କୋଣାର୍କକୁ ନେଇ ସାଂଘାତିକ ଖେଳ : ଏଏସ୍ଆଇର ଡାହା ମିଛରେ ମୋହର ମାରିଲେ କେନ୍ଦ୍ରମନ୍ତ୍ରୀ
ଆଜି କେନ୍ଦ୍ର-ରାଜ୍ୟ ବୈଠକ, ଫଳାଫଳ ଆଶା କ୍ଷୀଣ, ଆଲୋଚନାକୁ ଭଣ୍ଡୁର କରିବା ପାଇଁ ଢେର୍ ପ୍ରୟାସ, ମୁଖ୍ୟ ସଚିବଙ୍କୁ ଚିଠି ଲେଖିଲେ ଏଏସ୍ଆଇ ଡିଜି
ଭୁବନେଶ୍ବର : ଏଏସ୍ଆଇ ଯାହା କରୁଛି ଠିକ୍ କରୁଛି। ଗଣମାଧ୍ୟମ ଭୁଲ୍ କହୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପତ୍ରର ତଥ୍ୟରେ ସତ୍ୟତା ନାହିଁ। କୋଣାର୍କରେ ସବୁ ଠିକ୍ ଚାଲିଛି। ନିୟମ ଅନୁଯାୟୀ ସଂରକ୍ଷଣ କରାଯାଉଛି। ସାଧା ପଥରରେ ଯେଉଁ କାମ କରାଯାଉଛି, ତାହା ଠିକ୍।
Sambad is now on WhatsApp
Join and get latest news updates delivered to you via WhatsApp
କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା ଏମିତି ଭାବେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଗତ ଏକ ମାସ ହେଲା ଏଏସ୍ଆଇ ଅଧିକାରୀମାନେ ଯେଉଁ ଡାହା ମିଛ କହି ଚାଲିଥିଲେ, ସେଥିରେ ସଂସ୍କୃତି ମନ୍ତ୍ରାଳୟ ବି ମୋହର ମାରିଛି। ଓଡ଼ିଶାର ଗୌରବ, ରାଜ୍ୟବାସୀଙ୍କ ଭାବନା, ବିଶେଷଜ୍ଞଙ୍କ ଉଦ୍ବେଗ ପ୍ରତି କେନ୍ଦ୍ରମନ୍ତ୍ରୀ ଆଦୌ ସମ୍ବେଦନଶୀଳ ହୋଇ ନାହାନ୍ତି। ନୂଆଦିଲ୍ଲୀରେ ବସି ବିନା ସରଜମିନ୍ ତଦନ୍ତେର ଏଏସ୍ଆଇ ଅଧିକାରୀମାନଙ୍କ କଥାକୁ ବେଦରେ ଗାର କରିଦେଇଛନ୍ତି। ଯେଉଁ ଏଏସ୍ଆଇ ଯୋଗୁଁ ଏତେ ବିବାଦ, ସେହି ସଂସ୍ଥାର ଅଧିକାରୀମାନଙ୍କ ମତକୁ ଚୂଡ଼ାନ୍ତ ବୋଲି ମନ୍ତ୍ରୀ କିପରି ଧରିନେଲେ, ତାହା ବର୍ତ୍ତମାନ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଆସନ୍ତାକାଲି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା ଓ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ମଧ୍ୟରେ ନୂଆଦିଲ୍ଲୀରେ ବୈଠକ ହେବ। ମୁଖ୍ୟତଃ କୋଣାର୍କ ପ୍ରସଙ୍ଗ ଏଥିରେ ସ୍ଥାନ ପାଇବ। ରାଜ୍ୟ ପକ୍ଷରୁ କୋଣାର୍କକୁ ନେଇ ଏକାଧିକ ପ୍ରସ୍ତାବ ଉପସ୍ଥାପନ କରାଯିବ। କିନ୍ତୁ ତାହା ପୂର୍ବରୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଓ ତାଙ୍କ ମନ୍ତ୍ରାଳୟ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଦେଇଛନ୍ତି। ଯେହେତୁ ଏଏସ୍ଆଇ ସବୁ ଠିକ୍ କରୁଛି ବୋଲି ମନ୍ତ୍ରୀ ରୋକ୍ଠୋକ୍ ଜଣାଇଦେଇଛନ୍ତି, ତେଣୁ ଆସନ୍ତାକାଲିର ବୈଠକରୁ କିଛି ଫଳାଫଳ ମିଳିବା ସମ୍ଭାବନା କ୍ଷୀଣ। ଏହି ଆଲୋଚନାକୁ ନିଷ୍ଫଳ କରିବା ପାଇଁ କେନ୍ଦ୍ରରେ ଯେ ଢେର୍ ପ୍ରୟାସ କରାଯାଇଛି, ତାହାର ସ୍ପଷ୍ଟ ଆଭାସ ମିଳିଛି।
କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ଚିଠି ଓ ଏଏସ୍ଆଇର କାର୍ଯ୍ୟଧାରା ମଧ୍ୟରେ ଆଉ ଏକ ଅସଙ୍ଗତି ବି ଆଜି ଧରାପଡ଼ିଯାଇଛି। ଗୋଟିଏ ପଟେ ଏଏସ୍ଆଇର ସଂରକ୍ଷଣ କାର୍ଯ୍ୟ ଠିକ୍ଠାକ୍ ଚାଲିଛି ବୋଲି ମନ୍ତ୍ରୀ ଯୁକ୍ତି ଦର୍ଶାଇଛନ୍ତି। ଅନ୍ୟପଟେ ଏଏସ୍ଆଇ ମହାନିର୍ଦ୍ଦେଶକ(ଡିଜି) ମୁଖ୍ୟ ଶାସନ ସଚିବଙ୍କୁ ଏକ ଚିଠି ଲେଖି ଓଡ଼ିଶାରେ କୀର୍ତ୍ତିରାଜିଗୁଡ଼ିକର ସଂରକ୍ଷଣରେ ବାଧା ଉପୁଜୁଛି ବୋଲି କହିଛନ୍ତି। ଏଥିପାଇଁ ଏକ ବୈଠକ ଆୟୋଜନ କରିବାକୁ ଡିଜି ଅନୁରୋଧ କରିଛନ୍ତି। ଓଡ଼ିଶାରେ ଏଏସ୍ଆଇ ମନମୁଖୀ ଓ ବେପରୱା କାର୍ଯ୍ୟକୁ ନେଇ ଭୁବନେଶ୍ବର ଠାରୁ ଆରମ୍ଭ କରି କୋଣାର୍କ ପର୍ଯ୍ୟନ୍ତ ସବୁଠି ଅସନ୍ତୋଷ ତୀବ୍ର ଥିଲା ବେଳେ ଏଏସ୍ଆଇ ଡିଜି ନିର୍ଦ୍ଦିଷ୍ଟ ଭାବେ କେଉଁ ସମସ୍ୟା ଉଠାଇବାକୁ ଚାହୁଁଛନ୍ତି, ତାହା ଏବେ ଆଲୋଚନାର ବିଷୟ।
ମୁଖ୍ୟମନ୍ତ୍ରୀଙ୍କୁ ଚିଠି େଲଖି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଶର୍ମା କହିଛନ୍ତି, କୋଣାର୍କ ମନ୍ଦିରର ସଂରକ୍ଷଣ ଏକ ନିରନ୍ତର କାର୍ଯ୍ୟ ଓ ବିଭିନ୍ନ ସମୟରେ ଆବଶ୍ୟକତା ଅନୁସାରେ ପଦକ୍ଷେପ ନିଆଯାଇଛି। ବିଂଶ ଶତାବ୍ଦୀର ପ୍ରାରମ୍ଭରେ ଜଗମୋହନ ମନ୍ଦିରର ବ୍ୟାପକ ଢାଞ୍ଚାଗତ ମରାମତି କାମ କରାଯାଇଥିଲା। ୧୯୮୫ ପେର ଏଏସ୍ଆଇ ଓଡ଼ିଶା ସର୍କଲ ଖୋଲିବା ପରେ ପ୍ରମୁଖ ସଂରକ୍ଷଣ କାର୍ଯ୍ୟ କରାଯାଇ ତିନିଟି ସିଡି ମରାମତି ଓ ଦୃଢ଼ୀକରଣ କାମକୁ ଉପଲବ୍ଧ ପ୍ରସ୍ତରରେ ସରଳ ଜିଓମେଟ୍ରିକାଲ ଡିଜାଇନ୍ କରାଯାଇ ଏହି କାର୍ଯ୍ୟକୁ ସମ୍ପାଦନ କରାଯାଇଛି। ଏହା ପରେ ଆବଶ୍ୟକତା ଆଧାରରେ ପ୍ରଚଳିତ ନୀତି ଅନୁସାରେ ପଥର ନ ଥିବା ସ୍ଥାନରେ ସଂରକ୍ଷଣ କାମ କରାଯାଇଛି। ଢାଞ୍ଚାର ସୁରକ୍ଷା ପାଇଁ ଯେଉଁ ଠାରେ କାରୁକାର୍ଯ୍ୟପୂର୍ଣ୍ଣ ପଥର ନାହିଁ, ସାଧା ପଥରରେ କାମ କରାଯାଇଛି। ୪୦ ପ୍ରତିଶତ କାରୁକାର୍ଯ୍ୟପୂର୍ଣ୍ଣ ପଥର ପରିବର୍ତ୍ତିତ କରାଯିବା ଆଦୌ ସତ୍ୟ ନୁହେଁ ଓ ଏପରି କରାଯାଇ ନାହିଁ। ସମସ୍ତ କାର୍ଯ୍ୟ ଏଏସ୍ଆଇର ସଂରକ୍ଷଣ ନିୟମାବଳୀ ଓ ଅନ୍ତରାଷ୍ଟ୍ରୀୟ ସଂରକ୍ଷଣ ଚାର୍ଟର୍ରେ ଗାଇଡ୍ଲାଇନ୍ ଆଧାରରେ କରାଯାଇଛି। ସୁକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ପଥରର ସୁରକ୍ଷା ପାଇଁ ଅଧିକ ଯତ୍ନ ନିଆଯାଇଛି। କାରୁକାର୍ଯ୍ୟପୂର୍ଣ୍ଣ ପଥରର କ୍ଷୟ େରାକିବା ପାଇଁ ଅନେକ ପଦ୍ଧତିକୁ ବ୍ୟବହାର କରାଯାଇ ସଂରକ୍ଷଣ କରାଯାଇଛି।
ଏଏସ୍ଆଇ ଓଡ଼ିଶା ସର୍କଲ୍ର ଅଧିକାରୀମାନେ ଆରମ୍ଭରୁ ଯେଉଁ ବିତଣ୍ଡା ଯୁକ୍ତି କରିଚାଲିଥିଲେ, କେନ୍ଦ୍ରମନ୍ତ୍ରୀଙ୍କ ମୁହଁରେ ଏଏସ୍ଆଇ ଉଚ୍ଚପଦସ୍ଥ ଅଧିକାରୀମାନେ ତାହାକୁ କୁହାଇ ଦେଇଛନ୍ତି। କିନ୍ତୁ ଏଏସ୍ଆଇ ଦ୍ବାରା ସଂରକ୍ଷିତ ହୁମାୟୁନ କବର ସଂରକ୍ଷଣ କରାଯିବା ବେଳେ ନୂଆ ଖୋଦିତ ପ୍ରସ୍ତର ଲଗାଯାଉଥିଲାବେଳେ କୋଣାର୍କର ସୌନ୍ଦର୍ଯ୍ୟ ପାଇଁ ତାହା କାହିଁକି ହୋଇପାରିବ ନାହିଁ, ସେ ନେଇ ମନ୍ତ୍ରୀଙ୍କ ଚିଠିରେ ବିନ୍ଦୁବିସର୍ଗ ବି ଲେଖାଯାଇ ନାହିଁ। ୧୯୯୭ ଓ ୨୦୧୦ ମସିହାରେ କୋଣାର୍କ ଉପରେ ଦୁଇଟି ଆନ୍ତର୍ଜାତିକ ସମ୍ମିଳନୀର ସୁପାରିସ୍କୁ ଏଏସ୍୍ଆଇ କେତେଦୂର କାର୍ଯ୍ୟକାରୀ କରିଛି, ସେ ସମ୍ପର୍କରେ ବି ଏଏସ୍ଆଇ ଅଧିକାରୀମାନେ ମନ୍ତ୍ରୀଙ୍କୁ ଅବଗତ କରାଇନାହାନ୍ତି। ଆସନ୍ତାକାଲି କେନ୍ଦ୍ର-ରାଜ୍ୟ ବୈଠକରେ ରାଜ୍ୟ ପକ୍ଷରୁ ଏହି ପ୍ରସଙ୍ଗ ଉପସ୍ଥାପନ କରାଯିବାର ସମ୍ଭାବନା ରହିଛି।
ମୁଖ୍ୟ ଶାସନ ସଚିବଙ୍କୁ ଏଏସ୍ଆଇ ଡିଜି ଲେଖିଥିବା ଚିଠିରେ ଦର୍ଶାଯାଇଛି, ଏଏସ୍ଆଇ ଓଡ଼ିଶାର ୭୯ଟି ସଂରକ୍ଷିତ କୀର୍ତ୍ତିରାଜିର ସଂରକ୍ଷଣ କାମ ହାତକୁ ନେଇଛି। ଏଥି ମଧ୍ୟରୁ କୋଣାର୍କସ୍ଥିତ ସୂର୍ଯ୍ୟ ମନ୍ଦିର ଐତିହ୍ୟସ୍ଥଳ ଭାବେ ମାନ୍ୟତା ପାଇଛି। ଏହାର ସଂରକ୍ଷଣ ଅନ୍ତରାଷ୍ଟ୍ରୀୟ ମାନଦଣ୍ଡ ଅନୁସାରେ ଏଏସ୍ଆଇ ଦ୍ବାରା କରାଯାଉଛି। ଭୁବନେଶ୍ବରସ୍ଥିତ ଏଏସ୍ଆଇ ସର୍କଲ୍ ଅଫିସ୍ ଏହି କୀର୍ତ୍ତିରାଜିଗୁଡ଼ିକର ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ଉପରେ ସ୍ବତନ୍ତ୍ର ଧ୍ୟାନ ଦେଉଛି। ରାଜ୍ୟର କିଛି ସ୍ଥାନରେ ଏଏସ୍ଆଇର ସଂରକ୍ଷଣ କାମରେ ବାଧା ସୃଷ୍ଟି ହେଉଥିବା ନେଇ ରିପୋର୍ଟ ଆସିଛି। ସେହିପରି କିଛି କୀର୍ତ୍ତିରାଜିର ସଂରକ୍ଷଣ ଓ ରକ୍ଷଣାବେକ୍ଷଣ କାମ ବେଳେ ଏଏସ୍ଆଇ ସର୍କଲ୍ ଅଫିସ୍ କିଛି ଫଙ୍କ୍ସନାଲ୍ ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି। ଏସବୁର ସମାଧାନ ପାଇଁ ମୁଖ୍ୟ ଶାସନ ସଚିବ ଏକ ବୈଠକ ଆୟୋଜନ କରିବାକୁ ସମୟ ପ୍ରଦାନ କରିବାକୁ ଡିଜି ଅନୁରୋଧ କରିଛନ୍ତି।