ଝାରସୁଗୁଡା : କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଇତିମଧ୍ୟରେ ର୍ୟାଙ୍କିଂ ଅଫ୍ ପୁଲିସ ଷ୍ଟେସନ-୨୦୨୦ ପ୍ରକାଶ ପାଇଛି। ଏଥିରେ ଦେଶର ୧୦ଟି ଶ୍ରେଷ୍ଠ ଥାନା ଓ ପ୍ରତି ରାଜ୍ୟର ଗୋଟିଏ ଶ୍ରେଷ୍ଠ ଥାନା ଚୟନ କରାଯାଇଥାଏ। ଏଥିପାଇଁ ରାଜ୍ୟର ଦୁଇଟି ଥାନା ବାଲେଶ୍ବର ଜିଲ୍ଲାର ବସ୍ତା ଓ ଝାରସୁଗୁଡ଼ା ଜିଲ୍ଲାର କୋଲାବିରା ଥାନାର ନାମକୁ ବିଚାରକୁ ନିଆଯାଇଥିଲା। ତେବେ ଦେଶର ଶ୍ରେଷ୍ଠ ୧୦ ଥାନା ମଧ୍ୟରେ ରାଜ୍ୟର କୌଣସି ଥାନା ମନୋନୀତ ହୋଇ ନଥିବା ବେଳେ ରାଜ୍ୟର ଶ୍ରେଷ୍ଠ ଥାନା ଭାବରେ କୋଲାବିରା ଥାନାକୁ ଚୟନ କରାଯାଇଛି।
ଦେଶର ପ୍ରତି ରାଜ୍ୟର ଗୋଟିଏ ପୁଲିସ ଷ୍ଟେସନ୍କୁ ଟପର୍ ତାଲିକାରେ ରଖାଯାଇଥାଏ। ଏଥିପାଇଁ ଅନେକ ବିଭାଗକୁ ମାନଦଣ୍ଡ ଭାବରେ ନିଆଯାଇଥାଏ। ପୁଲିସ ଷ୍ଟେସନ୍ର ଭିତ୍ତିଭୂମି, ଆଇନ ପରିସ୍ଥିତି, କର୍ମଚାରୀଙ୍କ ସ୍ଥିତି ଓ ବ୍ୟବହାର, ଥାନାର ବ୍ୟବସ୍ଥା, କେସ୍ ଡିସପୋଜାଲ, ଥାନା କୋଠା, ହାଜତ, ଅଫିସ, ପାଇଖାନା ଭଳି ଅନେକ ବ୍ୟବସ୍ଥା ଉପରେ ସର୍ଭେ କରାଯାଇ ଶ୍ରେଷ୍ଠ ଥାନା ବଛା ଯାଇଥାଏ। ଏଥିରେ ଆମ ରାଜ୍ୟର ଝାରସୁଗୁଡ଼ା ଜିଲ୍ଲାର କୋଲାବିରା ଥାନାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମନୋନୀତ କରିଥିବା ଜଣାଯାଇଛି। ଦେଶର ୧୭ ହଜାର ଥାନା ମଧ୍ୟରେ ଏହି ଚୟନ କରାଯାଇଥାଏ।