ଜାମରେ ଫସୁଛି ଆମ୍ବୁଲାନସ, ଅଧା ବାଟରେ ଛଟପଟ ହେଉଛନ୍ତି ରୋଗୀ

କୋଇଡା: ଖଣି ଖାଦାନ ଭରା କୋଇଡା ଅଞ୍ଚଳରେ ରାସ୍ତା ଜାମ କିଛି ନୂଆ କଥା ନୁହେଁ । ଏହି ଅଞ୍ଚଳର ରାଜରାସ୍ତାରେ ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ରାସ୍ତା ଜାମ ସମସ୍ୟା ସମ୍ନାକୁ ଆସିଥାଏ । ଏମିତିକି ଅତୀତରେ ରାସ୍ତା ଜାମରେ ରୋଗୀର ମୃତ୍ୟବରଣ ଏବଂ ରାସ୍ତା ଜାମରେ ଉଚ୍ଚ ପଦସ୍ଥ ଅଧିକାରୀ ଘଣ୍ଟା ଘଣ୍ଟା ଧରି ଫସି ରହି ଫେରିଯିବାର ଇତିହାସ ଏହାର ମୂକସାକ୍ଷୀ । କୋଇଡାବାସୀଙ୍କ ପାଇଁ ଯେମିତି ଅଘୋଷିତ କର୍ଫ୍ୟୁ ଲାଗିଲା ପରି ଦୈନନ୍ଦିନ ଜୀବନ ଅତିବାହିତ କରୁଛନ୍ତି ।

ରାତି ପାହିଲେ ଖଣିଜ ପରିବହନ ପାଇଁ ରାଜ୍ୟ ଏବଂ ଜିଲ୍ଲା ବାହାରୁ ଛୁଟି ଆସେ ହଜାର ହଜାର ମାଲବାହୀ ଟ୍ରକ । ଏପଟେ ବହୁ ଖଣି ବନ୍ଦ ହେବା ଫଳରେ ଯେଉଁ ଖଣି ଚାଲିଛି ସେଥିରୁ ଖଣିଜ ପରିବହନ ପାଇଁ ଆସୁଥିବା ଟ୍ରକ ରାସ୍ତାରେ ପାର୍କ କରାଯାଉଥିବାରୁ ଭୟଙ୍କର ଜାମ ସୃଷ୍ଟି ହେଉଛି । ହଜାର ହଜାର ଲୌହ ପଥର ବୋଝେଇ ଟ୍ରକ ସମେତ ଆମ୍ବୁଲାନ୍ସ, ଚାରିଚକିଆ ଯାନ, ବାଇକ, ଘଣ୍ଟା ଘଣ୍ଟା ଧରି ଜାମରେ ଫସି ରହୁଛି । ଭୁଲ୍ ପାର୍ଶ୍ଵ ସହିତ ଡବଲ ଲାଇନ ପାର୍କିଙ୍ଗ ଓ ତା’ ସାଙ୍ଗକୁ ଶହ ଶହ ଟ୍ରକ ତେଲ ଟାଙ୍କିରେ ତେଲ ଭରିବା ପାଇଁ ଲମ୍ବା ଲାଇନ୍ କରିବା ଜାମର ମୁଖ୍ୟ କାରଣ ପାଲଟିଛି ।

 

ସ୍ଥାନୀୟ ପୁଲିସ ଓ ସ୍ୱେଚ୍ଛାସେବୀମାନେ ଘଟଣାସ୍ଥଳରେ ପହଞ୍ଚି ବହୁଥର ଜାମ ହଟାଇବା ପାଇଁ ଅନେକ ଚେଷ୍ଟା ଜାରି ରଖୁଥିଲେ ହେଁ ସେମାନେ ଗଲା ପରେ ଯଥା ପୁର୍ବଂ ତଥା ପରଂ। ଗୋଟିଏ ପଟେ କୋଇଡା-କାଲଟା ଜାତୀୟ ରାଜପଥ ରାସ୍ତାର ଅବସ୍ଥା ଅତି ଶୋଚନୀୟ ଥିବା ବେଳେ ପ୍ରାୟ ସମୟରେ ରାସ୍ତା ଜାମ୍ ଲାଗି ରହିଥାଏ | ଅନ୍ୟପଟେ କୋଇଡା- ଟେନସା – କଲେଇପୋଷ ଘାଟି ରାସ୍ତା ତ୍ରୁଟିପୂର୍ଣ୍ଣ ହୋଇଥିବାରୁ ଗାଡି ଚଢି ନପାରି ସବୁବେଳେ ବ୍ରେକଡାଉନ୍ ହେଉଛି, ଯାହାଫଳରେ ଭୟଙ୍କର ଜାମ ହେଉଛି । ତଥାପି ସବୁ ବିଭାଗ ଚୁପ୍| ଜରୁରୀକାଳିନ ଆମ୍ବୁଲାନ୍ସ ୧୦୮ ସମେତ ଅଗ୍ନିଶମ ବିଭାଗ ଗାଡି ବହୁ ଘଣ୍ଟା ଧରି ଜାମରେ ଫସି ରହିବା ଦୃଶ୍ୟ କୋଇଡା ଅଞ୍ଚଳ ପାଇଁ ଚିନ୍ତାର ବିଷୟ ପାଲଟିଛି । ସବୁବେଳେ ଏମିତି ଦୃଶ୍ୟ ଦେଖି ଲାଗୁଛି ଏ ଅଞ୍ଚଳର ରୋଗୀ ଆମ୍ବୁଲାନ୍ସରେ ସ୍ଥାନାନ୍ତରିତ ହେବା ସମୟରେ ଅଧା ବାଟରେ ରୋଗୀର ନିଶ୍ୱାସ ବାଜିରେ ଲାଗିଥାଏ । ଜିଲ୍ଲା ପ୍ରଶାସନ ଏ ରାସ୍ତାର ଜାମ ସମସ୍ୟା ଦୂର ନକଲେ ପୁନର୍ବାର ଆମ୍ବୁଲାନ୍ସ ଅଟକି ରହି ପୁଣି ଅନେକ ରୋଗୀଙ୍କର ମୃତ୍ୟୁ ସହ ସ୍ଥିତି ଅସମ୍ଭାଳ ହେବ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି ।

ସମ୍ବନ୍ଧିତ ଖବର