ସମ୍ବଲପୁର: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ର ବହୁ ଚର୍ଚ୍ଚିତ ପାର୍ସଲ୍ ବୋମା କାଣ୍ଡ ଉପରେ ଆଧାରିତ ରାଜେଶ ଟଚ୍ରିଭର୍ଙ୍କ ଚଳଚ୍ଚିତ୍ର ବହୁ ବାଦବିବାଦ ମଧ୍ୟରେ ଶେଷରେ ସେନ୍ସର ବୋର୍ଡର ପ୍ରମାଣପତ୍ର ଲାଭ କରିଛି। ତେବେ ଆରମ୍ଭରୁ ବୁଲେଟ୍ ରାଜା, ପାଟନାଗଡ଼ ଆଦି ବିଭିନ୍ନ ନାମ ଏହି ଚଳଚ୍ଚିତ୍ର ପାଇଁ ବଛା ଯାଇଥିଲେ ବି ଶେଷରେ ‘ମାଇଣ୍ଡଗେମ୍’ ନାଁକୁ ସେନ୍ସର ବୋର୍ଡ ସ୍ବୀକୃତି ଦେଇଛି। ଏଥିରେ ପୁଞ୍ଜିଲାଲ ମେହେର କିଭଳି ପାର୍ସଲ୍ ବୋମା ତିଆରି କରି ଏକ ପରିବାରକୁ ଉଜାଡ଼ି ଦେଲା ତାର କାହାଣୀ ବର୍ଣ୍ଣନା କରାଯାଇଛି।
ଯେହେତୁ ଏହି ସିନେମାଟି ଉଭୟ ଓଡ଼ିଆ ଓ ତେଲୁଗୁ ଭାଷାରେ ହେଉଛି ତେଣୁ ଗୋଟିଏ ଦିନରେ ମୁକ୍ତିଲାଭ କରିବା ପାଇଁ ବର୍ତ୍ତମାନ ସୁଦ୍ଧା ତାରିଖ ସ୍ଥିର ହୋଇପାରି ନାହିଁ। କିନ୍ତୁ ଏହା ଖୁବ୍ ଶୀଘ୍ର ବଡ଼ ପରଦାରେ ଦେଖିବାକୁ ମିଳିବ ବୋଲି ଏହାର ମୁଖ୍ୟ ଚରିତ୍ରରେ ଅଭିନୟ କରିଥିବା ଅଭିନେତା ମନୋଜ ମିଶ୍ର ସୂଚନା ଦେଇଛନ୍ତି। ସେହିପରି ଏହା ଆଜି ଗୁରୁବାର କୋଲକାତା ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ୍ରେ ପ୍ରଦର୍ଶିତ ହୋଇଛି। ଆସନ୍ତା ରବିବାର ସଂଧ୍ୟା ୬ଟା ୩୦ରେ ପୁଣିଥରେ ଶିଶିର ମଞ୍ଚରେ ପ୍ରଦର୍ଶିତ ହେବ। ଗତ ବର୍ଷ ବି ଏହା କୋଲକାତା ଫିଲ୍ମ ଫେଷ୍ଟିଭାଲ୍ରେ ପ୍ରଦର୍ଶନ ପାଇଁ ମନୋନୀତ ହୋଇଥିଲା। କିନ୍ତୁ ସେନ୍ସର ପ୍ରମାଣପତ୍ର ନଥିବାରୁ ପ୍ରଦର୍ଶିତ ହୋଇପାରି ନଥିଲା ବୋଲି ଶ୍ରୀ ମିଶ୍ର ଉଲ୍ଲେଖ କରିଛନ୍ତି। ଏହି ସିନେମା ମୁକ୍ତିଲାଭ କଲା ପରେ ଏହାକୁ ବହୁ ସଂଖ୍ୟାରେ ଦେଖିବାକୁ ସେ ଲୋକଙ୍କୁ ଅନୁରୋଧ କରିଛନ୍ତି। ଏହି ସିନେମାରେ ସୁନିତା କ୍ରିଷ୍ଣନ୍, ଅତୁଲ କୁଲକର୍ଣ୍ଣୀ, ମନୋଜ ମିଶ୍ର ପ୍ରମୁଖ ଭୂମିକାରେ ଅଛନ୍ତି।