କୋଇଡ଼ା ରାସ୍ତା ୨୦ ବର୍ଷରେ ୧୦୦ କୋଟି ଖର୍ଚ୍ଚ, ତଥାପି ଆଣ୍ଠୁଏ ଗାତ

ଭୟଙ୍କର ଧୂଳି କବ୍‌ଜାରେ ଅଞ୍ଚଳବାସୀ, ନିର୍ମାଣ କାର୍ଯ୍ୟରେ ବ୍ୟାପକ ହରିଲୁଟ୍

କୋଇଡ଼ା‌ : ସୁନ୍ଦରଗଡ଼ ଜିଲ୍ଲାର ପ୍ରମୁଖ ସମସ୍ୟା ମଧ୍ୟରେ କୋଇଡ଼ା ରାସ୍ତା ସବୁଠୁ ଆଗରେ। ପ୍ରାକୃତିକ ସଂପଦରେ ଭରପୂର କୋଇଡ଼ା, କିନ୍ତୁ ବର୍ଷର ସବୁ ସମୟରେ କୋଇଡ଼ା ରାସ୍ତାକୁ ନେଇ ଚର୍ଚ୍ଚା ହୁଏ। ରାସ୍ତା ଖରାପ ପାଇଁ କୋଇଡ଼ା ଯିବାକୁ ସରକାରୀ ଅଧିକାରୀ ହେଉ କି ବେସରକାରୀ ସଂସ୍ଥାର କର୍ମଚାରୀ ଡରନ୍ତି। କାରଣ କଷ୍ଟେ ମଷ୍ଟେ କୋଇଡ଼ାରେ ପହଞ୍ଚି ଗଲେ ବି ଫେରି ପାରିବେ କି ନାହିଁ ଭରସା ପାଏନି। ବର୍ଷର ଅଧିକାଂଶ ସମୟରେ ଏହି ରାସ୍ତା ଜାମ୍ ରୁହେ। ପରିସ୍ଥିତି ଅସମ୍ଭାଳ ହେଲେ ମୋରମ ପକାଇ ରାସ୍ତାକୁ ଯେନତେନ ପ୍ରକାର ମରାମତି କରା ଯାଉଛି, ତାହା ଦିନଟିଏ ବି ତ ଯାଉନି, ପୁଣି ସେଥିରୁ ଯେଉଁ ଧୂଳି ବାହାରେ ସେଥିରେ ଭୟଙ୍କର ସ୍ଥିତି ସୃଷ୍ଟିହେଉଛି। ଲୋକେ ଘର ଭିତରେ ବି ରହି ପାରୁନାହାନ୍ତି। ଏ ଭୟଙ୍କର ଧୂଳିର ଭୟରେ ଅନେକ ସରକାରୀ କର୍ମଚାରୀ କୋଇଡ଼ାକୁ ନିଜ ପିଲାଙ୍କୁ ଆଣନ୍ତି ନାହିଁ। ସ୍ଥାନୀୟ ଲୋକେ ମଧ୍ୟ ଏ ଧୂଳିରୁ ରକ୍ଷା ପାଇବାଲାଗି ଟିକିଏ ଛୁଟି ପାଇଲେ ପିଲାମାନଙ୍କୁ ବନ୍ଧୁ ବାନ୍ଧବଙ୍କ ଘରକୁ ପଠାଇ ଦିଅନ୍ତି। ମରାମତି ଅଭାବରୁ କୋଇଡ଼ା ରାସ୍ତା ଅବସ୍ଥା ଠିକ୍‌ ରୁହେ ନାହିଁ ବୋଲି ଯାହାର ଧାରଣା ଥିବ, ତାହା ଆଦୌ ଠିକ୍‌ ନୁହେଁ। ଏହି ରାସ୍ତା ପାଇଁ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ଗତ ୨୦ ବର୍ଷ ମଧ୍ୟରେ କୋଇଡ଼ାକୁ ସଂଯୋଗ ରାସ୍ତାରେ ୧୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ଅବସ୍ଥା ‘ଯଥା ପୂର୍ବଂ ତଥା ପରଂ’। ରାସ୍ତାରେ ଆଣ୍ଠୁଏ ଲେଖାଏଁ ଖାଲ। ଏବେ ମୋରମ ପକାଇ ମରାମତି କରାଯାଉଛି। ଯାହାକି ଦିନଟିଏ ବି ଯାଉନି। ରାସ୍ତା ନିର୍ମାଣ ବେଳେ ବ୍ୟାପକ ହରିଲୁଟ୍ ଏହାର ପ୍ରମୁଖ କାରଣ ବୋଲି କୁହାଯାଉଛି।

ଏକଦା ବଣ ପାହାଡ଼ ଘେରା କୋଇଡ଼ାର ସୌନ୍ଦର୍ଯ୍ୟ ଥିଲା ବେଶ୍‌ ମନଲୋଭା। ଶୀତ ଦିନରେ ‘ଜିରୋ ପଏଣ୍ଟ’ ଅଞ୍ଚଳରେ ବରଫ ମଧ୍ୟ ପଡୁଥିଲା। ସବୁ ପ୍ରକାର ବନ୍ୟଜନ୍ତୁ ସହ ମୂଲ୍ୟବାନ ବୃକ୍ଷଲତା ମଧ୍ୟ ଥିଲା। ଖଣି ଖନନ ପରେ କୋଇଡ଼ାର ପ୍ରାକୃତିକ ସୌନ୍ଦର୍ଯ୍ୟ ଉଜୁଡ଼ି ଯାଇଛି। ଏଥିସହ କୋଇଡ଼ାକୁ ସଂଯୋଗ ରାସ୍ତା ଘାଟ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଲୁହାପଥର ଟ୍ରକ୍‌ ପାଇଁ ରାସ୍ତା ବଡ଼ ବଡ଼ ଗାତରେ ପରିଣତ ହେଉଛି। କଲେଇପୋଷରୁ ଟେନ୍‌ସା ଦେଇ କୋଇଡ଼ା ଏବଂ ଲହୁଣିପଡ଼ାରୁ କାଲ୍‌ଟା ଦେଇ କୋଇଡ଼ାକୁ ସଂଯୋଗ ଦୁଇଟି ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଏହି ଦୁଇ ରାସ୍ତା ମରାମତି ପାଇଁ ଖଣି ମାଲିକ, ରାଜ୍ୟ ସରକାର ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଦେଇଛନ୍ତି। କିନ୍ତୁ ରାସ୍ତାର ସ୍ଥାୟୀ ସମାଧାନ ହୋଇପାରୁନାହିଁ। ଗତ ୨୦ ବର୍ଷରେ ରାସ୍ତା ମରାମତିରେ ୧୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। କୋଇଡା ବ୍ଲକ ମୁଖ୍ୟ ଛକ ରାସ୍ତା ( ପ୍ରାୟ ଦେଢ କିଲୋମିଟର ଦୂରତା) ପାଇଁ ଗତ ୫ ବର୍ଷରେ ୨୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ତଥାପି ରାସ୍ତାରେ ଗାତ ଏବଂ ସବୁ ସମୟରେ ଲାଲ ଧୂଳିଗୁଣ୍ଡ ଉଡୁଛି। ଫଳରେ କୋଇଡ଼ା ବଜାରରେ ଲୋକେ ଘରେ ରହି ପାରୁନାହାନ୍ତି। ଦୋକାନ ବଜାର, ଆସବାବପତ୍ର, ଖାଦ୍ୟ ପଦାର୍ଥରେ ଧୂଳି ଆସ୍ତରଣ ଜମୁଛି। ସବୁ ସମୟରେ ଧୂଳି ପରିବେଶ ଥିବା ବେଳେ ଲୋକେ ଯକ୍ଷ୍ମା,  ଶ୍ୱାସ, ଚର୍ମ ରୋଗ ଭଳି ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଗଛପତ୍ର ଠାରୁ ଆରମ୍ଭ କରି ଘରଦ୍ବାର ସବୁ ଲାଲରଙ୍ଗ ଦିଶୁଛି । ଲୋକେ ଧୂଳିରେ ଅଣନିଶ୍ବାସୀ ହୋଇ ପଡୁଛନ୍ତି । ଏହାର ପ୍ରତିକାର ପାଇଁ ଗତ ଦୁଇ ଦଶନ୍ଧୀରେ ବହୁ ଥର ଆନ୍ଦୋଳନ ହୋଇଥିଲେ ମଧ୍ୟ ଫଳ ମିଳୁନି । ଗତ ୧୩ ତାରିଖ ଦିନ ସ୍ଥାନୀୟ ବାସିନ୍ଦା ପୁଣି ଥରେ ଏନେଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦେଇଥିଲେ । ରାସ୍ତାର ସ୍ଥାୟୀ ମରାମତି ପାଇ ପଦକ୍ଷେପ ନ ନେଇ ପୂର୍ତ୍ତବିଭାଗ ଓ ପ୍ରଶାସନ ଆଜି ପୁଣି ଦୁଇ ଟ୍ରକ୍‌ ମୋରମ ପକାଇ ଜନସାଧାରଣଙ୍କୁ ଭଣ୍ଡେଇ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର