ଭୁବନେଶ୍ବର : ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ୍‌ର ବିଡିଓଙ୍କୁ ନେଇ ଶନିବାର ଦିନ ବିଧାନସଭା ପୁଣି ହୁଲସ୍ତୁଲ ହୋଇଛି। ବିଡିଓଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି ବୋଲି ବିରୋଧୀ ପ୍ରଶ୍ନ କରି ସରକାରଙ୍କୁ ତୀବ୍ର ଭର୍ତ୍ସନା କରିଥିଲେ। ଫଳରେ ଆଜି ପ୍ରଶ୍ନକାଳ ଆଦୌ ହୋଇ ପାରି ନଥିଲା। ଶୂନ୍ୟକାଳରେ ସରକାରଙ୍କୁ ଏହି ପ୍ରସଙ୍ଗରେ ବିରୋଧୀ ଟାର୍ଗେଟ୍‌ କରିଥିଲେ।

Advertisment

ଆଜି ପ୍ରଶ୍ନକାଳ ଆରମ୍ଭ ହେଲାମାତ୍ରେ ବଣେଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା କୋଇଡ଼ା ବିଡିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିକରି ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଥିଲେ। ବିଜେପି ଓ କଂଗ୍ରେସ ସଭ୍ୟମାନେ ମଧ୍ୟ ତାଙ୍କୁ ସମର୍ଥନ କରି ମଧ୍ୟ ଭାଗକୁ ଆସିଥିଲେ। ବିରୋଧୀଙ୍କ ନାରାବାଜିରେ ଗୃହ କମ୍ପିଥିଲା। ବାଚସ୍ପତି ପ୍ରଶ୍ନକାଳ ଚଳାଇବାକୁ ଉଦ୍ୟମ କରିଥିଲେ ବି ସଫଳ ହୋଇ ନଥିଲେ। ଫଳରେ ବାଧ୍ୟ ହୋଇ ୧୧ଟା ୩୦ ଯାଏ ଗୃହକୁ ମୁଲତବୀ ରଖିଲେ।

୧୧ଟା ୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ପୁଣି ବିଧାୟକ ଶ୍ରୀ ମୁଣ୍ଡା ଗୃହ ମଧ୍ୟ ଭାଗରେ ବସି ରହିଲେ। ବାଚସ୍ପତି ତାଙ୍କୁ ଆସନକୁ ଫେରିଯିବାକୁ ଅନୁରୋଧ କରିଥିଲେ ବି ସେ ଯାଇ ନଥିଲେ। ଏହି ସମୟରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଲେ, ଓଡ଼ିଶାରେ ସରକାରୀ ଅଫିସରଙ୍କ ବେପରୱା ମନୋଭାବ ବଢ଼ିଗଲାଣି। ସେମାନେ କାହାକୁ ମାନିବାକୁ ପ୍ରସ୍ତୁତ ନାହାନ୍ତି। ବିଧାୟକଙ୍କୁ ସେମାନେ ଅପମାନିତ କରୁଛନ୍ତି। ବିଧାନସଭାରେ ବଣେଇ ବିଧାୟକ କୋଇଡ଼ା ବିଡିଓଙ୍କ କାର୍ଯ୍ୟକଳାପ ସମ୍ପର୍କରେ ଆପତ୍ତି ଉଠାଇଥିଲେ। ଏହା ପରେ ବିଡିଓ କହୁଛନ୍ତି ଯେ ସେ ମୋର କ’ଣ କରିବ। ଯଦି ବିଧାୟକ ଏମିତି ଅପମାନିତ ହେବେ, ତେବେ ରାଜ୍ୟ କେମିତି ଚାଲିବ?

କାର୍ଯ୍ୟାନୁଷ୍ଠାନ ପାଇଁ ସରକାର ବିଚାର କରିବେ: ମନ୍ତ୍ରୀ

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଲେ, କିଛିଦିନ ତଳେ ବିଧାୟକ ଲକ୍ଷ୍ମଣ ମୁଣ୍ଡା କୋଇଡ଼ା ବିଡିଓଙ୍କ ପ୍ରସଙ୍ଗ ଉଠାଇଥିଲେ। ମୁଁ ମଧ୍ୟ ଗୃହରେ ଉଦ୍‌ବେଗ ଜଣାଇଥିଲି। ସରକାର ଉଚିତ ପଦକ୍ଷେପ ନେବାକୁ ବାଚସ୍ପତି ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ କିଛି ହେଲାନାହିଁ। ବୋଧହୁଏ ଏ ସରକାରର ଆଖି କାନ ନାହିଁ। ଆମେ ଯାହା ଏଠି କହୁଛୁ ତାହା ସରକାରଙ୍କ ପାଖରେ ପହଞ୍ଚୁ ନାହିଁ। ମୋତେ ଲାଗୁଛି ଆମେ ଏଠି କାନ୍ଥବାଡ଼କୁ କହୁଛୁ। ୩ ବର୍ଷରୁ ଅଧିକ ହେଲାଣି ଜଣେ ବିଡିଓ ଗୋଟିଏ ଜାଗାରେ ଅଛନ୍ତି। ସାଧାରଣ ବିଡିଓ ହୋଇ ଲୋକପ୍ରତିନିଧିଙ୍କୁ ଏମିତି ବ୍ୟବହାର କରିବେ? ଗୃହରେ ଆଲୋଚନା ପରେ ତାଙ୍କ ବ୍ୟବହାର ଆହୁରି କଦର୍ଯ୍ୟ ହୋଇଛି। ବିଧାନସଭା ମୋର କ’ଣ କରିବ ଓ ସବୁ ଉପର ସ୍ତରର ଲୋକ ତାଙ୍କ ହାତରେ ଅଛନ୍ତି ବୋଲି ସେ କହୁଛନ୍ତି। ସେଠାରେ ସମିତି ସଭ୍ୟ, ସରପଞ୍ଚ ଆନ୍ଦୋଳନରେ ବସିଛନ୍ତି। କର୍ମଚାରୀମାନେ କଲମ ଛାଡ଼ କରିଛନ୍ତି। ବିଡିଓ ଘରେ ରହି ଅଫିସ୍ ଚଳାଉଛନ୍ତି। ପିସି ସଂଗ୍ରହରେ ସେ କୁଆଡ଼େ ସିଦ୍ଧହସ୍ତ। ସବୁ ବ୍ଲକ୍‌ରେ ତ ଏମିତି ପିସି କାରବାର ଚାଲିଛି। ଶୂନ୍ୟ ସହନଶୀଳତା କଥା କହୁଥିବା ସରକାର କେଉଁ ବ୍ଲକ୍‌ରେ ପିସି କାରବାର ହେଉନି ବୋଲି କହିପାରିବେ କି? ଏ ଗୃହରେ ଆମେ ଚୁପ୍ ବସିବା ନା କିଛି କରିବା? ବିଧାୟକଙ୍କୁ ସୁରକ୍ଷା ଦେବାପାଇଁ ବାଚସ୍ପତି ଆଗେଇ ଆସନ୍ତୁ।

ପୂର୍ବାହ୍ନରେ ଗୃହ ମୁଲତବୀ ହେବା ପର୍ଯ୍ୟନ୍ତ ଶ୍ରୀ ମୁଣ୍ଡା ଗୃହ ମଧ୍ୟ ଭାଗରେ ବସି ରହିଥିଲେ। ବିରୋଧୀ ଦଳର ସଭ୍ୟମାନେ ତାଙ୍କୁ ସମର୍ଥନ ଦେଇଥିଲେ। ସରକାରୀ ଦଳ ମୁଖ୍ୟ ସଚେତକ ଓ ଉପମୁଖ୍ୟ ସଚେତକ ତାଙ୍କୁ ବୁଝାଇଥିଲେ ବି ସେ ଉଠି ନଥିଲେ। ଅପରାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ପୁଣି ଶ୍ରୀ ମୁଣ୍ଡାଙ୍କ ସମେତ ବିଜେପି ଓ କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଥିଲେ। ‘ଗଣତନ୍ତ୍ରର ସୁରକ୍ଷା ଆମର ଦାବି’... ‘ଗଣତନ୍ତ୍ରକୁ ହତ୍ୟା କରୁଛି କିଏ, ବିଜେଡି ସରକାର ଆଉ କିଏ’ ନାରାବାଜିରେ ଗୃହ କମ୍ପିଥିଲା। ଏହାପରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଗୃହକୁ ମୁଲତବୀ ରଖିଥିଲେ। ବୈଠକ ପରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ପୁଣି ବିଡିଓଙ୍କ ବଦଳି ଦାବି କରିଥିଲେ ଶ୍ରୀ ମୁଣ୍ଡା। ସରକାରଙ୍କ ତରଫରୁ ଉତ୍ତର ରଖିବା ପାଇଁ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କୁ ବାଚସ୍ପତି କହିଥିଲେ। ମନ୍ତ୍ରୀ କହିଥି‌ଲେ, ‘ସରକାର ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ବିଚାର କରିବେ।’ ଏହା ପରେ ଶ୍ରୀ ମୁଣ୍ଡା ନିଜ ଆସନକୁ ଫେରିଥିଲେ ଓ ଗୃହ ସ୍ବାଭାବିକ ହୋଇଥିଲା।