କୋଇଡା: ୪୮ଘଣ୍ଟା ହେଲାଣି ଅନ୍ଧାରରେ କୋଇଡ଼ା ବ୍ଲକ୍। ଆଲୁଅ ବିନା ଅସ୍ତବ୍ୟସ୍ତ ହୋଇପଡ଼ିଲେଣି ଲୋକେ। ପାଣି ସମସ୍ୟା ସହ ଲୋକଙ୍କ ଜନଜୀବନ ବାଧାପ୍ରାପ୍ତ ହୋଇଛି। ବିଦ୍ୟୁତ୍ ସଂଯୋଗ କଟିବା ପରେ ଏବେ ସମସ୍ତ ସରକାରୀ ଓ ବେସରକାରୀ ସେବା ଠପ୍ ହୋଇଯାଇଛି। ଏହାର ସମାଧାନ ପାଇଁ ଲୋକେ ଦାବି କରୁଥିଲେ ବି ଏପର୍ଯ୍ୟନ୍ତ ଏହାର ସମାଧାନ ହୋଇପାରିନାହିଁ।

Advertisment

ସୂଚନା ମିଳିଛି ଯେ, ଗତ ୨୪ ତାରିଖ ଦିନ ବିଳମ୍ବିତ ରାତିରେ କେନ୍ଦୁଝର ଜିଲ୍ଲାରେ ଥିବା ଯୋଡା ବ୍ଲକ୍‌ର ୮ ନମ୍ବର ୱାର୍ଡ ନିକଟରେ ଏକ ୩୩ କେଭି ତାର ଛିଣ୍ଡି ଯାଇଥିଲା। ଏହା ପରେ ଯୋଡା ଗ୍ରିଡ୍‌ରୁ କୋଇଡା ବ୍ଲକ୍‌କୁ ବିଦ୍ୟୁତ୍ ସରବରାହ ବନ୍ଦ ହୋଇଯାଇଥିଲା। ଏହା କ‌ାରଣରୁ କିଛି ଲୋକଙ୍କ ଟିଭି-ଫ୍ରିଜ୍ ପୋଡ଼ିଯାଇଥିଲା ବୋଲି ଅଭିଯୋଗ ହୋଇଛି। ତେବେ ବିଦ୍ୟୁତ୍ ସରବରାହ ବନ୍ଦ ହେବା ପରେ ଏହାର ମରାମତି ପାଇଁ ଗ୍ରାମବାସୀ ଦାବି କରିଥିଲେ। ଏହା ସହ ପୋଡ଼ିଯାଇଥିବା ଟିଭି-ଫ୍ରିଜ୍ ପାଇଁ କ୍ଷତିପୂରଣ ମଧ୍ୟ ମାଗିଥିଲେ। ଏପର୍ଯ୍ୟନ୍ତ ଯୋଡା ଗ୍ରିଡ୍‌ରୁ କୋଇଡା ବ୍ଲକ୍‌କୁ ବିଦ୍ୟୁତ୍ ସରବରାହ ବନ୍ଦ ରହିଥିବାରୁ ଦୁଇ ଦିନ ହେଲା ସମ୍ପୁର୍ଣ୍ଣ ଅନ୍ଧାରରେ କୋଇଡା ବ୍ଲକ୍ ।

ଘଟଣା ସମ୍ପର୍କରେ ଅବଗତ ପରେ ସୁନ୍ଦରଗଡ ଜିଲ୍ଲା ପ୍ରସାଶନ, କେନ୍ଦୁଝର ଜିଲ୍ଲା ପ୍ରଶାସନଙ୍କୁ ହସ୍ତକ୍ଷେପ କରିବା ପାଇଁ ସାହାଯ୍ୟ ଲୋଡିଥିଲେ। ହେଲେ ସବୁପରେ ବି ଏପର୍ଯ୍ୟନ୍ତ ସୁଫଳ ମିଳିପାରିନାହିଁ ।