ବାଲେଶ୍ବର: ଆଜି (ଶୁକ୍ରବାର) ରାତି ପ୍ରାୟ ୯ଟା ବେଳେ କୋଲକାତାଠାରୁ ୧୫୦ କିମି ଦୂର ୧୬ ନମ୍ବର ଜାତୀୟ ରାଜପଥର ଖଡ଼ଗପୁର ଡେବ୍ରା ନିକଟରେ ଶିବମ୍ ଟ୍ରାଭେଲ୍ସର ‘ସଦାନନ୍ଦ’ ନାମକ ଏକ ଏସି ସ୍ଲିପର୍ ବସ୍ ଜଳିଯାଇଛି। ବସ୍ଟି ପଶ୍ଚିମବଙ୍ଗର କୋଲକାତା ବାବୁଘାଟରୁ ପାରାଦୀପ ଆସୁଥିବା ବେଳେ ଏହି ଅଘଟଣ ଘଟିଛି। ଅଗ୍ନିକାଣ୍ଡର ନିର୍ଦ୍ଦିଷ୍ଟ କାରଣ ସାମ୍ନାକୁ ଆସି ନଥିଲେ ବି ବସ୍ରେ ବିସ୍ଫୋରକ ସାମଗ୍ରୀ ଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି। ନିଆଁ ଲାଗିବା ପରେ କିଛି ଯାତ୍ରୀ ବସ୍ର ଝରକା କାଚ ଭାଙ୍ଗି ବାହାରକୁ ଡେଇଁପଡ଼ିଥିଲେ। ୩୬ରୁ ଅଧିକ ଯାତ୍ରୀ ବସ୍ ଭିତରୁ ବାହାରି ପାରି ନଥିଲେ। କିଛି ଲୋକ ଆହତ େହାଇଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ମେଦିନୀପୁର ମେଡିକାଲ୍ କଲେଜ ହସ୍ପିଟାଲ୍ ଏବଂ ଗ୍ରାମୀଣ ଡାକ୍ତରଖାନାକୁ ନେଇଥିଲେ। ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା ବେଳେ ୧ ଘଣ୍ଟା ଯାଏ କର୍ମଚାରୀମାନେ ଆସି ନଥିଲେ। ଯାହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ଏହି ଅଘଟଣରେ କାହାର ମୃତ୍ୟୁ ହୋଇଛି କି ନାହିଁ ଏବଂ ବସ୍ରେ କେତେଜଣ ଯାତ୍ରା କରୁଥିଲେ, ସେନେଇ ସୂଚନା ମିଳିନି। ଅନ୍ୟପଟେ ଦୁର୍ଘଟଣା ପରଠାରୁ ବସ୍ର ଡ୍ରାଇଭର୍, କଣ୍ଡକ୍ଟର ଓ ହେଲ୍ପର୍ଙ୍କ କୌଣସି ପତ୍ତା ନାହିଁ। ସ୍ଥାନୀୟ ବିଧାୟକ ଏବଂ ପ୍ରଶାସନିକ ଅଧିକାରୀମାନେ ମେଦିନୀପୁର ମେଡିକାଲ୍ କଲେଜ ଓ ହସ୍ପିଟାଲ୍ରେ ପହଞ୍ଚି ଆହତମାନଙ୍କ ଚିକିତ୍ସା କଥା ବୁଝୁଛନ୍ତି।
୩୬ ଯାତ୍ରୀ ଡାକ୍ତରଖାନାରେ ଭର୍ତ୍ତି
ଯାତ୍ରୀଙ୍କ ମଧ୍ୟରୁ ଓଡ଼ିଶାର ୨୫
କେନ୍ଦ୍ରାପଡ଼ାର ୧୬, ପାରାଦୀପର ୨, ଯାଜପୁରର ୭ ଯାତ୍ରୀ
୩ ଗାଡ଼ି କର୍ମଚାରୀଙ୍କ ପତ୍ତା ମିଳୁନି
ସିଟ୍ ତୁଳନାରେ ଥିଲେ ଅଧିକ ଯାତ୍ରୀ
ଉଲ୍ଲେଖ ଥାଉକି ବସ୍ଟି ଶନିବାର ଭୋର୍ ୫ଟା ବେଳେ ପାରାଦୀପରେ ପହଞ୍ଚିଥାଆନ୍ତା। ଏହା ୪୧ ସିଟ୍ ବିଶିଷ୍ଟ ଥିବା ବେଳେ ପାର୍ବଣ ସମୟ ଯୋଗୁଁ ସିଟ୍ ସଂଖ୍ୟାଠାରୁ ଅଧିକ ସଂଖ୍ୟକ ଯାତ୍ରୀ ଯାତ୍ରା କରୁଥିବା ଅନୁମାନ କରାଯାଉଛି। ସର୍ବଶେଷ ଖବର ଅନୁସାରେ, ବସ୍ରେ ୨୫ ଜଣ ଯାତ୍ରୀ ଓଡ଼ିଶାର ଥିଲେ। ସେମାନଙ୍କ ସଂପର୍କରେ ବାଲେଶ୍ବର ଜିଲ୍ଲା ପ୍ରଶାସନ ଖବର ସଂଗ୍ରହ କରିବା ପରେ ତୁରନ୍ତ ମେଡିକାଲ ଟିମ୍ ଓ ଆମ୍ବୁଲାନ୍ସ ପଠାଇଛନ୍ତି। ଜିଲ୍ଲାପାଳ କହିଛନ୍ତି, ଓଡ଼ିଶାର ଥିବା ୨୫ ଜଣ ଯାତ୍ରୀଙ୍କର ସ୍ବାସ୍ଥ୍ୟ ଗୁରୁତର ନଥିବା ଖବର ମିଳିଛି। ଆମ୍ବୁଲାନ୍ସ ଯୋଗେ ତାଙ୍କୁ ତୁରନ୍ତ ବାଲେଶ୍ବର ଅଣାଯିବ। ଆସନ୍ତାକାଲି ବାଲେଶ୍ବର ମେଡିକାଲ କଲେଜରେ ସେମାନଙ୍କର ଆଉ ଥରେ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ।
ଅତି ବିଶ୍ବସ୍ତ ମିଳିଥିବା ଖବର ଅନୁସାରେ ଆହତମାନଙ୍କ ମଧ୍ୟରୁ କେନ୍ଦ୍ରାପଡ଼ାର ୧୬, ପାରାଦୀପର ୨ ଓ ଯାଜପୁରର ୭ ଜଣ ଥିବା ଜଣାପଡ଼ିଛି।