ଦଶପଲ୍ଲା/ନୂଆଗାଁ/କୋମନା : ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂବର ଜାତୀୟ ରାଜପଥ ନୂଆଗାଁ ଥାନା ସୋରଡ଼ା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍ ତହସିଲଦାରଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଗାଡ଼ି ଚାଳକ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Advertisment

ଖବରରୁ ପ୍ରକାଶ, ନୂଆପଡ଼ା ଜିଲ୍ଲା କୋମନା ତହସିଲଦାର ସୁରେଶ କୁମାର ନନ୍ଦ (୩୪) ଗତକାଲି ରାତିରେ ଏକ ଟାଭେରା ଏସ୍‌ୟୁଭି (ଓଡି୨୬ଏ-୯୭୦୦) ଯୋଗେ ଭୁବନେଶ୍ବରକୁ ନିର୍ବାଚନୀ କାର୍ଯ୍ୟରେ ଯୋଗ ଦେବା ଲାଗି ଆସୁଥିଲେ। ଆଜି ଭୋର୍‌ ପ୍ରାୟ ସାଢେ ୫ଟାରେ ନୂଆଗାଁ ବ୍ଲକ୍ ସୋରଡ଼ା ଛକ ନିକଟରେ ଏକ ଗ୍ୟାସ୍‌ ବୋଝେଇ ଟ୍ରକ୍‌କୁ ଓଭର୍‌ଟେକ୍ କରିବା ସମୟରେ ସାମ୍‌ନା ପଟୁ ଆଉ ଏକ ଗାଡ଼ି ଆସୁଥିବା ଦେଖି କାର୍‌ ଚାଳକ ହଡବଡେଇ ଯାଇଥିଲେ। ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇବାରୁ କାର୍‌ଟି ଗ୍ୟାସ୍‌ ବୋଝେଇ ଟ୍ରକ୍‌ ପଛ ପଟେ ଜୋରରେ ପିଟି ହୋଇ ଯାଇଥିଲା। ଏଥିରେ ତହସିଲଦାର୍‌ ସୁରେଶ କୁମାର ନନ୍ଦଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ କାର୍‌ ଚାଳକଙ୍କୁ ଗୁରୁତର ଅବସ୍ଥାରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ନୂଆଗାଁ ପୁଲିସ ପହଞ୍ଚି ଗାଡ଼ିକୁ ଜବତ କରି ଥାନାକୁ ଆଣିଛି। ମୃତ ତହସିଲଦାର ସ୍ବର୍ଗତ ନନ୍ଦଙ୍କ ନିଜ ଘର ବଲାଙ୍ଗୀର ଜିଲ୍ଲା ସାଲେପାଲି ଅଞ୍ଚଳରେ ବୋଲି ଜଣାପଡ଼ିଛି। ପ୍ରକାଶଥାଉ କି, ଗତ ଜାନୁଆରି ୧୮ ତାରିଖ ତାଙ୍କର ବିବାହ ହୋଇଥିଲା। ତାଙ୍କ ପତ୍ନୀ ଆସାମ ରାଜ୍ୟ‌ର ଏକ କେନ୍ଦ୍ରୀୟ ବିଦ୍ୟାଳୟରେ ଶିକ୍ଷୟତ୍ରୀ ଅଛନ୍ତି।