କୋଇଡ଼ା: କୋଇଡ଼ା ବିଡିଓଙ୍କ ବଦଳିକୁ ନେଇ ୮ ଦିନ ଧରି ସ୍ଥାନୀୟ ଅଞ୍ଚଳଠାରୁ ବିଧାନସଭା ଯାଏଁ ହୁଲସ୍ତୁଲ ହେବା ପରେ ବି ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି। ଏହାକୁ ନେଇ ସିପିଆଇଏମ୍ ପକ୍ଷରୁ କୋଇଡ଼ାରେ ୧୨ ଘଣ୍ଟିଆ ଅର୍ଥନୈତିକ ଅବରୋଧ ଓ ବନ୍ଦ ପାଳନ କରାଯାଇଛି। ଏହାଫଳରେ କୋଇଡ଼ା ଅଞ୍ଚଳରେ ଜୀବନଯାତ୍ରା ଏକପ୍ରକାର ଠପ୍ ହୋଇଯାଇଥିଲା। ବନ୍ଦ ଯୋଗୁ ସମସ୍ତ ଖଣି, ଖଣି ପରିବହନ, ରାଜରାସ୍ତା, ଜାତୀୟ ରାଜପଥ, ସରକାରୀ କାର୍ଯ୍ୟାଳୟ, ଚାରିଗୋଟି ରେଳ ସାଇଡିଂ ଯଥା ରେଞ୍ଜଡ଼ା, ବିମଳାଗଡ଼, ରକ୍ସି, ପାଟାସାହି ପ୍ରମୁଖ ବନ୍ଦ କରିବା ସହ ରେଳରୋକ ମଧ୍ୟ କରିଥିଲେ। କୋଇଡ଼ା ବ୍ଲକ୍ ମୁଖ୍ୟ ଖଣି ପରିବହନ ଛକ ଯଥା ରେଙ୍ଗାଲବେଡ଼ା, କାଶୀରା, କୋଇଡ଼ା, ନାରାୟଣପୋଷ, କାଲଟା, ତୋଡ଼ା, ଜାମୁଡିହି, ରକ୍ସି, କେ ବଲାଙ୍ଗ, ବିମଳାଗଡ଼, ଗୋପନା ପ୍ରମୁଖ ଛକ ଓ ରାଜରାସ୍ତାରେ ସିପିଆଇଏମ କର୍ମୀମାନେ ପୋଷ୍ଟର, ବ୍ୟାନର ଓ ଦଳୀୟ ପତାକା ଧରି ଅବରୋଧ କରିଥିଲେ। ଫଳ ସ୍ଵରୂପ ଖଣି ଅଞ୍ଚଳରେ ଦୈନିକ ଖଣି କଞ୍ଚାମାଲ୍ ପରିବହନ କରୁଥିବା ହଜାର ହଜାର ଟ୍ରକ୍ ଓ ଟିପର ରାସ୍ତାରେ ଛିଡ଼ା ହୋଇରହିଥିଲା। ଅନ୍ୟପକ୍ଷରେ ରେଳ ସାଇଡିଂମାନଙ୍କରେ ରେଳ ଚଳାଚଳ ମଧ୍ୟ ଠପ୍ ରହିଥିଲା। ଖଣି ରାଜଧାନୀ କୋଇଡ଼ାରେ ବନ୍ଦ ପ୍ରଭାବରେ ହଜାର ହଜାର କୋଟି ଟଙ୍କାର ରାଜସ୍ଵ ହାନି ହୋଇଥିବା ଅନୁମାନ କରାଯାଉଛି।
ସୂଚନାଯୋଗ୍ୟ ଯେ, ନିଜ ପ୍ରଶାସନିକ କାର୍ଯ୍ୟକାଳରେ ବାରମ୍ବାର ବିବାଦ ଓ ଚର୍ଚ୍ଚାରେ ରହି ଆସୁଥିବା କୋଇଡ଼ା ବିଡିଓ ପଲ୍ଲବୀରାଣୀ ରାଜଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆଣିବା ସହ ତାଙ୍କ ବଦଳି ଦାବିରେ ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ନେତୃତ୍ଵରେ ହଜାର ହଜାର କର୍ମୀ, ବ୍ଲକ୍ ଅଧ୍ୟକ୍ଷ ଓ ଜନପ୍ରତିନିଧି ଏବଂ ବ୍ଲକ୍ କର୍ମଚାରୀମାନେ ସାତଦିନ ଧରି ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଥିଲେ। ବିଧାୟକ ଶ୍ରୀ ମୁଣ୍ଡା ବିଧାନସଭାରେ ବିଡିଓଙ୍କ ତୁରନ୍ତ ବଦଳି ନେଇ ବାଚସ୍ପତିଙ୍କ ନିକଟରେ ଦାବି ଉପସ୍ଥାପନ କରି ବିଧାନସଭା ହୁଲସ୍ତୁଲ ମଧ୍ୟ କରିଥିଲେ। ବହୁ ବିରୋଧୀ ଦଳ ବିଧାୟକ ବିଡିଓଙ୍କ ବିରୋଧରେ ମନ୍ତବ୍ୟ ମଧ୍ୟ ଦେଲେ। ତାକୁ ନେଇ ସାରା ରାଜ୍ୟରେ ବେଶ୍ ଚର୍ଚ୍ଚା ହେଲା। ହେଲେ ବିଡିଓଙ୍କ ବଦଳି କି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଆଜି ସିପିଆଇଏମ୍ କୋଇଡ଼ା ଖଣି ଅଞ୍ଚଳରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅର୍ଥନୈତିକ ଅବରୋଧ ସହ କୋଇଡ଼ା ବନ୍ଦ ପାଳନ କରିଥିଲା। ବିଧାୟକ ଶ୍ରୀ ମୁଣ୍ଡାଙ୍କ ନେତୃତ୍ବରେ ସିପିଆଇଏମ୍ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରମୋଦ କୁମାର ସାମଲ, ରାଜ୍ୟ କମିଟି ସଭ୍ୟ ପ୍ରଭାତ ପଣ୍ଡା, ଅଶୋକ ସାମଲ, ବାଦଲ ବାରିକ, ଜନ ଡୁଙ୍ଗଡୁଙ୍ଗ, ସୁରେଶ ମୁଦୁଲି, କେ ସି ବାରିକ, ଜିଲ୍ଲା ପରିଷଦ ସଦସ୍ୟା ସୁଶୀଳା ମୁଣ୍ଡା, ବ୍ଲକ୍ ଅଧ୍ୟକ୍ଷ ସୁରେଶ ନାଏକ, ଆନନ୍ଦ ମାସି ହର, ଲାଦୁ ମହାନ୍ତ ପ୍ରମୁଖଙ୍କ ସହ ୧୨ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟସଭ୍ୟା ସମେତ ହଜାର ହଜାର କର୍ମୀ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ।
ଜଣେ ବିଡିଓଙ୍କ ପାଇଁ ବିଧାୟକ, ବ୍ଲକ୍ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ସଦସ୍ୟ, ଜନପ୍ରତିନିଧି ଆନ୍ଦୋଳନ କରିବା ସହ ବିଧାନସଭାରେ ସରଗରମ ଆଲୋଚନା ହେବା ରାଜ୍ୟ ଇତିହାସରେ ଅଭୂତପୂର୍ବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।