ପୁରୀ : କରୋନା ସତର୍କତାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ୭ଦିନ ପାଇଁ କୋଣାର୍କ ସୂର୍ଯ୍ୟମନ୍ଦିର ଦର୍ଶନ ଉପରେ କଟକଣା ଲଗାଇଛନ୍ତି। ସପ୍ତାହବ୍ୟାପୀ ଦେଶୀ, ବିଦେଶୀ ପର୍ଯ୍ୟଟକ ସୂର୍ଯ୍ୟମନ୍ଦିର ଭିତରକୁ ଯାଇପାରିବେ ନାହିଁ ବୋଲି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ଆଜି ସୂଚନା ଦେଇଛନ୍ତି। ତେବେ ସପ୍ତାହ ପରେ ଏ ନେଇ ପୁଣିଥରେ ନିଷ୍ପତ୍ତି ନିଆଯିବ। ଏଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗକୁ ମଧ୍ୟ ଅନୁରୋଧ କରାଯାଇଛି। କୋଣାର୍କକୁ ଦେଶ ବିଦେଶରୁ ପର୍ଯ୍ୟଟକ ଆସୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି।
ଗତକାଲି ପୁରୀର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଚିଲିକା, ସାତପଡ଼ା, କୋଣାର୍କ ଓ ଅନ୍ୟ ପର୍ଯ୍ୟଟନସ୍ଥଳୀକୁ ନଯିବା ପାଇଁ ଟୁରିଷ୍ଟ୍ ବସ୍ ଉପରେ କଟକଣା ଲାଗୁ କରାଯାଇଥିଲା। ଟୁର୍ ଅପରେଟର୍ମାନଙ୍କର ଏକ ବୈଠକ ଡକାଇ ଜିଲ୍ଲାପାଳ ଏ ନେଇ କଟକଣା ଲଗାଇଥିଲେ। ଆଜି କୋଣାର୍କ ସୂର୍ଯ୍ୟମନ୍ଦିର ଦର୍ଶନ ଉପରେ କଟକଣା ଲଗାଇଛନ୍ତି। ଲୋକେ ଏଥିରେ ସହଯୋଗ କରିବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି।
ଆବଶ୍ୟକ କାମ ନଥିଲେ ପର୍ଯ୍ୟଟକଙ୍କୁ ପୁରୀକୁ ନ ଆସିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି। ଆବଶ୍ୟକ କାମ ନଥିଲେ ପୁରୀ ଲୋକ ବାହାରକୁ ନଯିବାକୁ ନିବେଦନ କରାଯାଇଛି। କୋଣାର୍କ ଇତିହାସରେ ଗତ ୫୦୦ ବର୍ଷ ଭିତରେ କୋଣାର୍କ ସୂର୍ଯ୍ୟମନ୍ଦିର ଦର୍ଶନ ଉପରେ ଏଭଳି କଟକଣା ଲାଗିନଥିବା ଜଣାପଡିଛି। ବିଦେଶୀ ପର୍ଯ୍ୟଟକଙ୍କ ଭ୍ରମଣ ଇତିହାସ ଅନୁଧ୍ୟାନ କରାଯାଉଛି। ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଇବାର ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି।।