‌କୋଲକାତା ଖୁଚୁରା ପଇସା ଓଡ଼ିଶାରେ ଦୁଇ ବସ୍‌ରୁ ୩୫ ବସ୍ତା କଏନ୍‌ ଜବତ

୬ ମାସ ହେଲା ଆସୁଥିଲା କଏନ୍‌ ବସ୍ତା

ଭୁବନେଶ୍ୱର: କେନ୍ଦ୍ରୀୟ ପରୋକ୍ଷ ଟିକସ ଓ ସୀମା ଶୁଳ୍କ ବୋର୍ଡର ନିବାରଣ ବିଭାଗ ଆଜି ଦୁଇଟି ବସ୍‌କୁ ଅଟକ ରଖିଛି। ବିନା ଇ-ୱେ ବିଲ୍‌ରେ କୋଲକାତାରୁ ମାଲ ଆସୁଥିବା ଖବର ପାଇ ବରିଷ୍ଠ ଅଧିକାରୀମାନେ ଚଢ଼ଉ କରି ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ଏହି ବସ୍‌ ଦୁଇଟିକୁ ସତ୍‌ସଙ୍ଗ ବିହାରରେ ଥିବା କାର୍ଯ୍ୟାଳୟକୁ ଅଣାଯାଇଛି। ତେବେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଏଥିରୁ ୩୫ ବସ୍ତା କଏନ୍‌( ଖୁଚୁରା ପଇସା) ଜବତ ହୋଇଛି। ଏହି ଖୁଚୁରା ପଇସା ଚାଲାଣରେ ବିଭାଗର ସମ୍ପର୍କ ନଥିବାରୁ ଏହାକୁ ତଦନ୍ତ କରିବା ପାଇଁ ବିଭାଗ ଆରବିଆଇକୁ ଚିଠି ଲେଖିଛି। ପଇସାଗୁଡ଼ିକୁ କାର୍ଯ୍ୟାଳୟ ପରିସରରେ ରଖାଯାଇଛି। ଏହାକୁ ଆରବିଆଇକୁ ହସ୍ତାନ୍ତର କରାଯିବ। କଏନ୍‌ ବସ୍ତା ବ୍ୟତୀତ ବସ୍‌ ଦୁଇଟିରୁ ପାଖାପାଖି ଶହେ ବସ୍ତାର ଅନ୍ୟ ସାମଗ୍ରୀ ମଧ୍ୟ ଜବତ ହୋଇଛି। ୫୦ ହଜାର ଟଙ୍କାରୁ ଅଧିକ ମାଲ୍‌ ପରିବହନ କଲେ ଇ-ୱେ ବିଲ ଆବଶ୍ୟକ ହୋଇଥାଏ। ଏଥିରେ କେତେକର ବିଲ୍‌ ଥିବା ବେଳେ କେତେକର ବିଲ ନାହିଁ। ଅଧିକ ମାଲ୍‌ ହୋଇଥିବାରୁ ତା’ର ହିସାବ ଆଜି କରାଯାଇ ପାରିନାହିଁ। ବସ୍‌ ଚାଳକକୁ ଏହାର ବିଲ୍‌ ମଗା ଯାଇଛି। ବିଲ୍‌ ସହ ମାଲ୍‌କୁ ତୁଳନା କରାଯିବା ପରେ ବାସ୍ତବ ତଥ୍ୟ ପଦାକୁ ଆସିବ ବୋଲି ସମ୍ପୃକ୍ତ ଅଧିକାରୀ କହିଛନ୍ତି। ତେବେ ଏଭଳି ବସ୍‌ ଜରିଆରେ ଅନେକ ଜିନିଷ କୋଲକାତାରୁ ଚାଲାଣ କରାଯାଇ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ଠକେଇ ହେଉଥିବା କଥା ପଦାକୁ ଆସିଛି। ଏହା ଉପରେ ନଜର ରଖିବା ସହ ଲଗାତାର ଚଢ଼ଉ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଏତେ ଗୁଡ଼ାଏ ଖୁଚରା ପଇସା କାହିଁକି ଆସୁଥିଲା ସେ ନେଇ ପ୍ରଶ୍ନ ଉଠିଛି। ବସ୍‌ ଚାଳକ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି। ଦୀର୍ଘ ୬ ମାସ ହେବ ଏଭଳି କଏନ୍‌ କୋଲକାତାରୁ ଚାଲାଣ ହେଉଛି। ଏଠାରେ ବ୍ୟବସାୟୀଙ୍କର ଖୁଚୁରା ପଇସା ଦରକାର ହେଉଛି ବୋଲି ବସ୍ ଚାଳକ କହିଛନ୍ତି। ମାତ୍ର ରାଜଧାନୀରେ ଖୁଚୁରା ଟଙ୍କାର ଏତେ ପ୍ରଚଳନ ରହିଛି ଯେ ଅନେକ ଦୋକାନୀ ଏହି ଖୁଚୁରା ଟଙ୍କା ଗ୍ରହଣ କରୁନାହାନ୍ତି। ଅନେକ ସମୟରେ ଏହି ଖୁଚୁରା ସମସ୍ୟା ପାଇଁ ଗ୍ରାହକ ଫେରାଇ ଦେବାବେଳେ ଦୋକାନରେ ଉତ୍ତେଜନା ପ୍ରକାଶ ପାଉଛି। ଏଭଳି ସ୍ଥିତିରେ ଖୁଚୁରା କାହିଁକି ଆସୁଥିଲା ସେ ନେଇ ଚାଳକ ଜଣଙ୍କ ସନ୍ତୋଷଜନକ ଉତ୍ତର ଦେଇ ପାରିନାହାନ୍ତି। ଖୁଚୁରା ଥରେ ପହଞ୍ଚି ଗଲା ପରେ ଏଠାରେ ତାଙ୍କ ଏଜେଣ୍ଟ ଆସି ନେଇ ଯାଆନ୍ତି। କେବଳ ଚାଲାଣ ବାବଦକୁ କିଛି କମିସନ୍‌ ମିଳିଥାଏ ବୋଲି କହିଛନ୍ତି। ଅନ୍ୟପଟେ ଏହି ରେଜା ବସ୍ତାରେ କେବଳ ନୂଆ ଟଙ୍କିକିଆ ଓ ଦୁଇ ଟଙ୍କିଆ (ଷ୍ଟିଲ) କଏନ୍‌ ରହିଛି। ଏହାକୁ ତରଳା ଯାଇ ଛୁଞ୍ଚି ଓ ବ୍ଲେଡ୍‌ ତିଆରି କରାଯାଉଥିବା ନେଇ ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି। ଗୋଟିଏ ଟଙ୍କିକିଆ କଏନ୍ରେ ଦୁଇରୁ ତିନୋଟି ବ୍ଲେଡ୍‌ ତିଆରି ହେଉଛି। ଫଳରେ ଗୋଟିଏ ଟଙ୍କାରୁ ୬ରୁ ୧୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର ସମ୍ଭବ ହେଉଛି। ଏଣୁ ଏସବୁକୁ ସଂଗ୍ରହ କରି ଏଭଳି ଚାଲାଣ କରାଯାଉଥିବା କୁହାଯାଉଛି। ତେବେ ଆସନ୍ତାକାଲି ଆରବିଆଇ କଣ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଛି।

ସମ୍ବନ୍ଧିତ ଖବର