ଯୁବତୀଙ୍କୁ ଦୁଷ୍କର୍ମର ପ୍ରତିବାଦ : ୧୨ ଘଣ୍ଟିଆ କୋଣାର୍କ ବନ୍ଦ

କୋଣାର୍କ : ବଙ୍ଗୀୟ ଯୁବତୀଙ୍କୁ ଦୁଷ୍କର୍ମ ଘଟଣାର ପ୍ରତିବାଦରେ ଆଜି ବିଜେପି ପକ୍ଷରୁ ୧୨ ଘଣ୍ଟିଆ କୋଣାର୍କ ବନ୍ଦ ପାଳିତ ହୋଇଛି। ଫଳରେ ଆଜି ଦିନ ତମାମ କୋଣାର୍କରେ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଓ ଗାଡ଼ି ଚଳାଚଳ ବନ୍ଦ ରହିବା ସହିତ ଜନଜୀବନ ପ୍ରଭାବିତ ହୋଇଛି। ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକମାନେ ଆଜି ସୂର୍ଯ୍ୟମନ୍ଦିର ଦର୍ଶନ କରି ନପାରି ନିରାଶ ହୋଇଛନ୍ତି।

ଗତ ୧୭ ତାରିଖରେ କୋଣାର୍କ ଏନ୍‌ଏସି ମାର୍କେଟ କଂପ୍ଳେକ୍ସର ଏକ ବନ୍ଦ ଘରୁ ଜଣେ ବଙ୍ଗୀୟ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିଲା। ଦୁଷ୍କର୍ମ ଘଟଣାରେ ପୀଡ଼ିତାଙ୍କ ବୟାନକୁ ଆଧାର କରି ପୁଲିସ କୋଣାର୍କରେ ୧୫ଟି ଲଜ୍ ସିଲ୍‌ କରିବା ସହ ୬ ଜଣଙ୍କୁ ଗିରଫ କରିଛି। କିନ୍ତୁ ଘଟଣାରେ ସଂପୃକ୍ତ ମୁଖ୍ୟଆସାମୀକୁ ଗିରଫ କରି ପାରିନାହିଁ। ତେବେ ମୁଖ୍ୟ ଅଭିଯୁକ୍ତକୁ ଗିରଫ ଓ କୋଣାର୍କକୁ ଏକ ଦେହ ବ୍ୟବସାୟମୁକ୍ତ ସ୍ଥାନଭାବେ ଘୋଷଣା ଦାବିରେ ଆଜି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିଲା।

ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ାଙ୍କ ନେତୃତ୍ବରେ ତୁଷାରକାନ୍ତି ବେହେରା, କୋଣାର୍କ ବିଜେପି ଯୁବ ମୋର୍ଚ୍ଚାର ଗୋପୀନାଥ ସ୍ବାଇଁ, ବିଜେପି ମଣ୍ଡଳ ଉପ ସଭାପତି ମଙ୍ଗରାଜ ମୁଦୁଲି, ଓବିସି ସେଲ ଅଧ୍ୟକ୍ଷ ବିଚିତ୍ର ଓଝା, ରାମଚନ୍ଦ୍ର ପଣ୍ଡା, ଜସ୍ମିତା ନାୟକ, ସୌଦାମିନୀ ମହାପାତ୍ର, ଆଶାଲତା ରାଉତରାୟଙ୍କ ସମେତ ଶତାଧିକ କର୍ମୀ ଏଡି ବନ୍ଦ ଡାକରାରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର