କୋରାପୁଟ: କୋରାପୁଟ ଜିଲ୍ଲାର ପ୍ରମୁଖ ଜଳଭଣ୍ଡାର କୋଲାବରେ ଗତ ୧୦ବର୍ଷ ମଧ୍ୟରେ ଜଳଧାରଣ କ୍ଷମତା ୬.୫ମିଟର ହ୍ରାସ ପାଇଛି। କୋରାପୁଟ ଜିଲ୍ଲାରେ କିଛି ବର୍ଷ ହେଲା ବର୍ଷା ସ୍ଥିତି ଜଟିଳ ହେବାରେ ଲାଗିଛି। ଚଳିତ ବର୍ଷକୁ ଉଦାହରଣ ରୂପେ ନିଆଗଲେ ବର୍ଷା ପରିମାଣ ଯଥେଷ୍ଟ କମିଛି। ଏହି ସମୟରେ ପୂର୍ବରୁ ଜଳଭଣ୍ଡାର‌ ସଂପୂର୍ଣ୍ଣ ଭର୍ତ୍ତି ହୋଇ ରହୁଥିବା ବେଳେ ଚଳିତ ବର୍ଷ ସ୍ଥିତି ସଂପୂର୍ଣ୍ଣ ଭିନ୍ନ ରହିଛି। ଜିଲ୍ଲାରେ ବାର୍ଷିକ ପ୍ରାୟ ୬୦୦୦ମିମି ବର୍ଷାକୁ ଦୃଷ୍ଟିରେ ରଖି ଜଳଭଣ୍ଡାରର ଜଳଧାରଣ କ୍ଷମତା ନିର୍ଦ୍ଧାରିତ ହୋଇଥିଲା। ଚଳିତ ବର୍ଷ ଜୁନ୍‌ରୁ ଅଗଷ୍ଟ ମାସ ମଧ୍ୟରେ ମାତ୍ର ୧୪୦୦ରୁ ୧୫୦୦ମିମି ମଧ୍ୟରେ ବର୍ଷା ହୋଇଛି। ତେଣୁ ଚଳିତ ବର୍ଷ ଜଳଭଣ୍ଡାର ଭର୍ତ୍ତି ସମ୍ଭାବନା କମ।

Advertisment

ପ୍ରତିବର୍ଷ ଏପ୍ରିଲ୍‌ରୁ ମେ ମାସ ମଧ୍ୟରେ ଜଳଭଣ୍ଡାର ଜଳସ୍ତର ମାପିବା ପରେ ସେହି ଅନୁସାରେ ଜଳ ପରିଚାଳନା ହୋଇଥାଏ। ଚଳିତ ବର୍ଷ ଏହି ସମୟରେ ଜଳଭଣ୍ଡାରରେ ଜଳସ୍ତର ୮୪୬.୩୨୦ ମିଟର ରହିଥିଲା। ୨୦୨୨ ମସିହାରେ ୮୪୧.୮୨୦ ମିଟର, ୨୦୨୧ରେ ୮୪୮.୮୨୦ ମିଟର, ୨୦୨୦ରେ ୮୫୩.୮୨୦ ମିଟର, ୨୦୧୯ରେ ୮୫୬.୮୨୦ ମିଟର, ୨୦୧୮ରେ ୮୫୭ ମିଟର, ୨୦୧୭ରେ ୮୫୫.୮୨୦ ମିଟର, ୨୦୧୬ରେ ୮୫୪.୮୨୦ ମିଟର, ୨୦୧୫ରେ ୮୫୪.୮୨୦ ମିଟର, ୨୦୧୪ରେ ୮୫୪.୮୨୦ ମିଟର ରହିଥିଲା। ଏହି ୧୦ବର୍ଷର ହାରାହାରି ଜଳସ୍ତରକୁ ଆକଳନ କଲେ ଚଳିତ ବର୍ଷ ସୁଦ୍ଧା ଜଳସ୍ତର ୬.୫ମିଟର ପର୍ଯ୍ୟନ୍ତ ହ୍ରାସ ପାଇଛି। ବର୍ଷା ପରିମାଣ ମଧ୍ୟ ଉଦ୍‌ବେଗର କାରଣ ପାଲଟିଛି। ଗତବର୍ଷ ଜୁଲାଇ ମାସ‌ରେ ଜିଲ୍ଲାରେ ହାରାହାରି ୪୫୧.୮୭ ମିମି ଏବଂ ସର୍ବମୋଟ ୬୩୨୬.୨ ମିମି ବର୍ଷା ରେକର୍ଡ ହୋଇଥିଲା। ୨୦୨୧ ଜୁଲାଇ ମାସରେ ହାରାହାରି ୨୩୮.୪୨ ମିମି ଏବଂ ମୋଟ ୩୩୩୮.୨ ମିମି ବର୍ଷା ହୋଇଥିଲା। ୨୦୨୦ ମସିହାରେ ହାରାହାରି ୨୭୨.୭୪ମିମି ଏବଂ ମୋଟ ୩୮୧୧.୩ ମିମି ବର୍ଷା ହୋଇଥିଲା। ପୂର୍ବରୁ ଉପରକୋଲାବ ଜଳବିଦ୍ୟୁତ ପ୍ରକଳ୍ପରୁ ୩୨୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହେଉଥିଲା। କିନ୍ତୁ ସମୟକ୍ରମେ ବିଦ୍ୟୁତ ଉତ୍ପାଦନ ହ୍ରାସ ପାଇଥିବା ବେଳେ ବର୍ତ୍ତମାନ ମାତ୍ର ୧୦୦ମେଗାୱାଟ ବିଦ୍ୟୁତ ଉତ୍ପାଦନ ହେଉଛି।