କୋଇଡ଼ା ବିଡିଓଙ୍କୁ ତୁରନ୍ତ ହଟାଯାଉ, ବିଡିଓଙ୍କ କାର୍ଯ୍ୟକଳାପକୁ ନେଇ ବିଧାନସଭାରେ ଆପତ୍ତି

ସରକାର ନଜର ରଖିବାକୁ ବାଚସ୍ପତିଙ୍କ ନିର୍ଦ୍ଦେଶ

ଭୁବନେଶ୍ବର : ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ବିଡିଓ ପଲ୍ଲବୀରାଣୀ ରାଜଙ୍କୁ ନେଇ ଗୁରୁବାର ଦିନ ବିଧାନସଭା ସରଗରମ ହୋଇଛି। ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା କୋଇଡ଼ା ବିଡିଓଙ୍କ କାର୍ଯ୍ୟକଳାପକୁ ନେଇ ତାଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ସେହି ବିଡିଓ ସେଠାରେ ତିନି ବର୍ଷରୁ ଅଧିକ ସମୟ ହେଲା ରହିଲେଣି। ତାଙ୍କ ବଦଳି ହେଲେ ବି ତାହା ପରେ ବାତିଲ ହୋଇଯାଉଛି। ସେ ଅଫିସ୍‌ ଯାଉ ନାହାନ୍ତି। ଜନପ୍ରତନିଧିଙ୍କୁ ଖରାପ ବ୍ୟବହାର କରୁଛନ୍ତି। ସେଠାରେ ବିନା ପିସିରେ କିଛି କାମ ହେଉନି। ଏବେ ଓଡ଼ିଶାରେ ଯେଉଁ ବ୍ଲକ୍‌କୁ ଯିବ ସେଠାରେ ପିସି କାରବାର ଜୋର୍‌ ଚାଲିଛି। ଏପରିକି ୨୨% ପର୍ଯ୍ୟନ୍ତ ପିସି ଦିଆଯାଉଛି। କୋଇଡ଼ାରେ ଏହି ବିଡିଓଙ୍କୁ ନେଇ ଜନ ଅସନ୍ତୋଷ ଜୋର୍‌ ଥିଲା ବେଳେ ତାଙ୍କୁ ସୁରକ୍ଷା କିଏ ଦେଇଛି? ଏହି ବିଡିଓ ଜଣେ ଛୋଟ ଅଧିକାରୀ। ମୁଁ ଏମିତି ଅଧିକାରୀଙ୍କ ବିଷୟରେ କେବେ କୁହେନି। କିନ୍ତୁ ବିଧାୟକ ଶ୍ରୀ ମୁଣ୍ଡାଙ୍କ ଅଭିଯୋଗ ପଢ଼ିଲା ପରେ ଏହା ଅତି ସଙ୍ଗୀନ୍ ବିଷୟ ବୋଲି ହୃଦ୍‌ବୋଧ ହେଲା। ତେଣୁ ଏହି ପ୍ରସଙ୍ଗକୁ ମୁଁ ଏଠାରେ ଉତ୍‌ଥାପନ କଲି। ପ୍ରସଙ୍ଗଟିକୁ ବାଚସ୍ପତି ବିଧାନସଭାର ଏଥିକ୍ସ କମିଟିକୁ ପଠାନ୍ତୁ। ଜନପ୍ରତିନିଧିଙ୍କୁ ସୁରକ୍ଷା ଦେବାକୁ ବାଚସ୍ପତି ପଦକ୍ଷେପ ନିଅନ୍ତୁ।

ସିପିଆଇ (ଏମ୍‌) ବିଧାୟକ ଲକ୍ଷ୍ମଣ ମୁଣ୍ଡା କହିଥିଲେ, କୋଇଡ଼ା ବିଡିଓ ପଲ୍ଲବୀ ରାଣୀ ରାଜ୍ ପୂର୍ବରୁ ଲେଫ୍ରିପଡ଼ା ବ୍ଲକ୍‌ରେ ଥିଲେ। ତାଙ୍କ ନାମରେ ପାଇଖାନା ଦୁର୍ନୀତିର ଅଭିଯୋଗ ଆସିଥିଲା। ୨୦୧୯ ମସିହାରେ ତାଙ୍କୁ କୋଇଡ଼ା ବଦଳି କରାଯାଇଥିଲା। ଏଠାରେ ସେ ମନମୁଖୀ କାର୍ଯ୍ୟ କରୁଛନ୍ତି। ଲୋକପ୍ରତିନିଧିଙ୍କୁ ଅଶାଳୀନ ବ୍ୟବହାର କରୁଛନ୍ତି। ବ୍ଲକ୍‌ରେ ସବୁ କାମ ଅଧୁରା ହୋଇପଡ଼ିଛି। କହିଲେ ବି ବିଡିଓ ଶୁଣୁ ନାହାନ୍ତି। ନିଜ ମା’, ଭାଇଙ୍କ ନାଁରେ ଠିକା କାମ ନେଇ କରୁଛନ୍ତି। ନିଜ ଘରେ ଥାଇ ଅଫିସ୍ ଚଳାଉଛନ୍ତି। ବ୍ଲକ୍‌ରେ କର୍ମଚାରୀମାନେ କଲମ ଛାଡ଼ ଆନ୍ଦୋଳନ କଲେଣି। ସରପଞ୍ଚମାନେ ଧାରଣାରେ ବସିଛନ୍ତି। ତାଙ୍କୁ ତୁରନ୍ତ ସେଠାରୁ ବଦଳି କରିବାକୁ ଶ୍ରୀ ମୁଣ୍ଡା ଦାବି କରିଥିଲେ।

ସରକାର ଏହି ଅଭିଯୋଗ ଉପ‌ରେ ନଜର ରଖିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର