୧୨ ଦିନ ହେଲା କୋଇଲି ବୈକୁଣ୍ଠରେ ତାଲା

ପୁରୀ : ଦିନେ କି ଦୁଇ ଦିନ ନୁହେଁ, ୧୨ ଦିନ ହେଲା କୋଇଲି ବୈକୁଣ୍ଠରେ ତାଲା ଝୁଲୁଛି। ଟେଣ୍ଡର ବିବାଦକୁ ନେଇ ଏଭଳି ଅଭାବନୀୟ ପରିସ୍ଥିତି ଦେଖା ଦେଇଥିବା ବେଳେ ଶ୍ରୀମନ୍ଦିରକୁ ବୁଲି ଆସୁଥିବା ଭକ୍ତମାନେ ପବିତ୍ର କୋଇଲି ବୈକୁଣ୍ଠ ଦର୍ଶନରୁ ବଞ୍ଚିତ ହୋଇଛନ୍ତି। ପୂର୍ବବର୍ଷ ତୁଳନାରେ ଟେଣ୍ଡର ପରିମାଣ କମ୍‌ ମୂଲ୍ୟର ପଡ଼ିବାରୁ ଏଭଳି ସ୍ଥିତି ଉପୁଜିଥିବା ଶ୍ରୀମନ୍ଦିର ନୀତି ପ୍ରଶାସକ ପ୍ରଦୀପ କୁମାର ଦାଶ ସୂଚନା ଦେଇଛନ୍ତି।

ଶ୍ରୀମନ୍ଦିର ଭଳି କୋଇଲି ବୈକୁଣ୍ଠର ଗୁରୁତ୍ୱ ଭକ୍ତଙ୍କ ଧାର୍ମିକ ଭାବନା ସହ ଜଡ଼ିତ। ନବକଳେବର ସମୟରେ ଏଠାରେ ବଳଭଦ୍ର, ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଓ ସୁଦର୍ଶନ ଚାରି ଠାକୁରଙ୍କର ବିଗ୍ରହକୁ ଏଠାରେ ପାତାଳି କରାଯାଏ। ଏହି ପରମ୍ପରା କାହିଁ କେଉଁ ଯୁଗରୁ ରହିଆସିଛି। ମହାପ୍ରଭୁଙ୍କ ପସନ୍ଦ ତୁଳସୀ ଗଛର ବିଶାଳ ବଗିଚା ବି ଏଠାରେ ରହିଛି। ଏହିଠାରୁ ହିଁ ତୁଳସୀ ପତ୍ର ତୋଳାଯାଇ ଦୈନିକ ମହାପ୍ରଭୁଙ୍କଠାରେ ଲାଗି ହୋଇଥାଏ। ଠାକୁରଙ୍କ ମାହାତ୍ମ୍ୟ ଦୃଷ୍ଟିରୁ କୋଇଲି ବୈକୁଣ୍ଠକୁ ପ୍ରତ୍ୟହ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ୫ ଟଙ୍କା ପ୍ରବେଶ ଟିକେଟ୍‌ ଦେଇ ବୁଲିଥାନ୍ତି। ନୀତି ପ୍ରଶାସକ ଶ୍ରୀ ଦାଶ କହିବାନୁସାରେ, ପ୍ରତିବର୍ଷ କୋଇଲି ବୈକୁଣ୍ଠକୁ ନିଲାମ ଦିଆଯାଏ। ଏଥି ପାଇଁ ନିର୍ଦ୍ଦିଷ୍ଟ ନିଲାମ୍‌ ଦର ଧାର୍ଯ୍ୟ ହୋଇଥାଏ। ଗତବର୍ଷ ୪୦ ଲକ୍ଷରୁ ଅଧିକ ଟଙ୍କାରେ କୋଇଲି ବୈକୁଣ୍ଠକୁ ନିଲାମ୍‌ ଦିଆଯାଇଥିଲା। ଗତବର୍ଷ ଯିଏ କୋଇଲି ବୈକୁଣ୍ଠର ନିଲାମ୍‌ ନେଇଥିଲେ ତାଙ୍କ କାର୍ଯ୍ୟକାଳ ଗତ ଏପ୍ରିଲ୍‌ ୩୦ରୁ ଶେଷ ହୋଇଗଲାଣି। ତେଣୁ ନିୟମ ଅନୁସାରେ ନୂଆ ଟେଣ୍ଡର ଆହ୍ଵାନ କରାଯାଇଥିଲା। କିନ୍ତୁ ଗତବର୍ଷ ଟେଣ୍ଡର ପରିମାଣ ଯେତିକି ରହିଥିଲା ତା’ଠାରୁ ବହୁ କମ୍‌ ମୂଲ୍ୟରେ ଟେଣ୍ଡର ପେପର ପକାଯାଇଥିଲା। ଯେଉଁଥି ପାଇଁ ପୁଣି ଥରେ ଟେଣ୍ଡର ଆହ୍ଵାନ କରାଯାଇଛି। ଏହି ପ୍ରକ୍ରିୟା ବର୍ତମାନ ସୁଦ୍ଧା ଚାଲିଛି। ଗତ ମେ ୧ରୁ ଶ୍ରୀମନ୍ଦିର ପ୍ରଶାସନ ଅଧିକ୍ଷକଙ୍କ ଅଧୀନରେ କୋଇଲି ବୈକୁଣ୍ଠର ଦାୟିତ୍ଵ ରହିଛି। କିନ୍ତୁ ଅଧିକ୍ଷକ କୌଣସି କାରଣରୁ ଏହାକୁ ବନ୍ଦ କରି ଦେଇଛନ୍ତି। ତେବେ କୋଇଲି ବୈକୁଣ୍ଠ କେବେ ଖୋଲିବ ସେ ସଂପର୍କରେ ଶ୍ରୀ ଦାଶ କିଛି ଜାଣିନଥିବା କହିଥିଲେ।

ସମ୍ବନ୍ଧିତ ଖବର