କୋଇଡ଼ାର ଦୁଇଟି ଖଣି ନିଲାମରେ ରୋକ୍‌

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ଚାନ୍ଦିପୋଷି ଓ ପୁରେଇବାହାଲ ଲୁହାପଥର ଖଣି ନିଲାମ ପାଇଁ ରାଜ୍ୟ ସରକାର ଯେଉଁ ଇ-ନିଲାମ ବିଜ୍ଞପ୍ତି ଜାରି କରିଥିଲେ, ସେଥିରେ ଦିଲ୍ଲୀ ହାଇକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି। ଫଳରେ ଗତ ୫ ଓ ୮ ତାରିଖରେ ହୋବକୁ ଥିବା ଇ-ନିଲାମ ଅନ୍ୟାଦେଶ ପର୍ଯ୍ୟନ୍ତ ସ୍ଥଗିତ ରହିବ।

ଏହି ଦୁଇଟି ଖଣିର ଇ-ନିଲାମରେ ୧୭ଟି ନାମୀ-ଦାମୀ କମ୍ପାନି ଅଂଶଗ୍ରହଣ କରିଥିଲେ। ସେମାନଙ୍କ ନିଲାମ ଦଲିଲ୍‌ ଉପରୋକ୍ତ ତାରିଖରେ ଯାଞ୍ଚ ଓ ସମୀକ୍ଷା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ତେବେ ପ୍ରତିବାଦୀ ପକ୍ଷର ପିଟିସନ୍‌କୁ ଗ୍ରହଣ କରି କୋର୍ଟ ରହିତାଦେଶ ଜାରି କରିବା ସହ ଆସନ୍ତା ୧୫ ଦିନ ମଧ୍ୟରେ କେନ୍ଦ୍ର ସରକାରଙ୍କୁ ଜବାବ ଦାଖଲ ପାଇଁ ନୋଟିସ୍‌ ଜାରି କରିଛନ୍ତି। ମଧ୍ୟବର୍ତ୍ତୀକାଳୀନ ରହିତାଦେଶରେ ଦିଲ୍ଲୀ ହାଇକୋର୍ଟ ଦର୍ଶାଇଛନ୍ତି ଯେ, ଇ-ନିଲାମ ପ୍ରକ୍ରିୟାରେ ଓଡ଼ିଶା ସରକାର ଗ୍ରହଣ କରିଥିବା ଆବେଦନଗୁଡ଼ିକ ମଧ୍ୟରୁ ନିର୍ଦ୍ଦିଷ୍ଟ ସଂସ୍ଥା ସଂଶୋଧିତ ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ)-୨୦୧୫ର ଧାରା-୬(୧) ବି’ରେ ଥିବା ସର୍ତ୍ତ ଉଲ୍ଲଙ୍ଘନ କରୁଥିଲେ ମଧ୍ୟ ତାହାର ଆବେଦନକୁ ବିଚାରକୁ ନିଆଯାଉଛି।

ସୂଚନାଯୋଗ୍ୟ, ଉପରୋକ୍ତ ଧାରା ଅନୁଯାୟୀ କୌଣସି ସଂସ୍ଥା ୧୦ ବର୍ଗ କିଲୋମିଟର (କି.ମି)ଠାରୁ ଅଧିକ କ୍ଷେତ୍ରଫଳର ଖଣି ଲିଜ୍‌ ଉପଭୋଗ କରୁଥିଲେ, ତାହାକୁ ଇ-ନିଲାମ୍‌ରୁ ନିଷିଦ୍ଧ କରାଯିବା ସର୍ତ୍ତ ରହିଛି। ମାତ୍ର ଉପରୋକ୍ତ ଦୁଇଟି ଖଣି ପାଇଁ ଆହୂତ ଇ-ନିଲାମରେ ଅଂଶଗ୍ରହଣ କରିଥିବା କିଛି ସଂସ୍ଥା ଧାର୍ଯ୍ୟ ସୀମାଠାରୁ ଅଧିକ ଅଞ୍ଚଳର ଖଣି ଲିଜ୍‌ ପାଇଛନ୍ତି। ଜଣେ ବରିଷ୍ଠ ଅଫିସରଙ୍କ ପ୍ରତିକ୍ରିୟା ଅନୁସାରେ ଇ-ନିଲାମ ପାଇଁ ଧାର୍ଯ୍ୟ ଖଣି ସୀମା ୧୦ ବର୍ଗ କି.ମି.କୁ ୭୫ ବର୍ଗ କି.ମି. ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କଠାରୁ ଅନୁମତି ଲୋଡ଼ିଛନ୍ତି। ମାତ୍ର ତାହା ବିଚାରାଧୀନ ଅଛି। ତେବେ ଓଡ଼ିଶା ସରକାରଙ୍କ ଅନୁରୋଧକ୍ରମେ କେନ୍ଦ୍ର ସରକାର ପ୍ରସ୍ତାବିତ ସଂଶୋଧନ ପାଇଁ ଅନୁମତି ପ୍ରଦାନ କରିବେ କି ନାହିଁ, ସେ ସଂକ୍ରାନ୍ତରେ ୧୫ ଦିନ ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର