ରାଉରକେଲା/ଭୁବନେଶ୍ବର: ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଆଜିଠୁ ରାଉରକେଲାରୁ ସିଧାସଳଖ କୋଲକାତା ବିମାନ ସେବା ଆରମ୍ଭ ହେବାର ଥିଲା। କୋଲକାତା ଯିବାକୁ ରାଉରକେଲାର ୩୨ ଯାତ୍ରୀ ଟିକେଟ୍‌ କାଟିଥିଲେ। ଉତ୍କଣ୍ଠାର ସହ ରାଉରକେଲା ବିମାନବନ୍ଦରରେ କୋଲକାତାରୁ ଆସିବାକୁ ଥିବା ବିମାନକୁ ଅପେକ୍ଷା କରିଥିଲେ। କୋଲକାତାରୁ ପୂର୍ବାହ୍ନ ୧୧ଟାରୁ ବାହାରି ଅପରାହ୍ନ ସାଢ଼େ ୧୨ଟାରେ ରାଉରକେଲା ବିମାନବନ୍ଦରରେ ପହଞ୍ଚିବାର ଥିଲା। ରାଉରକେଲାରୁ ଅପରାହ୍ନ ୩ଟା ୫୦ ମିନିଟ୍‌ରେ ଛାଡି ସଂଧ୍ୟା ୫ଟା ୨୦ ମିନିଟ୍‌ରେ କୋଲକାତାରେ ପହଞ୍ଚିବାର ଥିଲା। ଯାତ୍ରୀମାନେ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ହେଁ, କୋଲକାତାରୁ ଆଲିଆନ୍ସ ଏୟାର ବାହାରି ନଥିଲା। ଶେଷରେ ଯାତ୍ରୀମାନେ ନିରାଶ ହୋଇ ଘରକୁ ଫେରିଥିଲେ। ବିମାନ କମ୍ପାନି ପକ୍ଷରୁ ସେମାନଙ୍କୁ ଯାତ୍ରୀଭଡ଼ା ଫେରସ୍ତ କରି ଦିଆଯାଇଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ ବିମାନ ଠିକ୍‌ ହୋଇ ନ ପାରିବାରୁ ଏଭଳି ସମସ୍ୟା ଉପୁଜିଲା ବୋଲି ବିମାନ କର୍ତ୍ତୃପକ୍ଷଙ୍କୁ ପକ୍ଷରୁ କୁହାଯାଇଛି। ତେବେ ଆରମ୍ଭରୁ ରାଉରକେଲା- କୋଲକାତା ମଧ୍ୟରେ ସିଧାସଳଖ ବିମାନ ସେବା ଝୁଣ୍ଟିବାକୁ ନେଇ ସହରବାସୀଙ୍କ ମଧ୍ୟରେ ଆଗାମୀ ଦିନରେ ବିମାନ ଚାଲିବ କି ନାହିଁ ସନ୍ଦେହ ସୃଷ୍ଟି ହୋଇଛି।

Advertisment

ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ରାଉରକେଲା-କୋଲକାତା ବିମାନସେବା ସମ୍ପର୍କରେ ସୂଚନା ଦିଆଯାଇଛି। ଆଲାଏନ୍‌ସ ଏୟାର ପକ୍ଷରୁ ଏହି ବିମାନ ସପ୍ତାହକୁ ତିନି ଦିନ, ଅର୍ଥାତ୍‌ ମଙ୍ଗଳବାର, ଗୁରୁବାର ଓ ଶନିବାର ଚଳାଚଳ କରିବ। ପ୍ରାରମ୍ଭିକ ବିମାନ ଭଡ଼ା ୧୯୯୯ ଟଙ୍କା ରହିଛି। ଏଥିପାଇଁ ରାଜ୍ୟ ସରକାର ଭାଏବିଲିଟି ଗ୍ୟାପ୍ ଫଣ୍ଡିଂ(ଭିଜିଏଫ୍‌) ଜରିଆରେ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି। ୩୫ଟି ଆସନ ପାଇଁ ଭିଜିଏଫ୍‌ ବ୍ୟବସ୍ଥା କରିଛନ୍ତି। ଏହାଦ୍ବାରା ସୁନ୍ଦରଗଡ଼ ଜିଲ୍ଲାରେ ଶିଳ୍ପ ଓ ପର୍ଯ୍ୟଟନ କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧିର ସମ୍ଭାବନା ସୃଷ୍ଟି ହେବ ବୋଲି ସରକାର ଆଶାବାଦୀ ରହିଛନ୍ତି।