୍କ କହିବା ମୁତାବକ, ନୂଆଦିଲ୍ଲୀ ଜାତୀୟ ଅଭିଲେଖାଗାରରେ ଥିବା ମୂଳ ଚିଠିକୁ ଭୁବନେଶ୍ବରର ଜାତୀୟ ଅଭିଲେଖାଗାର ଶାଖାକୁ ଆଣିବା ନେଇ ନୂଆଦିଲ୍ଲୀ ଅଭିଲେଖାଗାରର ନିର୍ଦେଶକଙ୍କ ସହ ଆଲୋଚନା କରିଛୁ। ତେବେ ତାହା ଏପର୍ଯ୍ୟନ୍ତ ଅଣାଯାଇ ନାହିଁ। ସଂପ୍ରତି କୋହିନୂର ହୀରା ସମ୍ବନ୍ଧରେ ଯେପରି ବୟାନ ଦିଆଯାଉଛି ଏହାକୁ ହଜାଇ ଦେବା ଭଳି ପରିସ୍ଥିତି ଯେ ସୃଷ୍ଟି ନହେବ ତାହା କହି ହେବ ନାହିଁ। ତେଣୁ କୋହିନୂର ହୀରାର ବଳିଷ୍ଠ ପ୍ରମାଣ ସ୍ବରୂପ ଏହି ଚିଠି ଓଡ଼ିଶାକୁ ଅଣାଯିବା ଉଚିତ୍ ବୋଲି ଶ୍ରୀ ଧିର୍ କହିଛନ୍ତି।
ଗ୍ରେଟ୍ ବ୍ରିଟେନ୍ ପରବର୍ତୀ ସମୟରେ ଗ୍ରିସ୍, ଇଟାଲି ଓ ସ୍ପେନ୍କୁ ତା’ର ଦାବି ମୁତାବକ ଜିନିଷ ଫେରାଇ ଦେଇଥିବାରୁ ଓଡ଼ିଶାର ଦାବିକୁ ଯୁକ୍ତିଯୁକ୍ତ ଭାବେ ଉପସ୍ଥାପନ କରି କୋହିନୂର ହୀରା ଜଗନ୍ନାଥ ମନ୍ଦିରକୁ ଫେରାଇ ଆଣିବା ପାଇଁ ଉଦ୍ୟମ ହେବା ଉଚିତ୍। ମାତ୍ର ଏହା କରା ନଯାଇ ବୟାନ ବଦଳାଇ ଦୁର୍ବଳ ଯୁକ୍ତି ରଖୁଥିବାରୁ କୋହିନୂର ହୀରା ମିଳିବା ବାଟ ବି ବନ୍ଦ କରିଦିଆଯାଉଛି। ଏଏସ୍ଆଇ ସୂଚନା ଅଧିକାର ଆଇନ୍ରେ ଯେଉଁଭଳି ଉତ୍ତର ଦେଇଛି ତାହା ଦାୟିତ୍ବହୀନତାକୁ ପ୍ରମାଣିତ କରୁଛି। ଯଦି ଏଭଳି ବାରମ୍ବାର ମତ ବଦଳାଯାଏ, ଭବିଷ୍ୟତରେ ଏହା କୋହିନୂର ହୀରା ପାଇଁ ବାଟ ବନ୍ଦ କରିଦେବ। ଏଥିପ୍ରତି ଓଡ଼ିଶାବାସୀ, ଜଗନ୍ନାଥ ପ୍ରେମୀ ସ୍ବର ଉଠାଇବାକୁ ପଡ଼ିବ ବୋଲି ଇନ୍ଟାକ୍ ପକ୍ଷରୁ କୁହାଯାଇଛି।