କୋଣାର୍କ-ଚନ୍ଦ୍ରଭାଗା ରାସ୍ତା ୬ ଲେନ୍‌ ବିଶିଷ୍ଟ ହେବ

ଅର୍କକ୍ଷେତ୍ର ସୌନ୍ଦର୍ଯ୍ୟୀକରଣ ପ୍ରକଳ୍ପର ପ୍ରଥମ କାର୍ଯ୍ୟ, ଖର୍ଚ୍ଚ ହେବ ୨୩ କୋଟି, ଉଜ୍ଜ୍ବଳ ଆଲୋକରେ ଝଲସିବ

କୋଣାର୍କ : ଓଡ଼ିଶା ପର୍ଯ୍ୟଟନର ସ୍ବର୍ଣ୍ଣ ତ୍ରିଭୁଜ କୋଣାର୍କ, ପୁରୀ ଓ ଭୁବନେଶ୍ବରର ସୌନ୍ଦର୍ଯ୍ୟୀକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକାଧିକ ଯୋଜନା ହାତକୁ ନିଆଯାଇଛି। ସଂପ୍ରତି ପୁରୀ, ଭୁବନେଶ୍ବରର ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟ ଆରମ୍ଭ ହୋଇସାରିଥିବା ବେଳେ ନିକଟ ଭବିଷ୍ୟତରେ କୋଣାର୍କର ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି। ଏ ନେଇ ପ୍ରଥମ ପର୍ଯ୍ୟାୟରେ ଜମି ଚିହ୍ନଟ ପ୍ରକ୍ରିୟା ସରିଥିବା ସମୟରେ ଏବେ ପ୍ରଶସ୍ତ ରାସ୍ତା ପାଇଁ ମାପଚୁପ ଆରମ୍ଭ ହୋଇଛି। ଅର୍କକ୍ଷେତ୍ର ସୌନ୍ଦର୍ଯ୍ୟୀକରଣ ପ୍ରକଳ୍ପର ପ୍ରଥମ କାର୍ଯ୍ୟ ଭାବେ କୋଣାର୍କ-କାକଟପୁର ରାସ୍ତାରୁ ରିଙ୍ଗରୋଡ୍‌ର ଲାବଣ୍ୟ ଛକ ‌ଦେଇ ଚନ୍ଦ୍ରଭାଗା ପର୍ଯ୍ୟନ୍ତ ଯାଇଥିବା ରାସ୍ତାକୁ ୬ ଲେନ୍‌ ବିଶିଷ୍ଟ କରାଯିବ। ଏହି ରାସ୍ତାର ଓସାର ୪୧ ମିଟର ରହିବ। ଏଥିପାଇଁ ୨୩ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

ସୂଚନା ଅନୁଯାୟୀ, ଏହି ରାସ୍ତା ପାଇଁ ଖୁବ୍‌ଶୀଘ୍ର ଟେଣ୍ଡର୍‌ ପ୍ରକ୍ରିୟା ସରିବା ପରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ୪୧ ମିଟର ଚଉଡ଼ାରେ ୬ ଲେନ୍‌ ବିଶିଷ୍ଟ ହେବାକୁ ଥିବା ଏହି ରାସ୍ତା ପାର୍ଶ୍ବରେ ୨.୫ ମିଟର ଓସାରର ସାଇକେଲ୍‌ ଚଳାଇବା ରାସ୍ତା, ପାଦଚଲା ରାସ୍ତା ଓ ୪.୫ ମିଟର ଚଉଡ଼ାରେ ଡ୍ରେନ୍‌ ରହିବ। ରାସ୍ତାର ଡିଭାଇଡର୍‌ରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଘାସ ଗାଲିଚା ଓ ଫୁଲଗଛ ଲଗାଯିବ ବୋଲି ପ୍ରସ୍ତାବିତ ନକ୍ସାରୁ ସୂଚନା ମିଳିଛି। ଅନ୍ୟପକ୍ଷରେ ଲାବଣ୍ୟଛକ ଓ କୋଣାର୍କ-କାକଟପୁର ରାସ୍ତାର ରିଙ୍ଗରୋଡ୍‌ ଛକରେ ଦୁଇଟି ଜଳଫୁଆରା (ୱାଟର୍‌ ଫାଉଣ୍ଟେନ୍‌ ) ନିର୍ମାଣ କରାଯିବ। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଭଳି ରାସ୍ତାପାର୍ଶ୍ବରେ ଉଜ୍ଜ୍ବଳ ଆଲୋକୀକରଣ ବ୍ୟବସ୍ଥା ମଧ୍ୟ କରାଯିବ। ଏଥି ସହିତ ଉକ୍ତ ରାସ୍ତାର ବିଭିନ୍ନ ସ୍ଥାନରେ ପଥଚାରୀମାନଙ୍କ ବସିବା ପାଇଁ ଚେୟାର୍‌ ନିର୍ମାଣ କରାଯିବାର ଯୋଜନା ରହିଥିବା ଜଣାପଡ଼ିଛି।

ପ୍ରଥମ ପର୍ଯ୍ୟାୟରେ ଉକ୍ତ ରାସ୍ତା ପ୍ରଶସ୍ତୀକରଣ କାର୍ଯ୍ୟ ସରିବା ପରେ ପର୍ଯ୍ୟାୟକ୍ରମେ ପ୍ରସ୍ତାବିତ ରିଙ୍ଗ ରୋଡ୍‌କୁ ବାସ୍ତବ ରୂପ ଦେବା ପାଇଁ ଯୋଜନା ରହିଥିବା ସୂଚନା ମିଳିଛି। ପ୍ରସ୍ତାବିତ ରିଙ୍ଗରୋଡ୍‌ ଆଇଓସିଏଲ୍‌ର ବସ୍‌ ପାର୍କିଂରୁ କୋଣାର୍କ ଡାକ୍ତରଖାନା ପଛ ଦେଇ ଯାତ୍ରୀନିବାସ ପାଚେରି ଓ ରାମମନ୍ଦିର ମଝିରେ ଥିବା ଖାଲି ସ୍ଥାନ ମଧ୍ୟଦେଇ ଯିବ। ଏହି ରାସ୍ତା ସଂଗ୍ରହାଳୟ, ସିନେମା ହଲ୍‌ ପଛ, କୋଣାର୍କ ଆଶ୍ରମ ସ୍କୁଲ୍‌ର ପାଚେରି କଡ଼ ଦେଇ କୋଣାର୍କ ହାଇସ୍କୁଲ ନିକଟବର୍ତ୍ତୀ ଅଞ୍ଚଳରେ ମୁଖ୍ୟ ରାସ୍ତା ସହ ମିଶିବ। ସେଠାରୁ ପର୍ଯ୍ୟାୟକ୍ରମେ ପ୍ରଥମ ପର୍ଯ୍ୟାୟରେ ହୋଇଥିବା ୬ ଲେନ୍‌ ବିଶିଷ୍ଟ ରାସ୍ତା ସହ ସଂଯୋଗ ହେବ ବୋଲି ନକ୍ସାରେ ଦର୍ଶଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା କୋଣାର୍କ ସୌନ୍ଦର୍ଯ୍ୟୀକରଣ ପ୍ରକଳ୍ପର ପ୍ରଥମ ସୋପାନ ଭାବେ କୋଣାର୍କରୁ ଚନ୍ଦ୍ରଭାଗା ରାସ୍ତାର ପ୍ରଶସ୍ତୀକରଣ କାର୍ଯ୍ୟ ଖୁବ୍‌ଶୀଘ୍ର ଆରମ୍ଭ କରାଯିବ ବୋଲି ପୂର୍ତ୍ତ ବିଭାଗର ଯନ୍ତ୍ରୀ ଦିଲୀପ କୁମାର ବିଶ୍ବାଳ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର