ଉତ୍କର୍ଷର ଉପାସକ ହେବା ଏତେ ସହଜ ନୁହେଁ: ସୌମ୍ୟ

କନକ ନ୍ୟୁଜର ଏଜୁକେସନ୍ କନକ୍ଲେଭ୍ ‘ଉତ୍କର୍ଷ-୨୦୨୩’

ଭୁବନେଶ୍ବର : ଉପରକୁ ଉଠିବାକୁ ମଣିଷ ସବୁବେଳେ ପ୍ରଚେଷ୍ଟା କରେ। ଅନ୍ୟକୁ ଅତିକ୍ରମ କରିବାର ପ୍ରଚେଷ୍ଟା କରିବା ଆମର ସହଜାତ ପ୍ରବୃତ୍ତି। ଏଣୁ ଆମେ ଉତ୍କର୍ଷର ଉପାସକ ହେବା ପାଇଁ ପିଲାମାନଙ୍କୁ ପ୍ରବର୍ତ୍ତାଇ ଥାଉ। କିନ୍ତୁ ଉତ୍କର୍ଷର ଉପାସକ ହେବା ଏତେ ସହଜ ନୁହେଁ। ଉତ୍କର୍ଷର ସବୁଠୁ ବଡ଼ ଶତ୍ରୁ ହେଲା ଚଳେଇ ନେବା ପ୍ରବୃତ୍ତି। ନେଇ ଆଣି ଥୋଇ ଜାଣିଲେ, ଚୋରି ବିଦ୍ୟା ଭଲ ବୋଲି ଯେଉଁମାନେ ବିଶ୍ବାସ କରନ୍ତି; ତାହା ଆଧୁନିକ ଯୁଗରେ ସମ୍ଭବ ନୁହେଁ। ଏମିତି କରି ଉତ୍କର୍ଷର ଉପାସକ ହୋଇ ହୁଏନା। ତେବେ ଗଣତନ୍ତ୍ର ସଂଖ୍ୟା ଖେଳରେ ବିଶ୍ୱାସ କରେ, ଏଠାରେ ଧୁଆ ମୂଳା, ଅଧୁଆ ମୂଳା ସବୁ ସମାନ। ଅଧିକ ମୂଳା ଏକାଠି ହେବାର ଏଠାରେ ଆବଶ୍ୟକତା ରହିଛି। ହେଲେ ଉତ୍କର୍ଷର ଉପାସକଙ୍କୁ ଧୁଆ ମୂଳା ଅର୍ଥାତ ମାର୍ଜିତ ପ୍ରତିଭା ଉପରେ ଅଧିକ ନିର୍ଭର ହେବାକୁ ପଡ଼େ ବୋଲି କହିଛନ୍ତି ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ।

ଶନିବାର ଦିନ ହୋଟେଲ ସ୍ବସ୍ତି ପ୍ରିମିୟମ୍‌ଠାରେ ଆୟୋଜିତ କନକ ନ୍ୟୁଜର ଏଜୁକେସନ୍ କନକ୍ଲେଭ୍ ‘ଉତ୍କର୍ଷ-୨୦୨୩’ରେ ଉଦ୍‌ବୋଧନ ଦେଇ ଶ୍ରୀ ପଟ୍ଟନାୟକ ଏହା କହିଥିଲେ। ଏହି ଅବସରରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ସହିତ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ପ୍ରୀତିରଞ୍ଜନ ଘ‌ଡ଼େଇ, ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସନାୟକ, ଆଇଆଇଟି ଖଡ଼ଗପୁରର ପୂର୍ବତନ ନିର୍ଦ୍ଦେଶକ ଡ. ଦା‌ମୋଦର ଆଚାର୍ଯ୍ୟ, ହାପିଏଷ୍ଟ ମାଇଣ୍ଡସ୍‌ର ଡେପୁଟି ସିଇଓ ଅରବିନ୍ଦ ନନ୍ଦ ଓ ଏବେ ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ କୃତକାର୍ଯ୍ୟ କସ୍ତୁରୀ ପଣ୍ଡା ଓ ସତ୍ୟପ୍ରକାଶ ମିଶ୍ର ପ୍ରମୁଖ ଏହି କନ୍‌କ୍ଲେଭ୍‌ର ବିଭିନ୍ନ ଅଧିବେଶନରେ ଅତିଥି ଭାବେ ଯୋଗ ‌ଦେଇ ନିଜ ମତ ରଖିଥିଲେ।

କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲା ରାମପୁରସ୍ଥିତ ପଞ୍ଚାୟତ ହାଇସ୍କୁଲର ୧୦ମ ଶ୍ରେଣୀ ଟପର୍‌ ଶ୍ରେୟାଶ୍ରୀ ଜେନା, ଭୁବନେଶ୍ବରସ୍ଥିତ ଓଡିଏମ୍‌ ପବ୍ଲିକ୍‌ ସ୍କୁଲ୍‌ ସିବିଏସ୍‌ଇ ୧୦ମ ଶ୍ରେଣୀ ଟପର୍‌ ସ୍ବାତୀ ସୁଚରିତା ସାହୁ, ଭୁବନେଶ୍ବରସ୍ଥିତ ୟୁନିଟ୍‌-୮ ଡିଏଭି ପବ୍ଲିକ୍‌ ସ୍କୁଲ୍‌ ସିବିଏସ୍‌ଇ ୧୦ମ ଶ୍ରେଣୀ ଟପର୍‌ ନବନୀତ୍‌ ପ୍ରିୟଦର୍ଶୀ ଓ ଭୁବନେଶ୍ବର ସାଇ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ସ୍କୁଲ୍‌ ଦ୍ବାଦଶ ଶ୍ରେଣୀ ଟପର୍‌ ପ୍ରତିଷ୍ଠା ପାଲ୍‌ ପ୍ରମୁଖଙ୍କୁ ସେମାନଙ୍କ ସଫଳତା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହ ଧର୍ୟ୍ୟଏଡୁଟେକ୍‌ ଡଟ୍‌ କମ୍‌ର ପରିଚାଳନା ନିର୍ଦ୍ଦେଶକ କମଳ କୁମାର ନାୟକ, ଭୁବନେଶ୍ବର ଜୁପିଟର୍‌ ପବ୍ଲିକ୍‌ ସ୍କୁଲ୍‌ର ନିର୍ଦ୍ଦେଶକ ବିଶ୍ବନାଥ ପଣ୍ଡା, ଆଇଏନ୍‌ଆଇଏଫ୍‌ଡିର ଭୁବନେଶ୍ବର କେନ୍ଦ୍ର ନିର୍ଦ୍ଦେଶକ ଆଶୁତୋଷ ପଣ୍ଡା, ପ୍ରଭୁଜୀ ଇଂରାଜୀ ମାଧ୍ୟମ ସ୍କୁଲ, ଓଡିଆନ୍‌ ଲର୍ଣ୍ଣିଂ ପ୍ରଇଭେଟ୍‌ ଲିମିଟେଡ୍‌ର ପ୍ରତିଷ୍ଠାତା ପରମାନନ୍ଦ ପଣ୍ଡା, ସି ଭି ରମନ ଗ୍ଲୋବାଲ୍‌ ୟୁନିଭର୍ସିଟିର ପ୍ରତିଷ୍ଠାତା ସଭାପତି ଇଂ ସଞ୍ଜୀବ କୁମାର ରାଉତଙ୍କୁ ମଧ୍ୟ ଶିକ୍ଷା କ୍ଷେତ୍ରରେ ସେମାନଙ୍କ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା।

ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଲେ, ୫-ଟିରେ ଆମ ସ୍କୁଲଗୁଡ଼ିକର ଭିତ୍ତିଭୂମିର ପରିବର୍ତ୍ତନ କରାଯାଉଛି। ଓଡ଼ିଶାର ଶିକ୍ଷା ବ୍ୟବସ୍ଥାରେ କ’ଣ ପରିବର୍ତ୍ତନ କରାଗଲେ ଭଲ ହେବ ସେ ନେଇ ବିଚାରବିମର୍ଶ ମଧ୍ୟ ଚାଲିଛି। ଆଦିବାସୀ ଅଞ୍ଚଳରେ ସ୍କୁଲ ଡ୍ରପ୍‌ଆଉଟ୍‌ଙ୍କ ସଂଖ୍ୟା ଅଧିକ ରହିଛି। ଆଞ୍ଚଳିକ ଭାଷାରେ ଶିକ୍ଷାଦାନ କରିବା ଓ ସେମାନଙ୍କ ମୁଖ୍ୟସ୍ରୋତକୁ ଆଣିବାର ସମୟ ଆସିଛି ବୋଲି ସେ କହିଛନ୍ତି।

‘ବୈଷୟିକ ଶିକ୍ଷା: ଓଡ଼ିଆ ପିଲାଙ୍କ ସ୍ଥାନ କେଉଁଠି’ ଶୀର୍ଷକ ଆଲୋଚନାଚକ୍ରରେ ଯୋଗ ଦେଇ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ କହିଲେ, ଓଡ଼ିଶା ଏବେ ଟେକ୍ନିକାଲ ହବ୍ ପାଲଟିଛି। ସମୟ ଆସିଛି ଓଡ଼ିଶା ପିଲା ଚାକିରି ପଛରେ ଗୋଡ଼ାଇବେ ନାହିଁ, ଚାକିରି ତାଙ୍କ ପଛରେ ଗୋଡ଼ାଇବ। ଏବେ ରାଜ୍ୟରେ ୬୦ଟି ଆଇଟିଆଇ ଶିକ୍ଷାକେନ୍ଦ୍ରରେ ବୈଷୟିକ ଶିକ୍ଷା ତାଲିମ ଦିଆଯାଉଛି। ଏହାସହ ୧୩ଟି ନୂଆ ଆଇଟିଆଇ ଖୋଲିବାର ଯୋଜନା ରହିଛି।

‘ଜାତୀୟ ଶିକ୍ଷାନୀତି-୨୦୨୦: ଶିକ୍ଷାକ୍ଷେତ୍ରରେ ବିପ୍ଳବ’ ଶୀର୍ଷକ ଆଲୋଚନାଚକ୍ରରେ ଆଇଆଇଟି ଖଡ଼ଗପୁରର ପୂର୍ବତନ ନିର୍ଦ୍ଦେଶକ ଦାମୋଦର ଆଚାର୍ଯ୍ୟ ଯୋଗ ଦେଇ କହିଥିଲେ।, ସମସ୍ତଙ୍କୁ ମୂଲ୍ୟବୋଧ ଓ ଗୁଣାତ୍ମକ ଶିକ୍ଷା ଦେବା ଲକ୍ଷ୍ୟରେ ଏହା ଆରମ୍ଭ ହୋଇଛି। ଶିକ୍ଷାନୀତି ଆସିବା ପରେ ମଧ୍ୟ ଶିକ୍ଷାକ୍ଷେତ୍ରରେ ଆମେ ଯେଉଁ ସ୍ତରକୁ ପହଞ୍ଚିବା କଥା ସେଠାରେ ପହଞ୍ଚିପାରିନୁ। ଜାତୀୟ ଶିକ୍ଷାନୀତିରେ ଶିକ୍ଷକମାନଙ୍କ ଶିକ୍ଷାଦାନ ଶୈଳୀକୁ ବିକଶିତ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି।

ସମ୍ବନ୍ଧିତ ଖବର