କୋଣାର୍କ ସୂର୍ଯ୍ୟ ମନ୍ଦିରର ସୁରକ୍ଷା ପାଇଁ ହାଇକୋର୍ଟରେ ଆବେଦନ

କଟକ : ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିରର ସୁରକ୍ଷା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଉ। କୋଣାର୍କର ସ˚ରକ୍ଷଣ ଓ ମରାମତି ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରାଯାଉ। କୋଣାର୍କ ମରାମତି କାର୍ଯ୍ୟ ତଦାରଖ ପାଇଁ ଅମିକସ୍‌ କ୍ୟୁରିଙ୍କୁ ନିଯୁକ୍ତି ଦିଆଯାଉ ବୋଲି ଦର୍ଶାଇ ହାଇକୋର୍ଟରେ ଆବେଦନ ଦାୟର କରାଯାଇଛି।

ଆଇନଜୀବୀ ଦିଲ୍ଲୀପ କୁମାର ମହାପାତ୍ରଙ୍କ ପକ୍ଷରୁ ଏ ନେଇ ହାଇକୋର୍ଟରେ ଏକ ପିଟିସନ୍‌ ଦାଖଲ କରାଯାଇଛି। ପୂର୍ବରୁ କୋଣାର୍କର ସୁରକ୍ଷା ପ୍ରସ˚ଗକୁ ନେଇ ଶ୍ରୀ ମହାପାତ୍ରଙ୍କ ଆବେଦନ ହାଇକୋର୍ଟରେ ବିଚାରାଧୀନ ଥିବା ବେଳେ ବର୍ତ୍ତମାନ ଦେଖା ଦେଇଥିବା ପରିସ୍ଥିତିରେ ତୁରନ୍ତ ଠୋସ୍‌ ପଦକ୍ଷେପ ଗ୍ରହଣ ଲାଗି ସାନି ପିଟିସନ୍‌ ଦାଖଲ କରାଯାଇଛି। ‘ସମ୍ବାଦ’ର ନଭେମ୍ବର ୧୫ ଓ ୨୫ ତାରିଖ ସଂସ୍କରଣରେ କୋଣାର୍କ ସ˚ପର୍କିତ ପ୍ରକାଶିତ ଖବରର ନକଲ ଆବେଦନକାରୀଙ୍କ ପକ୍ଷରୁ ପିଟିସନ୍‌ ସହିତ ହାଇକୋର୍ଟରେ ଦାଖଲ କରାଯାଇଛି।

ଶ୍ରୀ ମହାପାତ୍ରଙ୍କ ପକ୍ଷରୁ ଦର୍ଶାଯାଇଛି ଯେ କୋଣାର୍କ ସ୍ଥିତି ଏତେ ଦୁର୍ବଳ ହେଇଗଲାଣି ଯେ ରିକ୍ଟର ସ୍କେଲରେ ୫ରୁ ୬ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ହେଲେ ଏହା ଭୁଶୁଡି ଯାଇ ପାରେ। ତୁରନ୍ତ ଯଦି ଉପଯୁକ୍ତ ମରାମତି ପାଇଁ ପଦକ୍ଷେପ ଗ୍ରହଣ କରା ନ ଯାଏ ତେବେ କୋଣାର୍କ ଭୁଶୁଡି ପଡିବ। ଏହି ପ୍ରସ˚ଗକୁ ନେଇ ଏଏସଆଇ ଓ ରାଜ୍ୟ ସରକାରଙ୍କ ମଧୢରେ କୌଣସି ପ୍ରକାର ସମନ୍ବୟ ନଥିବା ଭଳି ମନେ ହେଉଛି। ଏହି ପ୍ରସ˚ଗରେ ହାଇକୋର୍ଟଙ୍କ ହସ୍ତକ୍ଷେପ ଆବଶ୍ୟକ। ଅଦାଲତ ସମଗ୍ର ଘଟଣାକୁ ବିଚାରକୁ ନେଇ ତୁରନ୍ତ ଆମିକସ୍‌କ୍ୟୁରିଙ୍କ ତଦାରଖରେ ମରାମତି କାମ କରିବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ। ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯାଉ। ଏଥି ସହିତ ଏକ ବିଶେଷଜ୍ଞ କମିଟି ଗଠନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଉ। ଏଏସଆଇ, ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ମିଳିତ ଭାବେ କୋଣାର୍କର ସୁରକ୍ଷା ପାଇଁ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ସେ ଦର୍ଶାଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଶୋକ କୁମାର ମହାପାତ୍ର ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର