କୋଇଡ଼ା: ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ାରେ ବାହୁଡ଼ାଯାତ୍ରା ଦେଖି ଫେରୁଥିବାବେଳେ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା ଓ ଜଣେ ଗୁରୁତର ହୋଇଥିଲେ। ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ କ୍ଷତିପୂରଣ ଓ ଚାକିରି ଦାବିରେ ପରିବାରଲୋକେ ଗ୍ରାମବାସୀଙ୍କ ସମର୍ଥନରେ ରାସ୍ତାରୋକ କରିଥିଲେ। ଦୀର୍ଘ ୧୭ ଘଣ୍ଟା ପରେ ଏହି ସମସ୍ୟାର ସମାଧାନ ହୋଇଛି। କ୍ଷତିପୂରଣ ପ୍ରତିଶ୍ରୁତି ମିଳିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଛି। ଏହାପରେ ପୁଲିସ ଶବ ଜବତକରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Advertisment

ସୂଚନା ଅନୁସାରେ, ନିଜ ବାଇକ୍ ଓଡି ୦୯ ପି ୭୯୬୫ ଯୋଗେ କେଇଡ଼ା ବ୍ଲକ୍ ମାଲଦା ପଞ୍ଚାୟତ କଳମଙ୍ଗ ଗ୍ରାମର ତିନିବନ୍ଧୁ ଅଜିତ ମୁଣ୍ଡା, ଜଗଦୀଶ ଦେହୁରୀ ଓ ବିକ୍ରମ ମୁଣ୍ଡା ବାହୁଡ଼ାଯାତ୍ରା ଦେଖିବାକୁ ଆସିଥିଲେ। ଯାତ୍ରା ଦେଖି ସନ୍ଧ୍ୟା ପ୍ରାୟ ୮ଟା ସମୟରେ ‌ଘରକୁ ଫେରୁଥିବାବେଳେ ସାଗାସାହି ନିକଟ ରାସ୍ତାରେ ପଛପଟୁ ଟ୍ରକ୍ ସହ ଧକ୍କା ଦେଇଥିଲେ। ଧକ୍କା ଏତେ ଜୋର ହୋଇଥିଲା ଯେ ୩ ବନ୍ଧୁ ରାସ୍ତାରେ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ଅଜିତ୍ ଓ ଜଗଦୀଶଙ୍କ ମୃତ୍ୟୁ ଘଟିଥିଲା ଓ ବିକ୍ରମ ଗୁରୁତର ହୋଇଥିଲେ। ସ୍ଥାନୀୟଲୋକେ ଗୁରୁତର ବିକ୍ରମଙ୍କୁ କୋଇଡ଼ା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରୁ ସଂକଟାପନ୍ନ ଅବସ୍ଥାରେ ତାଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଥିଲା। ଅନ୍ୟପକ୍ଷରେ ଦୁର୍ଘଟଣା ଖବରପାଇ ପରିବାରଲୋକେ ଓ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିଥିଲେ।

publive-image

କୋଇଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ହେଁ କ୍ଷତିପୂରଣ ଓ ଚାକିରି ଦାବିରେ ପରିବାର ଓ ଗ୍ରାମବାସୀ ଶବ ଉଠାଇବା ପାଇଁ ଦେଇନଥିଲେ। ରାତିସାରା କୋଇଡ଼ା ଥାନାଧିକାରୀ ଲୋକେଶ୍ୱର ସାହୁ ଓ ତହସିଲଦାର ଡି ଏସ୍‌ ଶୁଭଦର୍ଶୀ ଯୋଶୀ ଲୋକଙ୍କୁ ବୁଝାଇବାକୁ ଚେଷ୍ଟାକରି ବିଫଳ ହୋଇଥିଲେ। ସାଗାସାହି ମିତ୍ତଲ ଖଣିର ପରିବହନ ଯୋଗୁ ଦୁର୍ଘଟଣା ଘଟୁଛି। ସେଥିପାଇଁ ଖଣି କର୍ତ୍ତୃପକ୍ଷ ପରିବାରଙ୍କୁ ୫୦ ଲକ୍ଷ ନଗଦ କ୍ଷତିପୂରଣ ସହ ଖଣିରେ ନିଯୁକ୍ତି ଦେବାକୁ ସେମାନେ ଦାବି କରିଥିଲେ। ଗୁରୁବାର ସକାଳେ ପରିବାର ଓ ଗ୍ରାମବାସୀଙ୍କ ଦାବି ନେଇ ଖଣି କର୍ତ୍ତୃପକ୍ଷ, ପରିବହନ ସଂସ୍ଥା, ପ୍ରାଶାସନିକ ଅଧିକାରୀଙ୍କ ସମେତ ତହସିଲଦାର ଶ୍ରୀ ଯୋଶୀ, ବଣାଇ ଉପଖଣ୍ଡ ପୁଲିସ ଅଧିକାରୀ ସ୍ବରାଜ ଦେବତା, କୋଇଡ଼ା ଥାନାଧିକାରୀ ଲୋକେଶ୍ୱର ସାହୁ ଆଲୋଚନା କରିଥିଲେ। ଏହାପରେ ପରିବାରଙ୍କ ଭିତରୁ ୫ ଜଣକୁ ମାସିକ ଭତ୍ତା ଆକାରରେ କ୍ଷତିପୂରଣ ଦିଆଯିବା ସହ ଉଭୟ ମୃତ ପରିବାରଙ୍କୁ ୪ ଲକ୍ଷ ଲେଖାଏଁ ସହ ସରକାରୀ ସହାୟତା ରାଶି ପ୍ରଦାନ କରାଯିବା, ଗୁରୁତର ବିକ୍ରମଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବା ଓ ଶୁଦ୍ଧିକ୍ରିୟା ପାଇଁ ଅର୍ଥପ୍ରଦାନ ପ୍ରତିଶ୍ରୁତି ପରେ ଅପରାହ୍ନ ୨ଟାରେ ରାସ୍ତାରୋକ ପ୍ରତ୍ୟାହାର ହୋଇଥିଲା। ତା’ପରେ ଘଟଣାସ୍ଥଳରୁ ଶବ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଥିଲା।