ତେନ୍ତୁଳିଡିଙ୍ଗା ଶାରଦୀୟ ଦୁର୍ଗାପୂଜା: ଆୟୋଜନର ମୁଖ୍ୟକର୍ତ୍ତା କୋହିନୁର୍‌ ଇସ୍‌ଲାମ୍‌

କୁଳିଅଣା(ନିହାର ରଞ୍ଜନ ବେହେରା): ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ୍‌ ଗାଙ୍ଗରାଜ ପଞ୍ଚାୟତ ତେନ୍ତୁଳିଡ଼ିଙ୍ଗା ଗ୍ରାମର ସାର୍ବଜନୀନ ଦୁର୍ଗୋତ୍ସବର ରହିଛି ସ୍ୱତନ୍ତ୍ର ପରିଚୟ। ୩୭ ବର୍ଷର ଏହି ପୂଜା କମିଟି ଆଜିକାଲିର ଅତ୍ୟାଧୁନିକ ସାଜସଜ୍ଜା କିମ୍ୱା ସୁଦୃଶ୍ୟ ତୋରଣ ପାଇଁ ନୁହେଁ; ବରଂ ମାନବବାଦ ଓ ଭାଇଚାରା ପାଇଁ ପରିଚିତ।

ସାମ୍ପ୍ରଦାୟିକ ଭେଦଭାବରୁ ଊର୍ଦ୍ଧ୍ବରେ ରହି ଶକ୍ତିପୂଜାରେ ସମସ୍ତେ ଏକାକାର ହୋଇଯିବାର ବାର୍ତ୍ତା ଦେଇ ଆସିଛି ଏହି ପୂଜା। ଏଠାରେ ପୂଜା ଆୟାଜନର ମୁଖ୍ୟକର୍ତ୍ତା ହେଲେ ସଂଖ୍ୟାଲଘୁ ସଂପ୍ରଦାୟର କୋହିନୁର୍ ଇସ୍‌ଲାମ। ଏଥିସହ ତାଙ୍କ ସମ୍ପାଦନାରେ ପୂଜା ଉପଲକ୍ଷେ ଏଠାରୁ ପ୍ରତିବର୍ଷ ‘ମୁକୁଳିତ ପଲ୍ଲବ’ ପତ୍ରିକା ପ୍ରକାଶ ପାଇ ଆସୁଛି। ଅନ୍ୟ ଧର୍ମର ହେଲେ ବି ଗୀତା, ବେଦ, ଉପନିଷଦରେ କୋହିନୂରଙ୍କ ଅଗାଧ ପାଣ୍ଡିତ୍ୟ। ସବୁ ଧର୍ମକୁ ସମ୍ମାନ ଦେଉଥିବା କୋହିନୁର ଦେବୀଦୁର୍ଗାଙ୍କ ପୂଜାର୍ଚ୍ଚନା କରି କେବଳ ଯେ ସାମ୍ପ୍ରଦାୟିକତାର ପାଚେରି ଭାଙ୍ଗିବାରେ ସଫଳ ହେଇଛନ୍ତି ତା ନୁହଁ, ବରଂ ଏଠାକାର ଜନସାଧାରଣଙ୍କୁ ମାନବିକ ମୂଲ୍ୟବୋଧର ଶିକ୍ଷା ଦେଉଛନ୍ତି।

ବୃହତ୍ ନନ୍ଦିକେଶ୍ୱର ପୁରାଣ ବିଧି ଅନୁଯାୟୀ ଏଠାରେ ପୂଜା ହେଉଥିବା ବେଳେ ପୁରୋହିତ ପରିତୋଷ ନନ୍ଦ ୨୧ ବର୍ଷ ଧରି ଏଠାରେ ପୂଜା କାର୍ଯ୍ୟ କରି ଆସୁଛନ୍ତି। ପୂଜା ଆୟୋଜନରେ କମିଟିର ସଦସ୍ୟ ବିଜନ ଚନ୍ଦ୍ର ଦାସ, ଭାଗିରଥୀ ନାଏକ, ଅନୀଲ କୁମାର ନାଏକ, ରବୀନ୍ଦ୍ର ଗିରି, ଗୌରାଙ୍ଗ ପଟ୍ଟନାୟକ, ଉଜ୍ଜ୍ବଳ ବାସୁରୀ, ଆଦିତ୍ୟ ଦାସ, ବାହାଦୂର ସିଂ ପ୍ରମୁଖ ସହଯୋଗ କରୁଛନ୍ତି।

ସମ୍ବନ୍ଧିତ ଖବର