ଭୁଲି ଯାଉଛନ୍ତି କି ସରକାର?, ୩୦ହଜାର ହେକ୍ଟର ଜମି ଜଳସେଚିତ ନୋହିଲା, କୋଲାବ ପ୍ରକଳ୍ପ ସର୍ଭେକୁ ୧୨ ବର୍ଷ ବିତିଲା

ଜୟପୁର : ଦୁଇଟି ଜିଲ୍ଲାର ୩୦ହଜାର ହେକ୍ଟର ଜମିକୁ ଜଳସେଚନ ପାଇଁ ମଧ୍ୟ ଉପର କୋଲାବ ପ୍ରକଳ୍ପର ପରିକଳ୍ପନା କରିଥିଲେ ରାଜ୍ୟ ସରକାର। ଏଥିପାଇଁ ୧୨ବର୍ଷ ତଳେ ପ୍ରସ୍ତୁତି ଆରମ୍ଭ ହୋଇ ସର୍ଭେ କରାଯାଇଥିଲା। ଡିପିଆର ପ୍ରସ୍ତୁତ ହୋଇ ବ୍ୟୟବରାଦ ଅଟକଳ ହୋଇସାରିଛି।  କେନ୍ଦ୍ର ଓ ରାଜ୍ୟ ବନ ବିଭାଗ ସହ ପରିବେଶ ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ଅନୁମତି ମିଳିସାରିଛି। ଏହାପରେ କିନ୍ତୁ ପ୍ରକଳ୍ପ କାମ ଆଦୌ ଆଗେଇ ପାରିନାହିଁ। କୋରାପୁଟ ଜିଲ୍ଲାରେ ଆରମ୍ଭ ହେବାକୁ ଥିବା ଏହି ମେଗା ପ୍ରକଳ୍ପ ନାଲିଫିତା ତଳେ ରହିଯାଇଛି।

କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ଜଳସେଚନ ପାଇଁ ପ୍ରାୟ ୧୨ବର୍ଷ ତଳେ ରାଜ୍ୟ ସରକାର ମଧ୍ୟ ଉପର କୋଲାବ ପ୍ରକଳ୍ପ ନିମନ୍ତେ ନିଷ୍ପତ୍ତି ନେଇଥିଲେ। କୋରାପୁଟ ଜିଲ୍ଲାର ବୈପାରିଗୁଡା ଓ ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକରେ ଶୁଖିଲା ପଡୁଥିବା ଜମିକୁ ଜଳସେଚନ କରିବାକୁ ଲକ୍ଷ୍ୟ ରହିଥିଲା। ‌ସେହିପରି ରାଜ୍ୟ ସରକାର ବର୍ଷିକ ୧୫୫୪ ମେଗା ୟୁନିଟ ବିଜୁଳି ମଧ୍ୟ ଉତ୍ପାଦନ କରିବାକୁ ବି ନିଷ୍ପତ୍ତି ନେଇଥିଲେ। ପ୍ରକଳ୍ପକୁ ରାଜ୍ୟ ସରକାର ୨୦୦୬ ମସିହାରେ ମଞ୍ଜୁରି ଦେଇଥିଲେ। ସେହିବର୍ଷ ହିଁ କେନ୍ଦ୍ର ସରକାରଙ୍କ ଅନୁମୋଦନ ବି ମିଳିଥିଲା। ପ୍ରକଳ୍ପ ବାବଦରେ ମୋଟ ୧୩୯୬.୭୭କୋଟି ବ୍ୟୟବରାଦ ହୋଇଥିଲା। କେନ୍ଦ୍ରୀୟ ଜଳ ଆୟୋଗ ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୭-୧୮ ବର୍ଷରେ ୱାପକୋସ୍(ଡବ୍ଲ୍ୟୁଏପିସିଓସି) ପକ୍ଷରୁ ଡିପିଆର ପ୍ରସ୍ତୁତ କରି ଉପସ୍ଥାପନ କରାଯାଇଥିଲା। ହେଲେ ଏହାକୁ ଗ୍ରହଣ କରି ନଥିଲେ ସିଡବ୍ଲୁସି। ତ୍ରୁଟି ରହିଥିବା ଦର୍ଶାଇ ରାଜ୍ୟ ସରକାରଙ୍କ ନିକଟକୁ ଫେରାଇ ଦେଇଥିଲେ।

ଇତିମଧ୍ୟରେ ୧୨ ବର୍ଷ ବିତିଯାଇଥିଲେ ମଧ୍ୟ ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ ହୋଇପାରିନି କିମ୍ବା ରାଜ୍ୟ ସରକାର ଏଥିପ୍ରତି ତତ୍‌ପରତା ପ୍ରଦର୍ଶନ କରିନାହାନ୍ତି।

ସମ୍ବନ୍ଧିତ ଖବର